ଆଇପିଏଲ୍ ୨୦୨୪: ଚେନ୍ନାଇକୁ ୨୦ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ବିଶାଖାପାଟଣା: ଆଇପିଏଲ-୨୦୨୪ର ୧୩ତମ ମ୍ୟାଚରେ ଚେନ୍ନାଇକୁ ୨୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ବିତୀୟ ପାଳିରେ ଚେନ୍ନାଇ ୧୯୨ ରନର ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୬ ୱିକେଟ ହରାଇ ୧୭୧ ରନ୍‌ କରି ପରାସ୍ତ ହୋଇଛି । ଚେନ୍ନାଇ ପକ୍ଷରୁ ଅଜିଙ୍କ୍ୟ ରାହାଣେ ୪୫ ରନ୍‌ କରିଥିବା ବେଳେ ଡାରିଲ୍ ମିଚେଲ୍ ୩୪ ରନ୍‌ ଓ ଏମ୍‌ ଏସ ଧୋନି ଦମ୍‌ଦାର ୧୬ ବଲରେ ୩୭ ରନ୍‌ କରିଥିଲେ କିନ୍ତୁ ଚେନ୍ନାକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ। ଫଳରେ ଚେନ୍ନାଇ ଏହି ପରାଜୟ ସହ ୪ ଅଙ୍କ ନେଇ ଟେବୁଲ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ।

ପ୍ରଥମ ପାଳିରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ପୃଥ୍ବୀ ଶ’ ଓ ଡେଭିଡ୍ ଓ୍ବାର୍ନର  ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଶ’ ୪୩ ରନ କରି ଆଉଟ ହୋଇଥିବାବେଳେ ଓ୍ବାର୍ନର ୫୨ ରନ କରିଥିଲେ । ସେହିପରି ଅଧିନାୟକ ଋଷଭ ପନ୍ତ ୫୧ ରନ କରିଥିଲେ ଓ ମିଚେଲ ମାର୍ସ ୧୮ ରନ କରି ଆଉଟ ହୋଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୧୯୧ ରନ କରିଥିଲା । ଚେନ୍ନାଇ ପକ୍ଷରୁ ମଥିସା ପଥିରାନା ୩ଟି ଓ୍ବିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଦେଜା ଓ ମୁସ୍ତାଫିଜୁର ରେହେମାନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା ଗୁଜରାଟ ଟାଇଟନ୍ସ । ବିଜୟ ପାଇଁ ଗୁଜରାଟ ଆଗରେ ୧୬୩ ରନର ଲକ୍ଷ୍ୟ ଥିବାବେଳେ ଏହି ଦଳ ତାହାକୁ ୧୯.୧ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।

ସମ୍ବନ୍ଧିତ ଖବର