କ୍ଲବ୍‌, ସ୍କୁଲ୍‌, କଲେଜଙ୍କୁ ଦିଆଗଲା ପୂର୍ଣ୍ଣ ସଦସ୍ୟତା

ଓସିଏ ନିର୍ବାଚନ ପାଇଁ ବାଟ ଫିଟିଲା, ପୂର୍ବତନ ନିର୍ବାଚନ ଆୟୁକ୍ତ ହେବେ ନିର୍ବାଚନ ଅଧିକାରୀ

କଟକ: ଦୀର୍ଘ ଦିନଧରି ଓସିଏ ସମ୍ବିଧାନକୁ ନେଇ ଦେଖାଦେଇଥିବା ବିବାଦୀୟ ସ୍ଥିତିର ଅନ୍ତ ଘଟିଛି। ଓସିଏ ତାହାର ସ˚ଶୋଧିତ ସମ୍ବିଧାନରେ ଶେଷରେ କ୍ଲବ୍‌, ସ୍କୁଲ୍‌ ଓ କଲେଜମାନଙ୍କୁ ପୂର୍ଣ୍ଣ ସଦସ୍ୟତା ଦେବାକୁ ବାଧ୍ୟ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ଏସ˚କ୍ରାନ୍ତରେ ବିବରଣୀ ଦାଖଲ ହେବା ପରେ ଓସିଏ ନିର୍ବାଚନ ପାଇଁ ବାଟ ଫିଟୁଥିବା କୁହାଯାଇଛି। ତଥାପି ଚଳିତ ବର୍ଷ ନିର୍ବାଚନ ସମ୍ଭାବନା ରହିଥିବା ଓସିଏ ପକ୍ଷରୁ କୁହାଯାଇଛି। ଗତ ୧୩ ତାରିଖରେ କଟକ ଆଇଜିଆର‌୍‌ରେ ପ˚ଜୀକୃତ ସମ୍ବିଧାନର ୧୬ଟି ଧାରାରେ ସ˚ଶୋଧନ କରାଯାଇ ବିସିସିଆଇକୁ ଜବାବ ପଠାଯାଇଛି। ବିଶେଷକରି ଧାରା ୩(ଏ)ରେ ୩୧ ଜିଲ୍ଲା ସହିତ ୨୦ କ୍ଲବ୍‌, ୫ କଲେଜ, ୧୦ ସ୍କୁଲ୍‌, କିଟ୍‌ ଓ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ସାମିଲ କରାଯାଇଛି। ଫଳରେ ଆଉ କାହାକୁ ଆସୋସିଏଟ୍‌ ସଦସ୍ୟତା ଦିଆଯାଇନାହିଁ। ଏହି ସ˚ଶୋଧିତ ସମ୍ବିଧାନରୁ ଧାରା ୩(ଏ)କୁ ସ˚ପୂର୍ଣ୍ଣ ରୂପେ ବାଦ୍‌ ଦିଆଯାଇଛି। ପୂର୍ବରୁ ଏହି ଧାରାରେ କିଟ୍‌, ରେଭେନ୍ସା, ପୂର୍ବତଟ ରେଳବାଇ, ପାରାଦୀପ ପୋର୍ଟ ଓ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟକୁ ଭୋଟ ଅଧିକାର ଦିଆଯାଇଥିଲା। ଉକ୍ତ ଅନୁଷ୍ଠାନଗୁଡ଼ିକରୁ ଜଣେ ଲେଖାଏଁ ପୂର୍ବତନ କ୍ରିକେଟର୍‌ କିମ୍ବା କ୍ରିକେଟ୍‌ରେ ରୁଚି ରଖୁଥିବା ବ୍ୟକ୍ତିଙ୍କୁ ସାଧାରଣ ପରିଷଦ ବୈଠକରେ ପ୍ରତିନିଧିତ୍ବ କରିବାକୁ ଅଧିକାର ଦିଆଯାଇଥିଲା। ଏବେ ଏହାକୁ ସ˚ପୂର୍ଣ୍ଣ ଉଚ୍ଛେଦ କରାଯାଇ ସମସ୍ତଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୋଟ ଦାନ ଅଧିକାର ଦିଆଯାଇଛି। ଏହାଛଡ଼ା ସମ୍ବିଧାନରେ ରାଜ୍ୟର ଉଭୟ ପୁରୁଷ ଓ ମହିଳା ବର୍ଗର ପୂର୍ବତନ ଆନ୍ତର୍ଜାତିକ ଖେଳାଳିମାନଙ୍କୁ ପୂର୍ଣ୍ଣ ସଦସ୍ୟତା ସହ ଭୋଟ ଅଧିକାର (ଧାରା ୩(ଏ)(ବି))ମଧ୍ୟ ମିଳିଛି। କିନ୍ତୁ ପ୍ରକ୍ସି ଭୋଟ ପାଇଁ ବାରଣ (ଧାରା ୫ (୨) କରାଯାଇଛି। ଅନ୍ୟୁନ ୪ ସପ୍ତାହ ପୂର୍ବରୁ ସାଧାରଣ ପରିଷଦ ବୈଠକ ଡକାଯାଇ ନିର୍ବାଚନ ବାବଦରେ ଘୋଷଣା କରାଯିବ। ବୈଠକରେ କେନ୍ଦ୍ର କିମ୍ବା ରାଜ୍ୟର ଜଣେ ପୂର୍ବତନ ନିର୍ବାଚନ ଆୟୁକ୍ତଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ (ଧାରା ୩୨(୧) ବୋଲି ସ˚ଶୋଧିତ ସମ୍ବିଧାନରେ ସ୍ପଷ୍ଟ କରାଯାଇଛି।

ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର୍‌ଙ୍କୁ ପୂର୍ଣ୍ଣ ସଦସ୍ୟତା ଓ ଭୋଟ ଅଧିକାର

ଗତ ଫେବ୍ରୁଆରି ୩ ତାରିଖରେ ବିସିସିଆଇକୁ ଦିଆଯାଇଥିବା ଚିଠିରେ କ୍ଲବ୍‌, ସ୍କୁଲ୍‌, କଲେଜମାନଙ୍କୁ ପୂର୍ଣ୍ଣ ସଦସ୍ୟତା ଦେବା ପାଇଁ ଓସିଏ ଆଗ୍ରହ ଦେଖାଇଥିଲା। ଏହା ଉପରେ ବିସିସିଆଇ ପ୍ରଶାସନିକ ସମିତି (ସିଓଏ) ଗତ ୮ ତାରିଖରେ ଜବାବ ଦେବା ସହ ପୂର୍ଣ୍ଣ ସଦସ୍ୟମାନଙ୍କୁ ସମ୍ବିଧାନରେ ସ୍ଥାନ ଦିଆଯାଇ ଆବଶ୍ୟକୀୟ ସ˚ଶୋଧନ ସହ ପ˚ଜୀକୃତ କରିବା ପାଇଁ ପରାମର୍ଶ ଦେଇଥିଲା। ତେବେ ‘ସାମାଜିକ କ୍ଲବ୍‌’ଗୁଡ଼ିକୁ ବାଦ୍‌ ଦେବା ପାଇଁ ସ୍ପଷ୍ଟ କରାଯାଇଥିଲା। ହେଲେ କିଏ ସାମାଜିକ ଓ କିଏ କ୍ରିକେଟ୍‌ କ୍ଲବ୍‌ ତାହାକୁ ବାଛିବା ଅପେକ୍ଷା ସମସ୍ତଙ୍କୁ ପୂର୍ଣ୍ଣ ସଦସ୍ୟତା ପ୍ରଦାନ କରାଯାଇଥିବା ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି। ତେବେ ପଞ୍ଜୀକୃତ ସମ୍ବିଧାନ ଦାଖଲ କଲାପରେ ଯେପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଆସିନାହିଁ, ସେପର୍ଯ୍ୟନ୍ତ ନିର୍ବାଚନ ହୋଇପାରିବନି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଆସିବା ପରେ ଓସିଏ ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ସମ୍ବିଧାନରୁ ସମସ୍ତ କ୍ଲବ୍‌, ସ୍କୁଲ୍‌, କଲେଜମାନଙ୍କୁ ପୂର୍ଣ୍ଣ ସଦସ୍ୟତାରୁ ବାଦ୍‌ ଦିଆଯାଇଥିଲା। ଏହାକୁ ନେଇ ସେତେବେଳେ ବିଦ୍ରୋହ ମୁଣ୍ତ ଟେକିଥିଲା ବେଳେ କେତେକ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ଏସ˚କ୍ରାନ୍ତରେ ଏବେ ମାମଲା ବିଚାରାଧୀନ ଥିବା ବେଳେ ଓସିଏ ସମସ୍ତଙ୍କୁ ପୂର୍ଣ୍ଣ ସଦସ୍ୟତା ପ୍ରଦାନ କରିଛି।

ସମ୍ବନ୍ଧିତ ଖବର