ସେମି ପୂର୍ବରୁ ଶେଷ ସ୍ପର୍ଶ: ଆଜି ଅନ୍ତିମ ଲିଗ୍‌ରେ ଭାରତ- ନେଦରଲାଣ୍ଡ୍‌ସ

ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରୁ ସୁରେଶ ସ୍ବାଇଁଙ୍କ ରିପୋର୍ଟ

‌‌ବେଙ୍ଗାଲୁରୁ: ଗ୍ରୁପ୍ ବିଜେତା ଭାବେ ସେମିଫାଇନାଲ୍ ପ୍ରବେଶ କରିସାରିଥିଲେ ମଧ୍ୟ ଭାରତୀୟ ଦଳ ଅନ୍ତିମ ଲିଗ୍ ମ୍ୟାଚ୍‌କୁ ହାଲକା ଭାବେ ନେବ ନାହିଁ। ଐତିହ୍ୟ ସମ୍ପନ୍ନ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ରବିବାର ଭାରତ ଖେଳିବ ୟୁରୋପର ନୂଆ ଉଦୀୟମାନ କ୍ରିକେଟ୍‌ ଶକ୍ତି ନେଦରଲାଣ୍ଡ୍‌ସ ସହିତ। ‘‘ଆମେ ଗୋଟିଏ ସମୟରେ ଗୋଟିଏ ମ୍ୟାଚ୍‌ କଥା ଚିନ୍ତା କରୁଛୁ। ଏବେଠାରୁ ସେମିଫାଇନାଲ୍ କଥା ଭାବୁ ନାହୁଁ। ପୂର୍ବ ମ୍ୟାଚ୍‌ ପରଠାରୁ ୬ ଦିନର ବିଶ୍ରାମ ମିଳିଥିବାରୁ ଖେଳାଳିଙ୍କୁ ବି ଅଧିକ ବିଶ୍ରାମର ଆବଶ୍ୟକତା ନାହିଁ। ଲୟକୁ ଜାରି ରଖି ସେମିଫାଇନାଲ୍ ଓ ସମ୍ଭାବ୍ୟ ଫାଇନାଲ୍‌ ଖେଳିବାକୁ ଆମେ ପ୍ରସ୍ତୁତ ହେଉଛୁ’’ ବୋଲି ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ମ୍ୟାଚ୍‌ ପୂର୍ବଦିନ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରି ଦେଇଛନ୍ତି। ଚୂଡାନ୍ତ ଏକାଦଶରେ ମଧ୍ୟ ଅଦଳବଦଳ ହେବ ନାହିଁ ବୋଲି ଆଭାସ ‌ଦେଇଛନ୍ତି। ଅପରାଜିତ ରାହୁଲ-ରୋହିତ ସେନା ୯ଟି ସହର ଭ୍ରମଣ କରିବା ପରେ ଏବେ ଶେଷ ଲିଗ୍ ମ୍ୟାଚ୍‌ ଖେଳିବାକୁ ଯାଉଛି। ଚାପ ନାହିଁ କି ଆଗକୁ ବଢ଼ିବା ଯୋଗ୍ୟତା ଅଙ୍କକୁ ନେଇ ହିସାବନିକାଶର ଚାପ ବି ନାହିଁ।

ବିନ୍ଦାସ୍‌ରେ ଶେଷ ଲିଗ୍‌ ଖେଳିବାକୁ ଏବେ ଭାରତୀୟ ଦଳ ପ୍ରସ୍ତୁତ ହୋଇଛି। ଭାରତ ୮ରୁ ୮ ବିଜୟ ସହ ଅପରାଜେୟ ଓ ଅପ୍ରତିଦ୍ବନ୍ଦ୍ବୀ ରହିଛି। ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ନେଦରଲାଣ୍ଡ୍‌ସ ଏକମାତ୍ର ଆଶ୍ଚର୍ଯ୍ୟ ଭାବେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲେ ମଧ୍ୟ ୮ରୁ ୨ ବିଜୟ ସହ ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନ‌ରେ ରହିଛି। ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ରେ କିଛି ହରାଇବାର ନାହିଁ। ଆଶ୍ବସ୍ତ ଭରା ଏହି ମୁକାବିଲା ବିଶ୍ବକପ୍‌ ମଞ୍ଚରେ ହେଉଥିବାରୁ ନିଶ୍ଚିତ ଏକ ରୋମାଞ୍ଚକ ଲଢ଼େଇର ପ୍ରତିଶ୍ରୁତି ରଖିଛି। ସୂର୍ଯ୍ୟକୁମାର ଯାଦବ, ଶୁବମନ ଗିଲ୍‌, ରବୀନ୍ଦ୍ର ଜାଡ଼େଜା ଗୋଟିଏ ଲେଖାଏଁ ବଡ଼ ପାଳି ଖେଳିପାରିଲେ ସେମିଫାଇନାଲ୍ ପୂର୍ବରୁ ନିଶ୍ଚିତ ଆତ୍ମବିଶ୍ବାସ ପାଇବେ। ଯାହା ସେମାନଙ୍କୁ ମିଳିପାରିନାହିଁ। ଭାରତୀୟ ବୋଲିଂ ୟୁନିଟ୍‌ କଥା ଚର୍ଚ୍ଚା ନକ‌ଲେ ଭଲ। ଛୋଟ ହେଉ କି ବଡ଼ ସ୍କୋର୍‌ ଭାରତୀୟ ବ୍ୟାଟର୍‌ ପ୍ରଥମ ୫ ମ୍ୟାଚ୍‌ ପଶ୍ଚାତଧାବନ କରି ଜିତାଇବା ପରେ ବୋଲରମାନେ ପରବର୍ତୀ ୩ଟିକୁ ଦେଇଥିବା ଲକ୍ଷ୍ୟକୁ ପୂରଣ କରାଇ ନ‌େଦଇ ଜିତାଇଛନ୍ତି। ଉଭୟ ପାଳି ସମୟରେ ଭାରତୀୟ ବୋଲର ପ୍ରଭାବୀ ପ୍ରଦର୍ଶନ କରି ଭାରତକୁ ଅପ୍ରତିଦ୍ବନ୍ଦ୍ବୀ କରାଇବା‌ରେ ବଡ଼ ଭୂମିକା ରଖିଛନ୍ତି।

ଏମ୍‌ ଚିନ୍ନ‌ାସ୍ବାମୀ ଷ୍ଟାଡିୟମ୍‌ରେ ରନ୍‌ ବର୍ଷା ଏକ ସାଧାରଣ କଥା ହୋଇଥିବାବେଳେ ରବିବାରର ଗୁରୁତ୍ବହୀନ ତଥା ଚାପମୁକ୍ତ ମୁକାବିଲାରେ ମଧ୍ୟ ଦର୍ଶକମାନେ ଚୌକା ଓ ଛକାରେ ଦୀପାବଳି ପାଳିବେ ବୋଲି ଆଶା ରଖିଛନ୍ତି। ଭାରତୀୟ ଦଳ ଏଠାରେ ଦୁଇ ଦିନ ହେବ ଜୋରଦାର ଅଭ୍ୟାସ କରିଥିବାବେ ବେଳେ ଶନିବାର ବିରାଟ କୋହଲି, କେଏଲ୍ ରାହୁଲ ଅଭ୍ୟାସକୁ ଆସି ନଥିଲେ। କିନ୍ତୁ ପ୍ରାୟ ଘଣ୍ଟାଏ କାଳ ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, ରୋହିତ ଶର୍ମା, ଶୁବମନ ଗିଲ୍ ନେଟ୍‌ସରେ ବ୍ୟାଟିଂ ଅଭ୍ୟାସ କରିଥିଲେ। ଷ୍ଟାଣ୍ଡ୍‌ରେ ଉପସ୍ଥିତ ଭାରତୀୟ ଦଳର ଏକ ନମ୍ବର ପ୍ରଶଂସକ ସୁଧୀର ଗୌତମ ଶଙ୍ଖ ଧ୍ବନି ଓ ତ୍ରିରଙ୍ଗା ଲହରାଇ ମଧ୍ୟ ଉତ୍ସାହିତ କରୁଥିଲେ।

ଭାରତୀୟ ଦଳ (ସମ୍ଭାବ୍ୟ ୧୧): ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ।

ନେଦରଲାଣ୍ଡ୍‌ସ ଦଳ (ସମ୍ଭାବ୍ୟ ୧୧): ସ୍କଟ୍ ଏଡୱାର୍ଡସ (ଅଧିନାୟକ), ୱେସଲି ବାରେସୀ, ଆର୍ଯ୍ୟନ ଦତ୍ତ, ମାକ୍ସ ଓ ଦାୱଦ, କଲିନ୍ ଆକରମାନ୍‌, ବାସ ଡି ଲିଡ୍‌, ଲୋଗାନ୍ ଭାନ ବିକ୍, ସାକିବ୍ ଜୁଲଫିକର, ସାଇବ୍ରାଣ୍ଡ୍‌ ଏଞ୍ଜେଲବ୍ରେଚ୍‌ଟ୍‌, ତେଜା ନିଦାମନୁରୁ, ଭଲ ଭାନ୍ ମିକରନ୍‌।

ଭାରତ ୨-୦ରେ ଆଗୁଆ
ଦିନିକିଆ କ୍ରିକେଟ୍‌ ଇତିହାସରେ ଭାରତ ଓ ନେଦରଲାଣ୍ଡ୍‌ସ କେବେ ହେଲେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିନାହାନ୍ତି। କେବଳ ବିଶ୍ବକପ୍‌ ମଇଦାନରେ ହୋଇଥିବା ଏସୀୟ-ୟୁରୋପୀୟ ଲଢ଼େଇରେ ଭାରତ ୨-୦ରେ ଆଗୁଆ ରହିଛି। ୨୦୦୩ ଦକ୍ଷିଣ ଆଫ୍ରିକା ସଂସ୍କରଣରେ ପ୍ରଥମ ଭେଟରେ ଭାରତକୁ ଏହି ନବାଗତ କ୍ରିକେଟ୍ ଦଳକୁ ମାତ୍ର ୨୦୪ ରନ୍‌ରେ ରୋକି ଦେଇଥିଲା। ସଚିନ ତେନ୍ଦୁଲକର (୫୨), ଦୀନେଶ ମୋଙ୍ଗିଆ (୪୨), ଯୁବରାଜ ସିଂହ (୩୭) ସମ୍ମାନ ରଖିଥିଲେ। ଟିମ୍ ଡି ଲିଡେ ୪ ୱିକେଟ୍ ଅକ୍ତିଆର କରି ଭାରତକୁ ଅଲ୍‌ ଆଉଟ୍‌ କରି ଦେଇଥିଲେ। ଜବାବରେ ଭାରତୀୟ ବୋଲର ମଧ୍ୟ ନେଦରଲାଣ୍ଡ୍‌ସକୁ ୧୩୬ ରନ୍‌ରେ ସଫା କରି ଦେଇଥିଲେ। ଦୁଇ କର୍ଣ୍ଣାଟକ କିଂବଦନ୍ତି ଜଭାଗାଲ ଶ୍ରୀନାଥ ଓ ଅନିଲ କୁମ୍ବଲେ ୪-୪ ୱିକେଟ୍ ଦଖଲ କରି ଭାରତକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ। ଦ୍ବିତୀୟ ତଥା ଶେଷ ଥର ପାଇଁ ୨୦୧୧ରେ ଏହି ଦୁଇ ଦେଶ ଖେଳିଥିଲେ ପୁଣି ବିଶ୍ବକପ୍‌ ମଇଦାନରେ। ନୂଆଦିଲ୍ଲୀରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଯୁବରାଜ ସିଂହଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ବଳରେ ୫ ୱିକେଟ୍‌ରେ ବିଜୟୀ ହୋଇ ଗ୍ରୁପ୍ ଟପ୍ପର ହୋଇଥିଲା। ଜାହିର ଖାନ୍ (୩/୨୨) ଓ ଆଶିଷ ନେହେରା (୧/୨୦) ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ପରେ ପୀୟୂଷ ଚାୱଲା ଓ ଯୁବରାଜ ସିଂହ ୨-୨ ୱିକେଟ୍ ନେବାରୁ ନେଦରଲାଣ୍ଡ୍‌ସ ୧୮୯ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ଜବାବରେ ଭାରତ ୯୯/୪ରେ ସଂଘର୍ଷ କରିଥିଲେ ମଧ୍ୟ ଯୁବରାଜ ସିଂହ (୫୧*) ଓ ମହେନ୍ଦ୍ର ସିଂହ ଧୋନି (୧୯*) ୧୩.୩ ଓଭର ପୂର୍ବରୁ ମ୍ୟାଚ୍ ଶେଷ କରିଥିଲେ।

କୋହଲିଙ୍କ ୫୦ ଶତକ ଆଶା
ଭାରତୀୟ ଦଳର ଜୟଯାତ୍ରା ଜାରି ରହିଥିବାବେଳେ ବିରାଟ କୋହଲିଙ୍କ ପାଇଁ ମଧ୍ୟ ବିଶ୍ବ କୀର୍ତ୍ତିମାନକୁ ଆଗୁଆ ଅର୍ଜନ କରିବାର ସୁବର୍ଣ୍ଣ ସୁଯୋଗ ରହିବ। ନିଜ ଦ୍ବିତୀୟ ଘର ଭାବେ ତାଙ୍କ ଆଇପିଏଲ୍‌ ସହରରେ ସେ ଯଦି ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକକୁ ଅତିକ୍ରମ କରି‌ପାରିବେ ଏହା ନିଶ୍ଚିତ ଆଉ ଏକ ବିଶେଷ ଅବସର ହେବ। ଠିକ୍ ସପ୍ତାହକ ତଳେ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦାୟିତ୍ବପୂର୍ଣ୍ଣ ପାଳି ଖେଳି ରେକର୍ଡ ସମକକ୍ଷ ୪୯ତମ ଶତକ ହାସଲ କରିଥିଲେ କୋହଲି। ଏବେ ସେମିଫାଇନାଲ୍ ପୂର୍ବରୁ ରେକର୍ଡ ଅବସୋସ ଶେଷ କରିଦେଲେ ନକ୍ ଆଉଟ୍ ବେଳକୁ ଏହାର ଅତିରିକ୍ତ ଚାପ ରହିବ ନାହିଁ। ବେଙ୍ଗାଲୁରୁ ଦର୍ଶକଙ୍କ ସମ୍ମୁଖରେ ଏହା ସେ କରିପାରିଲେ ତାଙ୍କ ପାଇଁ ଏହା ନିଶ୍ଚିତ ସ୍ମରଣୀୟ ହୋଇଯିବ। ପ୍ରଥମ ଥର ପାଇଁ ଏକ ଦିନିକିଆ ବିଶ୍ବକପ୍‌ରେ କୋହଲି ୫୦୦ ରନ୍‌ ଅତିକ୍ରମ କରିଛନ୍ତି। ୮ ପାଳିରୁ ୨ ଶତକ ସହ ୫୪୩ ରନ୍‌ କରିଛନ୍ତି। ପୂର୍ବରୁ ସେ ୨୦୧୧ରେ ୨୮୨ ରନ୍‌, ୨୦୧୫ରେ ୩୦୫ ରନ୍‌ ଏବଂ ୨୦୧୯ରେ ୪୪୩ ରନ୍‌ କରିଥିଲେ।

ଦୁଇ ରାହୁଲଙ୍କ ସହର, କୋହଲିଙ୍କ ଦ୍ବିତୀୟ ଘର
ଭାରତୀୟ ଦଳ ବେଙ୍ଗାଲୁରୁରେ ପହଞ୍ଚିବା ପରଠାରୁ ଏହା ସେମ‌ିଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିସାରିଛି। ମାସକ ଭିତରେ ୮ ଦିନିକିଆ ଖେଳିବାକୁ ୮ ସହର ବି ବୁଲିଛନ୍ତି। ନବମ ସହର ତଥା ଅନ୍ତିମ ଲିଗ୍ ମ୍ୟାଚ୍‌ ଏମିତି ଏକ ସହରରେ ହେଉଛି ଯେଉଁଠି କ୍ରିକେଟ୍‌ ସ୍ବତନ୍ତ୍ର ସ୍ଥାନ ବହନ କରିଥାଏ। ବେଙ୍ଗାଲୁରୁ କିନ୍ତୁ ବର୍ତ୍ତମାନର ଭାରତୀୟ ଦଳର ୩ ପ୍ରମୁଖ ବ୍ୟକ୍ତିଙ୍କ ହୃଦୟରେ ରହିଛି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ନିର୍ଭରଯୋଗ୍ୟ ୱିକେଟରକ୍ଷକ ବ୍ୟାଟର୍ ତଥା ଉପଅଧିନାୟକ କେଏଲ୍ ରାହୁଲଙ୍କ ସହର ହେଉଛି ବେଙ୍ଗାଲୁରୁ। ପୂର୍ବତନ ଅଧିନାୟକ କିଂବଦନ୍ତି ବିରାଟ କୋହଲି ଦିଲ୍ଲୀର ମୂଳ ଖେଳାଳି ହୋଇଥିଲେ ମଧ୍ୟ ବେଙ୍ଗାଲୁରୁ ତାଙ୍କ ପାଇଁ ଅାଧ୍ୟ‌ାତ୍ମିକ ତଥା ଆତ୍ମିୟତାର ନଗରୀ। କେବଳ ପତ୍ନୀ ଅନୁଷ୍କା ଶର୍ମାଙ୍କ ବଲିଉଡ୍‌ ଅଭ୍ୟୁଦୟର ପ୍ରାକ୍‌ସ୍ଥଳ ନୁହେଁ, କୋହଲିଙ୍କ ପାଇଁ ଏହା ଦ୍ବିତୀୟ ଘର ଭଳି। କାରଣ ଦେଢ଼ ଦଶନ୍ଧି ଧରି ସେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ (ଆର୍‌ସିବି) ପାଇଁ ଖେଳି ଆସିଛନ୍ତି ଏବଂ ଅଧିନ‌ାୟକତ୍ବ କରି  ଏହି ସହରକୁ ଦିଲ୍ଲୀଠାରୁ ବି ଅଧିକ ଭଲ ପାଇବାର କାରଣ ରଖିଛନ୍ତି। ରବିବାର ଦୀପାବଳିର ମାହୋଲ ଭିତରେ ଉପରୋକ୍ତ ୩ ଜଣଙ୍କ ପାଇଁ ଚିନ୍ନାସ୍ବାମୀରୁ କିଛି ବିଶେଷ ଆଶା କରିପାରିବା। ଶନିବାର ଅପରାହ୍ଣରେ ଷ୍ଟାଡିୟମ୍‌ରେ ଉପସ୍ଥିତ ହାତଗଣତି ପ୍ରଶଂସକ ମଧ୍ୟ ଏବେଠାରୁ ରାହୁଲ ରାହୁଲ ଚିତ୍କାର ଆରମ୍ଭ କରି ଦେଇଥିଲେ।

ସମ୍ବନ୍ଧିତ ଖବର