ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ବେସାହାରା ହେଲା ପରିବାର

ସମ୍ବଲପୁର: ସମ୍ବଲପୁର ଟାଉନ୍‌ ଥାନା ଅଧୀନ ରାମଜୀଗୁଡ଼ି ଗ୍ବାଲାପଡ଼ା ନିକଟରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାମଜୀଗୁଡ଼ି ପଡ଼ାର ସତ୍ୟନାରାୟଣ ବଗର୍ତ୍ତି(୨୮)। ପୂର୍ବ ରାତିରୁ ସେ ଘରେ ନଥିଲେ। ଶନିବାର ସକାଳେ ରାମଜୀଗୁଡ଼ି ନିକଟରୁ ବିଦ୍ୟୁତ୍‌ ତାର ନିକଟରୁ ତାଙ୍କର ମୃତଦେହ ମିଳିଥିଲା। ସତ୍ୟନାରାୟଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ମଧ୍ୟ ଲାଗିଥିଲା। କେହି କେହି ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା କହୁଥିବା ବେଳେ ଅନ୍ୟ କେତେକ ତାଙ୍କୁ ହତ୍ୟା କରାଯାଇଥିବା ସଂଦେହ କରୁଛନ୍ତି। ସୂଚନା ପାଇ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବୁର୍ଲା ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କହାଯାଇଛି।

ବେସାହାରା ହେଲା ପରିବାର
ସତ୍ୟନାରାୟଣ ବଗର୍ତ୍ତିଙ୍କର ଗୋଟିଏ ପୁଅ ଥିବା ବେଳେ ସ୍ତ୍ରୀ ଏବେ ଅସୁସ୍ଥ ଅଛନ୍ତି। ଦେହ ଅସୁସ୍ଥ ଥିବାରୁ ସେ ତାଙ୍କ ବାପଘରେ ଥିଲେ। ସତ୍ୟଙ୍କ ମୃତ୍ୟୁ ପରେ ପୂରା ପରିବାର ଏବେ ଅସହାୟ ହୋଇପଡ଼ିଛି। ସତ୍ୟଙ୍କ ମୃତ୍ୟୁ ଖବର ଶୁଣିବା ବେଳେ ତାଙ୍କ ସ୍ତ୍ରୀଙ୍କ ଦେହରେ ସାଲାଇନ୍‌ ଲାଗିଥିଲା। ସେ ତୁରନ୍ତ ସମ୍ବଲପୁର ପହଞ୍ଚିଥିଲେ। ହେଲେ ପୁଲିସ ସେତବେଳକୁ ସତ୍ୟଙ୍କୁ ବୁର୍ଲା ପଠାଇ ସାରିଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର