ନୂଆଦିଲ୍ଲୀ: ଏକାଧିକ ଥର ଗ୍ରାଣ୍ଡ୍ ସ୍ଲାମ ବିଜେତା ଭାରତୀୟ କିଂବଦନ୍ତି ଲିଆଣ୍ଡର୍ ପେସ୍ ନିଜ ଖେଳ ଜୀବନରେ ଆଉ ଏକ ନୂଆ ଫର୍ଦ ଯୋଡ଼ିଛନ୍ତି। ପ୍ରଥମ ଏସୀୟ ଭାବେ ମଙ୍ଗଳବାର ଲିଆଣ୍ଡର୍‌ ଅନ୍ତର୍ଜାତୀୟ ଟେନିସ୍‌ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବାକୁ ମନୋନୀତ ହୋଇ ନୂଆ ଇତିହାସ ରଚିଛନ୍ତି। ଅବଶ୍ୟ ପୁରୁଷ ବର୍ଗରେ ଲିଆଣ୍ଡର୍‌ ଏହି ଗୌରବ ପାଇଛନ୍ତି। ୨୦୧୯ରେ ପ୍ରଥମ ମହିଳା ଏସୀୟ ଭାବେ ଚୀନ୍‌ର ଲି ନା (ଅଷ୍ଟ୍ରେଲିଆନ୍‌ ଓ ‌ଫ୍ରେଞ୍ଚ୍ ଓପନ୍ ବିଜୟିନୀ) ଏହି ଗୌରବ ପାଇଥିଲେ। ୨୦୨୪ ପାଇଁ ଲିଆଣ୍ଡରଙ୍କ ସହ ସାରା ବ୍ଲାକ, ଆନା ଇଭାନୋଭିକ୍‌, କାର୍ଲୋସ ମୋୟା, ଡାନିଏଲ୍ ନେଷ୍ଟର୍‌ ଏବଂ ଫ୍ଲାବିଆ ପେନେଟାଙ୍କୁ ମନୋନୀତ କରାଯାଇଛି। ‘ପ୍ରଥମ ଏସୀୟ ପୁରୁଷ ଖେଳାଳି ଭାବେ ଅନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍‌ ଫେମରେ ସାମିଲ ହେବା ମୋ ପାଇଁ ଗୌରବର ବିଷୟ। ୩ ଦଶନ୍ଧି ଧରି କୋଟି କୋଟି ଭାରତୀୟଙ୍କୁ ଅଲିମ୍ପିକ୍ସ ଏବଂ ଡେଭିସ୍ କପ୍‌ରେ ପ୍ରତିନିଧିତ୍ବ କରିବାର ମୂଲ୍ୟ ଏବେ ମିଳିଥିବାରୁ ମୁଁ ଉଲ୍ଲସିତ’ ବୋଲି ୫୦ ବର୍ଷୀୟ ଲିଆଣ୍ଡର୍‌ ପ୍ରକାଶ କରିଛନ୍ତି।

Advertisment

୧୯୯୬ରେ ଭାରତ ପାଇଁ ଅଟଲାଣ୍ଟା ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିବା ଭାରତ ପାଇଁ ଏବେ ମଧ୍ୟ ଏକମାତ୍ର ହୋଇ ରହିଛି। ଏଟିପି ଡବଲ୍ସ ମାନ୍ୟତାରେ ଶୀର୍ଷ ୧୦ ଭିତରେ ୪୬୨ ସପ୍ତାହ ବିତାଇଥିବା ଲିଆଣ୍ଡର୍‌ ୩୭ ସପ୍ତାହ ମଧ୍ୟ ଶୀର୍ଷରେ ଥିଲେ। ଖେଳ ଜୀବନରେ ମୋଟ ୫୫ ଟାଇଟଲ୍ ଜିତିବା ତାଙ୍କ ସଫଳତାର କାହାଣୀ କୁହେ। ଏହା ମଧ୍ୟରେ ଗ୍ରାଣ୍ଡ୍‌ ସ୍ଲାମରେ ୮ ପୁରୁଷ ଯୁଗଳ ଏବଂ ୧୦ ମିଶ୍ରିତ ଯୁଗଳ ଟ୍ରଫି ରହିଛି। ଥରେ ମଧ୍ୟ ସେ କ୍ୟାରିୟର୍ ସ୍ଲାମ ଅର୍ଜନ କରିଥିଲେ।