ଆଇପିଏଲ : ବାଙ୍ଗାଲୋର୍‌କୁ ୬ ୱିକେଟରେ ପରାସ୍ତ କଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୫୪ତମ ମ୍ୟାଚରେ ବାଙ୍ଗାଲୋର୍‌କୁ ୬ ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ମୁମ୍ବାଇ ୨୦୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ମାତ୍ର ୧୬.୪ ଓଭରରେ ୪ ୱିକେଟ ହରାଇ ୨୦୦ ରନ୍‌ କରି ବିଜୟୀ ହୋଇଛି । ମୁମ୍ବାଇ ପକ୍ଷରୁ ଇଶାନ୍ କିଶାନ୍ ୪୨ ରନ୍‌ କରିଥିବା ବେଳେ ନେହଲ ୱାଡେରା ୫୨ ଓ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ୩୫ ବଲରେ ୮୫ ରନ୍‌ ବଳରେ ମୁମ୍ବାଇ ଦିଆଯାଇଥିବା ଟାର୍ଗେଟ ସହଜରେ ହାସଲ କରି ନେଇଥିଲା। ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ୱାନିନ୍ଦୁ ହାସରାଙ୍ଗା ଓ ବିଜୟକୁମାର ୨-୨ ଟି ୱିକେଟ ନେଇଥିଲେ । ଏହି ବିଜୟ ସହ ମୁମ୍ବାଇ ୧୨ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୩ୟରେ ରହିଛି ।

ପ୍ରଥମ ପାଳିରେ ମୁମ୍ବାଇ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋର ଦଳ ଆରମ୍ଭରୁ ନିଜର ତାରକା ବ୍ୟାଟର ବିରାଟ କୋହଲିଙ୍କୁ ହରାଇଥିଲା । ସେ ମାତ୍ର ୧ ରନ କରି ଆଉଟ ହୋଇଥିଲେ । କିନ୍ତୁ ଫାଫ୍ ଡୁପ୍ଲେ ସିସ୍ ଓ ଗ୍ଲେନ ମାକ୍ସଓ୍ବେଲ୍ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଡୁପ୍ଲେସିସ୍ ୬୫ ରନ କରିଥିବାବେଳେ ମାକ୍ସଓ୍ବେଲ ୬୮ରନ କରିଥିଲେ । ସେହିପରି ଦିନେଶ କାର୍ତ୍ତିକ ୩୦ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୯ ରନ କରିଥିଲା ।

ମୁମ୍ବାଇ ପକ୍ଷରୁ ଜାସନ ବେହେରେନଡ୍ରଫ୍ ୩ଟି ଓ୍ବିକେଟ୍ ନେଇଥିବାବେଳେ କ୍ରିସ ଜୋର୍ଡାନ, କାମେରନ ଗ୍ରୀନ ଓ କୁମାର କାର୍ତ୍ତିକେୟ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର