ସେହି ବର୍ଷ ଏହି ତାରିଖ: ମନେପଡ଼ିଲା ୧୯୮୩ ବିଶ୍ବକପ୍‌ ବିଜୟ

ନୂଆଦିଲ୍ଲୀ : ୩୮ ବର୍ଷ ତଳର ଆଜିର ତାରିଖକୁ ଶୁକ୍ରବାର ମନେ ପକାଇଛନ୍ତି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏବଂ ସଂଖ୍ୟାଧିକ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଦଳ। ଏହି ଦିନ କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍‌ ଦଳ ଜିତିଥିଲା ୧୯୮୩ ବିଶ୍ବକପ୍‌। ସେତେବେଳର ଦୁର୍ଦ୍ଦର୍ଷ ୱେଷ୍ଟଇଣ୍ଡିଜ୍‌ ଦଳ ତଥା ପୂର୍ବ ୨ ଥର ବିଜେତାକୁ ପରାସ୍ତ କରି ଭାରତ ବିଶ୍ବ ବିଜେତା ହେବାର ଇତିହାସ ରଚିଥିଲା। ‘‘୧୯୮୩ ମସିହାର ଏହି ତାରିଖ ଥିଲା ଭାରତୀୟ କ୍ରିକେଟ୍‌ ପାଇଁ ଐତିହାସିକ ଦିବସ। ଯେଉଁଦିନ କପିଳ ଦେବ ଭେଟିଦେଇଥିଲେ ଭାରତକୁ ବିଶ୍ବକପ୍ ଟ୍ରଫି’’ ବୋଲି ବିସିସିଆଇ ଟ୍ବିଟ୍‌ କରିଛି। ସେହିପରି ଆଇପିଏଲ୍‌ ଦଳଗୁଡ଼ିକ ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ରାଜସ୍ଥାନ ରୟାଲ୍‌ସ, ସନ୍‌ରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟ ଏହି ଐତିହାସିକ ଦିବସକୁ ମନେ ପକାଇଛନ୍ତି।

୧୯୮୩ ବିଶ୍ବକପ୍‌ ଫାଇନାଲ୍‌ ଜୁନ୍‌ ୨୫ ତାରିଖ ଦିନ ଇଂଲଣ୍ଡର ଐତିହାସିକ ଲର୍ଡସ ପଡ଼ିଆରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୮୩ ରନ୍‌ (୫୪.୫ ଓଭର)ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। କୃଷ୍ଣମାଚାରୀ ଶ୍ରୀକାନ୍ତ (୩୮) ସର୍ବାଧିକ ସ୍କୋରର୍‌ ଥିଲେ। ସେତେବେଳର ୱେଷ୍ଟଇଣ୍ଡିଜ୍‌ ଦଳର ଶକ୍ତି ଆଗରେ ଏହି ସ୍କୋର୍‌ ମାମୁଲି ବିବେଚନା କରାଯାଇଥିଲା। ତଥାପି ଚମତ୍କାର ବୋଲିଂ ଆକ୍ରଅଣ ଜରିଆରେ ସମସ୍ତଙ୍କୁ ଚକିତ କରି ଭାରତ ତା’ର ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀକୁ ୧୪୦ ରନ୍‌ରେ ଅଟକାଇ ଦେଇଥିଲା। ମହିନ୍ଦର ଅମରନାଥ ଓ ମଦନ ଲାଲ ବୋଲିଂରେ ଭାରତର ନାୟକ ସାଜିଥିଲେ। ଦୁହେଁ ୩ ଲେଖାଏଁ ୱିକେଟ୍‌ ଦଖଲ କରି ଭାରତକୁ ୪୩ ରନ୍‌ର ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର