ରାଜ୍ୟ ମହିଳା ହକି ଆରମ୍ଭ: ଭାଗନେଲେ ୮ ଦଳ

ସୁନ୍ଦରଗଡ଼ ସାଇକୁ ହରାଇଲା ଖୋର୍ଧା

ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଶୁକ୍ରବାରଠାରୁ ହକି ଓଡ଼ିଶା ଆୟୋଜିତ ‘ରାଜ୍ୟସ୍ତରୀୟ ମହିଳା ହକି ପ୍ରତିଯୋଗିତା’ ଆରମ୍ଭ ହୋଇଛି। ଲିଗ୍‌ ଭିତ୍ତିରେ ଖେଳାଯାଉଥିବା ଏହି ପ୍ରତିଯୋଗିତା ଆସନ୍ତା ୧୨ ତାରିଖ ଯାଏଁ ଚାଲିବ। ଏଥିରେ ମୋଟ ୮ ଟି ଦଳ (ପାନପୋଷ କ୍ରୀଡ଼ା ଛାତ୍ରାବାସ, ସୁନ୍ଦରଗଡ଼ ଜିଲ୍ଲା, ସମ୍ବଲପୁର, ଢେଙ୍କାନାଳ, ଖୋର୍ଧା, ସାଇ (ସୁନ୍ଦରଗଡ଼), ଓଡ଼ିଶା ପୁଲିସ ଓ କିସ୍‌) ଅଂଶଗ୍ରହଣ କରିଛନ୍ତି। ସୁନ୍ଦରଗଡ଼ ଓ ଢେଙ୍କାନାଳ ମଧ୍ୟରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍ ଏକତରଫା ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା ଦଳ ୧୬-୦ ଗୋଲ୍‌ରେ ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛି।ପ୍ରଥମ ଦିନର ଦ୍ବିତୀୟ ମ୍ୟାଚ୍‌ରେ ଖୋର୍ଧା ଜିଲ୍ଲା ଦଳ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୩-୨ ଗୋଲ୍‌ରେ ସାଇ (ସୁନ୍ଦରଗଡ଼)କୁ ପରାସ୍ତ କରିଥିବା ବେଳେ ତୃତୀୟ ମ୍ୟାଚ୍‌ରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ୧୮-୦ ଗୋଲ୍‌ରେ ସମ୍ବଲପୁରକୁ ଏବଂ ଚତୁର୍ଥ ମ୍ୟାଚ୍‌ରେ ଓଡ଼ିଶା ପୁଲିସ ଦଳ ୧୧-୦ରେ କିସ୍‌ (ଭୁବନେଶ୍ବର)କୁ ପରାସ୍ତ କରିଛି। ପ୍ରତିଯୋଗିତା ନିର୍ଦ୍ଦେଶକ ଅମୂଲ୍ୟାନନ୍ଦ ବିହାରୀଙ୍କ ନେତୃତ୍ବରେ ପରିଚାଳିତ ପ୍ରଥମ ଦିବସ ମ୍ୟାଚ୍‌ଗୁଡ଼ିକୁ ପ୍ରୟାସ ସୋନୀ, ଆକାଶ ତିର୍କି, ବର୍ଣ୍ଣାଡ ଲାକ୍ରା, ଆର୍‌ ଲାକ୍ରା, ଅନୀଲ କୁଲ୍ଲୁ ଏସ୍‌ କେର୍କେଟା ପରିଚାଳନା କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ୟେଦୁଲା ବିଜୟ, ହକି ଓଡ଼ିଶା ଯୁଗ୍ମ ସଂପାଦକ ପ୍ରଣବ ପଟ୍ଟନାୟକ, ଜିଲ୍ଲା ହକି ସଂଘ ଉପସଭାପତି ଭିକ୍ଟର କୁଜୁର, ସାଧାରଣ ସଂପାଦକ ସିଲଭେଷ୍ଟର ତିର୍କି, ଅନ୍ତର୍ଜାତୀୟ ଅମ୍ପାୟାର ନିଶାନ ଜ୍ୟୋତି ମହାନ୍ତି, ବିଶ୍ବରଂଜନ ଷଡ଼ଙ୍ଗୀ, ବରିଷ୍ଠ ପ୍ରଶିକ୍ଷକ ମିଲଟନ ବିଲୁଙ୍ଗ, ଫ୍ଲୋରେନ୍ସିଆ ଏକ୍କା, ପିଟର ସୋରେନ, ଲୁସିଲା ଏକ୍କା ଓ ସାଇ କୋଚ୍‌ ପ୍ରଦୀପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥି‌ଲେ।

ସମ୍ବନ୍ଧିତ ଖବର