ଭାରତ-ଶ୍ରୀଲଙ୍କା ଶୃଙ୍ଖଳା ପାଇଁ ବିସିସିଆଇ ପ୍ରସ୍ତୁତ

ନୂଆଦିଲ୍ଲୀ: ଯଦି ସରକାର ଅନୁମତି ଦିଅନ୍ତି, ତାହେଲେ ଜୁଲାଇରେ ଶ୍ରୀଲଙ୍କାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୬ ମ୍ୟାଚ ବିଶିଷ୍ଟ ସୀମିତ ଓଭର ଶୃଙ୍ଖଳା ଆୟୋଜନ ହୋଇପାରିବ। ତଥାପି ତାଲାବନ୍ଦ ଓ ଯାତାୟତ କଟକଣାରେ କୋହଳ ହେଲେ ଏବ˚ ସରକାରଙ୍କ ନିର୍ଦ୍ଦେଶ ମିଳିଲେ ହିଁ ଏହି ଶୃଙ୍ଖଳା ସମ୍ଭବ ହୋଇପାରିବ। ଏତତ୍‌ବ୍ୟତୀତ ଯଦି ଭାରତୀୟ ଦଳ ସଦସ୍ୟଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ ସହିତ କୌଣସି ସାଲିସ କରାନଯାଏ ତାହେଲେ ଶ୍ରୀଲଙ୍କା ଯିବାକୁ ବିସିସିଆଇର କୌଣସି ଆପତ୍ତି ରହିବନାହିଁ ବୋଲି କୋଷାଧ୍ୟକ୍ଷ ଅରୁଣ ଧୁମାଲ କହିଛନ୍ତି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ସଙ୍ଗରୋଧ ନିୟମ ପରିଧି ଭିତରେ ଏବ˚ ବିନା ଦର୍ଶକରେ ବିସିସିଆଇକୁ ୩ ଦିନିକିଆ ଓ ୩ ଟ୍ବେଣ୍ଟି-୨୦ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।

ତଥାପି ବିସିସିଆଇର ଏଭଳି ଉକ୍ତି ପରେ ପୁଣିଥରେ କ୍ରିକେଟ ଆରମ୍ଭ ହେବାର ଆଶା ସଞ୍ଚାର ହୋଇଛି। କିନ୍ତୁ ଭାରତୀୟ ଖେଳାଳିମାନେ ତାଲାବନ୍ଦ ସମୟରେ କୌଣସି ଅଭ୍ୟାସ କରିବା ଅପେକ୍ଷା ବର୍ତ୍ତମାନ କେବଳ ଶାରୀରିକ ଦକ୍ଷତା ବୃଦ୍ଧି ଦିଗରେ ଧ୍ୟାନ ଦେଉଛନ୍ତି। ତେଣୁ ବସିସିଆଇ ଏବେ ବି ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି। ସରକାରଙ୍କଠୁ ସବୁଜ ସଙ୍କେତ ମିଳିଲେ, ଖେଳାଳିମାନଙ୍କୁ ନେଇ ଶିବିରର ଆୟୋଜନ କରାଯିବାକୁ ବିସିସିଆଇ ସ୍ଥିର କରିଛି। ଅନ୍ୟପକ୍ଷରେ ଆନ୍ତର୍ଜାତିକ ଯାତାୟତ ଏବେ ବି ଆରମ୍ଭ ହୋଇପାରିନାହିଁ ଏବ˚ ଶ୍ରୀଲଙ୍କା ବୋର୍ଡର କୌଣସି ମିଡିଆ ଅଧିକାର ନାହିଁ। ତେଣୁ ଭାରତର ଶ୍ରୀଲଙ୍କା ଗସ୍ତ ନିଶ୍ଚିତ ହେଲେ ଏହି ବୋର୍ଡ ମ୍ୟାଚ୍‌ ପ୍ରସାରଣ ପାଇଁ ମିଡିଆ ଅଧିକାର ବାବଦରେ ପଦକ୍ଷେପ ନେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର