କେହିବି କୋହଲିଙ୍କ ପାଖାପାଖି ନାହାନ୍ତି, ସଚିନ୍‌ ଓ ସ୍ମିଥ୍‌ ବି ବହୁ ଦୂରରେ

ନୂଆଦିଲ୍ଲୀ: ସୀମିତ ଓଭର କ୍ରିକେଟରେ ପଶ୍ଚାତ୍‌ଧାବନ କୀର୍ତ୍ତିମାନ ଦୃଷ୍ଟିକୋଣରୁ ଦେଖିଲେ ସଚିନ ତେନ୍ଦୁଲକର ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କଠୁ ବିରାଟ କୋହଲି ଶ୍ରେଷ୍ଠ ବୋଲି ଇ˚ଲଣ୍ତର ପୂର୍ବତନ ଅଧିନାୟକ କେଭିନ୍‌ ପିଟରସନ୍‌ କହିଛନ୍ତି। ଜିମ୍ବାୱେ ଦ୍ରୁତ ବୋଲର ପୋମି ବାଙ୍ଗଵାଙ୍କ ସହିତ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ରେ ପିଟରସନ୍‌ ବାର୍ତ୍ତାଳାପ କରୁଥିବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି। ପୋମି ଯେତେବେଳେ କୋହଲି ଓ ସ୍ମିଥ୍‌ଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ କହିଥିଲେ, ଏହାର ଜବାବରେ ପିଟରସନ୍‌ କୋହଲିଙ୍କୁ ଅଧିକ ପ୍ରଶ˚ସା କରିଥିଲେ। ଚାପ ସମୟରେ କୋହଲି ଯେଉଁଭଳି ଭାବେ ସାହସ ଦେଖାଇଥାନ୍ତି ଓ ରନ୍‌କୁ ପିଛା କରି ଦଳକୁ ମ୍ୟାଚ୍‌ ଜିତାଇଥାନ୍ତି, ଏହାକୁ ଦେଖିଲେ ସ୍ମିଥ୍‌ ତାଙ୍କର ନିକଟତର ବି ହୋଇପାରିବେନି ବୋଲି ଏହି ଇ˚ଲଣ୍ତ ବ୍ୟାଟ୍ସମ୍ୟାନ ଜବାବ ଦେଇଥିଲେ। ସେହିପରି କୋହଲି ଓ ତେନ୍ଦୁଲକରଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ କୁହାଯାଇଥିଲା ବେଳେ ପିଟରସନ୍‌ ସେହି ସମାନ ଜବାବ ରଖିଥିଲେ। ଯେତୋଟି ମ୍ୟାଚରେ ସେ ପିଛା କରି ଦଳକୁ ଜିତାଇଛନ୍ତି, ସେହି ମ୍ୟାଚଗୁଡ଼ିକରେ ତାଙ୍କର ହାରାହାରି ରନ୍‌ ୮୦ରୁ ଅଧିକ ରହିଛି। ସେ ନିୟମିତ ଭାବେ ଭାରତକୁ ମ୍ୟାଚ୍‌ ଜିତାଇ ଆସୁଛନ୍ତି। ତେଣୁ ନିଜ ଦେଶ ପାଇଁ କେତେ ମ୍ୟାଚ୍‌ ଖେଳିଛ ଅପେକ୍ଷା କେତେ ମ୍ୟାଚ୍‌ ଜିତାଇଛ ତାହା ଗୁରୁତ୍ବ ରଖୁଥିବା ପିଟରସନ୍‌ କହିଥିଲେ। ନିକଟରେ କୋହଲି ଓ ସଚିନ୍‌ଙ୍କୁ ନେଇ ଅନେକ ତୁଳନାତ୍ମକ ଟିପ୍ପଣୀ ଦେଖିବାକୁ ମିଳିଛି। ଏପରିକି ସଚିନ୍‌ଙ୍କ କୀର୍ତ୍ତିମାନକୁ କୋହଲି ଭାଙ୍ଗିପାରିବେ ବୋଲି କୁହାଯାଉଛି। ସଚିନ୍‌ ତାଙ୍କ ଖେଳ ଜୀବନରେ ୧୦୦ ଆନ୍ତର୍ଜାତିକ ଶତକ ଅର୍ଜନ କରିଥିଲା ବେଳେ କୋହଲି ବର୍ତ୍ତମାନ ସୁଦ୍ଧା ୭୦ ଆନ୍ତର୍ଜାତିକ ଶତକ ହାସଲ କରିସାରିଲେଣି। ଏହା ବାଦ୍‌ ଆଇସିସି ଟେଷ୍ଟ ମାନ୍ୟତାରେ ବର୍ତ୍ତମାନ ଷ୍ଟିଭ୍‌ ସ୍ମିଥ୍‌ ଶୀର୍ଷରେ ଥିବାବେଳେ କୋହଲି ତାଙ୍କ ପଛକୁ ରହିଛନ୍ତି। କିନ୍ତୁ ଦିନିକିଆରେ କୋହଲି ପ୍ରଥମ ସ୍ଥାନରେ ରହିଥିଲା ବେଳେ ସ୍ମିଥ୍‌ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ବି ସ୍ଥାନ ପାଇପାରିନାହାନ୍ତି।

ସମ୍ବନ୍ଧିତ ଖବର