ବିଶ୍ବ ବିଜେତା ଚାର୍ଲଟନଙ୍କୁ ଶ୍ରଦ୍ଧାଞ୍ଜଳି

ମାଞ୍ଚେଷ୍ଟର: ବିଶ୍ବ ବିଜେତା ଇଂଲଣ୍ଡ ଓ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମହାନ ଫୁଟ୍‌ବଲର୍‌ ବବି ଚାର୍ଲଟନଙ୍କ ଶନିବାର ଦେହାନ୍ତ ହୋଇଛି। ଦୀର୍ଘ ୩ ବର୍ଷ ଧରି ଡିମେଣ୍ଟିଆରେ ପୀଡ଼ିତ ରହିବା ପରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ୧୯୬୬ ଫିଫା ବିଶ୍ବକପ୍‌ ବିଜେତା ଇଂଲଣ୍ଡ ଦଳର ସଦସ୍ୟ ଥିବା ଚାର୍ଲଟନ ନିଜର ୨୦ ବର୍ଷୀୟ ଖେଳ ଜୀବନରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ପକ୍ଷରୁ ୩ ଲିଗ୍‌ ମୁକୁଟ ଜିତିବାର ସୌଭାଗ୍ୟ ପାଇଥିଲେ। ମାଞ୍ଚେଷ୍ଟର ପକ୍ଷରୁ ସେ ୭୫୮ ମ୍ୟାଚ୍‌ ଖେଳି ୨୪୯ ଗୋଲ୍‌ ଦେଇଥିଲେ। ଇଂଲଣ୍ଡ ପାଇଁ ଏହି ମଧ୍ୟଭାଗ ଖେଳାଳି ୧୦୬ ମ୍ୟାଚ୍‌ ଖେଳି ୪୫ ଗୋଲ୍‌ କରିଥିଲେ। ତାଙ୍କ ଏହି କୀର୍ତ୍ତିମାନ ବହୁ ବର୍ଷ ଧରି ରହିଥି‌ଲା। ଏହି ‌କୀର୍ତ୍ତିମାନ ୨୦୦୮ରେ ରିୟାନ ଗିବ୍ସ ଏବଂ ୯ ବର୍ଷ ତଳେ ୱାନେ ରୁନି ଭାଙ୍ଗିଥି‌ଲେ।

୧୯୩୭ ଅକ୍ଟୋବର ୧୧ରେ ଜନ୍ମ ଗ୍ରହଣ କରିଥିବା ଚାର୍ଲଟନ ୧୯୫୩ରେ ସ୍କୁଲ୍‌ ଛାତ୍ର ଭାବେ ମା‌ଞ୍ଚେଷ୍ଟର ୟୁନାଇଟେଡ୍‌ରେ ଯୋଗ ଦେଇଥିଲେ। ୧୯୫୪ରୁ ୧୯୫୬ ମଧ୍ୟରେ ଲଗାତାର ୟୁନାଇଟେଡ୍‌କୁ ୩ ଥର ଏଫ୍‌ଏ ୟୁଥ କପ୍‌ ଜିତାଇବା ପରେ ସେ ତାରକା ଖେଳାଳି ହୋଇ ଯାଇଥିଲେ। ୧୯୭୩ ପର୍ଯ୍ୟନ୍ତ ୟୁନାଇଟେଡ୍‌ ସହ ରହିବା ପରେ ପ୍ରିଷ୍ଟନ ନର୍ଥ ଏଣ୍ଡରେ ୨ ବର୍ଷ ପର୍ଯ୍ୟନ୍ତ ଖେଳାଳି ପ୍ରବନ୍ଧକ ରହିଥିଲେ। ଇରିସ ଲିଗ୍‌ରେ ୱାର୍ଟରଫୋର୍ଡରେ କିଛି ଦିନ କାମ କରିବା ସହ ଅବସର ନେବା ପୂର୍ବରୁ ଅଷ୍ଟ୍ରେଲିଆର ୱି‌ଗାନ ଆଥ୍‌ଲେଟ୍‌ରେ ପରିଚାଳନା ପ୍ରବନ୍ଧକ ରହିଥିଲେ। ୧୯୮୪ରେ ୟୁନାଇଟେଡ୍‌ର ନିର୍ଦେଶକ ନିଯୁକ୍ତ ହୋଇଥିଲେ। ଚାର୍ଲଟନଙ୍କୁ ସମ୍ମାନ ଜଣାଇ ୟୁନାଇଟେଡ୍‌ ୨୦୧୬ରେ ଓଲ୍ଡ ଟ୍ରାଫୋର୍ଡର ଏକ ଷ୍ଟାଣ୍ଡ ତାଙ୍କ ନାମରେ ନାମିତ କରିଥିଲା। ୧୯୯୪ରେ ତାଙ୍କୁ ନାଇଟ୍‌ ଉପାଧୀ ମିଳିଥିଲା। ତାଙ୍କ ମୃତ୍ୟୁରେ ୱେଲ୍ସର ଯୁବରାଜ ୱଲିୟମ୍ସ, ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫିଫା, ଇଂଲଣ୍ଡ ଫୁଟ୍‌ବଲ୍‌, ମାଞ୍ଚେଷ୍ଟର ୟୁନାଇଟେଡ୍‌ ଏବଂ ବିଶ୍ବର ଅନେକ ପୂର୍ବତନ ଓ ଏବର ଖେଳାଳି ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର