ତୁମେ ଏ ଟ୍ରଫିର ଅସଲ ହକ୍‌ଦାର: ହାର୍ଦିକ ପାଣ୍ଡ୍ୟା

କେବଳ କଥା ନୁହେଁ, କାମରେ ମଧ୍ୟ କରି ଦେଖାନ୍ତି। ଏହି କଥାକୁ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ପୁଣି ଥରେ ପ୍ରମାଣିତ କରିଛନ୍ତି। ମଙ୍ଗଳବାର ନିଜେ ଜିତିଥିବା ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରତିଭାବାନ ଭାରତୀୟ ଯୁବ ବୋଲର ଟି ନଟରାଜନ୍‌ଙ୍କୁ ଉପହାର ଦେଇ ସେ ମଧ୍ୟ ସିଡ୍‌ନି ଦର୍ଶକଙ୍କ ମନ ଜିତି ନେଇଥିଲେ। ଭାରତ ଦ୍ବିତୀୟ ଟ୍ବେଣ୍ଟି-୨୦ ଜିତି ଶୃଙ୍ଖଳା ନିଜ ନାଁରେ କରିବା ପରେ ପାଣ୍ଡ୍ୟା ସେହି ମୁକାବିଲାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ତେବେ ଶାଣିତ ବୋଲିଂ କରିଥିବା ନଟରାଜନ ହିଁ ଏହି ମ୍ୟାଚ୍‌ର ପ୍ରକୃତ ଶ୍ରେଷ୍ଠ ଖେଳାଳି ଥିଲେ ବୋଲି ‌ ମ୍ୟାଚ୍ ପର ସାକ୍ଷାତକାରରେ କହିଥିଲେ ସେ। ମଙ୍ଗଳବାର ତାଙ୍କୁ ଯେତେବେଳେ ଶୃଙ୍ଖଳା ଶ୍ରେଷ୍ଠ ଟ୍ରଫି ମିଳିଲା, ଏହାକୁ ତୁରନ୍ତ ନଟରାଜନ୍‌ଙ୍କୁ ଦେଇ ପାଣ୍ଡ୍ୟା କେବଳ ତାଙ୍କ ମନୋବଳ ବଢ଼ାଇ ନଥି‌ଲେ, ନିଜେ କହିଥିବା କଥାର ସମ୍ମାନ ବି ରଖିଥିଲେ। ସୂଚନାଯୋଗ୍ୟ ଯେ ଅତ୍ୟନ୍ତ ଗରିବ ପରିବାରରୁ ଆ‌ସିଥିବା ୟର୍କର ବିଶେଷଜ୍ଞ ନଟରାଜନ୍‌ ଭାରତର ଚଳିତ ଗସ୍ତରେ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି। ନିଜ ମାପଚୁପ ବୋଲିଂ ପାଇଁ ସେ ମଧ୍ୟ ଅନେକ ପ୍ରଶଂସା ସାଉଣ୍ଟିଛନ୍ତି। ମାତ୍ର ଦୁଇ ମାସ ଭିତରେ ଭାରତର ଘରେ ଘରେ ପରିଚିତ ହୋଇସାରିଥିବା ନଟରାଜନ ପାଣ୍ଡ୍ୟାଙ୍କ ଏଭଳି ପ୍ରୟାସକୁ ନେଇ କୃତଜ୍ଞତା ଅର୍ପଣ କରିବା ସହ ଉଗ୍ର ଉତ୍ସବ ପାଳନ କରିବାର କଳା ତାଙ୍କୁ ଜଣାନାହିଁ ବୋଲି ନମ୍ରତାର ସହ କହିଥିଲେ।

ସମ୍ବନ୍ଧିତ ଖବର