ଏମିତି ବି ମୃତ୍ୟୁ ଆସେ – ଘଣ୍ଟାକ ଭିତରେ ଚାଲିଗଲା ଶ୍ବଶୁର- ଜ୍ବାଇଁଙ୍କ ଜୀବନ

ସମ୍ବଲପୁର: କେତେବେଳେ କାହାର ମୃତ୍ୟୁ ଘଟିବ କ‌େବେ କହି ହେବ ନାହିଁ। ଆଜି ପ୍ରାୟ ଘଣ୍ଟାଏ ବ୍ୟବଧାନରେ ଶ୍ବଶୁର ଆଉ ଜ୍ବାଇଁଙ୍କ ମୃତ୍ୟୁ ଘଟିଛି। ଏଭଳି ହୃଦୟ ବିଦାରକ ଘଟଣା ସମ୍ବଲପୁର ସହର ନୟାପଡ଼ା ଅଂଚଳରୁ ସାମ୍‌ନାକୁ ଆସିଛି।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସାଢ଼େ ୬ଟାରେ ନୟାପଡ଼ା ଅଂଚଳର ଧୋବିପଡ଼ାରେ ରହୁଥିବା ମହମ୍ମଦ ହସନ(୬୫)ଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କ ଘର ପାଖରେ ରହୁଥିବା ମହମ୍ମଦ ହସନଙ୍କ ଜ୍ବାଇଁ ମହମ୍ମଦ ମକ୍‌ବୁଲ୍‌ ହାୱାରି(୪୫) ତାଙ୍କୁ ଡାକ୍ତରଖାନା ନେବା ପାଇଁ ବାହାରି ଥିଲେ।

ଶ୍ବଶୁରଙ୍କ ଅବସ୍ଥା ମହମ୍ମଦ ମକ୍‌ବୁଲ ହୱାରିଙ୍କ ସ୍ବାସ୍ଥ୍ୟବସ୍ଥା ବି ବିଗିଡ଼ି ଯାଇଥିଲା। ସମ୍ଭବତଃ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ଉଭୟଙ୍କୁ ସ୍ଥାନୀୟ ଲୋକେ ଘର ପାଖରେ ଥିବା ଏକ ନର୍ସିଂହୋମ୍‌କୁ ନେଇଥିଲେ। ସେଠାରେ ମହମ୍ମଦ ହସନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏପଟେ ମହମ୍ମଦ ମକ୍‌ବୁଲ ହାଓ୍ବାରିଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ ହୋଇଯାଇଥିଲା। ତାଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ସେଠାରୁ ତୁରନ୍ତ ବରେଇପାଲିରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର, ସେଠାରେ ମହମ୍ମଦ ମକ୍‌ବୁଲ ହାଓ୍ବାରିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଉଭୟଙ୍କ ବିୟୋଗରେ ନୟାପଡ଼ା ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର