୧୬୦ ଜନଜାତିଙ୍କୁ ଆଦିବାସୀ ମାନ୍ୟତା ଦେଉନି କେନ୍ଦ୍ର

ବିଜେଡିର ପ୍ରତିବାଦ, ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ସୁନ୍ଦରଗଡ଼: ଓଡ଼ିଶାର ୧୬୦ରୁ ଅଧିକ ଜନଜାତିଙ୍କୁ ଆଦିବାସୀ ମାନ୍ୟତା ଦେବାରେ କେନ୍ଦ୍ର ସରକାର ଐତିହାସିକ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି।  ଯେଉଁମାନେ ଛତିଶଗଡ଼, ଝାରଖଣ୍ଡରେ ଆଦିବାସୀ, ସେମାନେ ଓଡ଼ିଶାରେ ଅଣଆଦିବାସୀ କୁହାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖିବା ସହ ଆବଶ୍ୟକ ପ୍ରମାଣ ବା ଦସ୍ତାବିଜ ସହ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇଥିଲେ ମଧ୍ୟ କେନ୍ଦ୍ର ଏହାକୁ ଅଣଦେଖା କରିଚାଲିଛି। ଆଉ ରାଜ୍ୟ କୌଣସି ପ୍ରସ୍ତାବ ଦେଇ ନଥିବା ନେଇ ମିଥ୍ୟା ଆରୋପ ଲଗାଇଛି। ଏହି ଅଭିଯୋଗ ମଧ୍ୟରେ ଜନଜାତିଙ୍କୁ ଆଦିବାସୀ ମାନ୍ୟତା ଦାବିରେ ସୁନ୍ଦରଗଡ଼ ବିଜେଡି ସ୍ଥାନୀୟ ଡିଆରଡିଏ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି।

ଜିଲ୍ଲା ବିଜେଡି ସଭାପତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣସମ୍ପାଦକ ଯୋଗେଶ କୁମାର ସିଂ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ, ଉପନଗରପାଳ ଲଲାଟେନ୍ଦୁ ପରିଡ଼ା, ଜିଲ୍ଲାପରିଷଦ ସଭାପତି କୁନ୍ତି ପ୍ରଧାନ, ଯୁବନେତା ସହବାଜ ହୁସେନ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ଜୟନାରାୟଣ ତ୍ରିପାଠୀ, ଜିଲ୍ଲା ପରିଷଦ ଉପସଭାପତି କମଳ ଲାକ୍ରା,  ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ସୁଶୀଳା ଟପ୍ନୋ, ପୌରପାରିଷଦ ସୁମନ୍ତ ସାହୁ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ। ବିଶେଷ କରି ରାଜ୍ୟର କନ୍ଧକୁମ୍ଭାର, ଝୋଡ଼ିଆ, ଯୋଡ଼ିଆ, ଯାଡ଼ିଆ, ଚକୁଟିଆ ଭୁଞ୍ଜିଆ, ସାଅରା, ମାଙ୍କଡ଼ିଆ, ପୋରଜା, ବାରେଙ୍ଗ ଝୋଡ଼ିଆ ପରୋଜା, ପେଙ୍ଗା ପରୋଜା, ଲେଙ୍ଗୁ ପରୋଜା, ସେଲିଆ ପରୋଜା, ବଣ୍ଡା ପରଜା, ବୋଣ୍ଡା ପରୋଜା, ଦୁରୁଆ, ପହରିଆ, ତମୋଡ଼ିଆ ଭୂମିଜ, ତାମାଡ଼ିଆ ଭୂମିଜ, ତାମୁଣ୍ଡିଆ ଭୂମିଜ, ତାମୁଲିଆ ଭୂମିଜ, ତାମୁଡ଼ିଆ ଭୂମିଜ, ତାନିଆ ଗଉଡ଼, ଦୋରା, ଅଣ୍ଟି, ଦୋରା, ଏଣ୍ଟିଦୋରା, ସାଅରା, କୁଇ, କଉର, ରାଜୁଅଲ, ରାଜୁଅଡ, କୋଣ୍ଡାରେଡ୍ଡୀ, କୋଣ୍ଡା ରେଡ୍ଡି, ପୁଟିୟା, ପୁଟିଆ, ଦୁଲ୍ଲାଦୁଲ୍ଲିଆ, ପୁଟିୟା ପାଇକ, ଦୁଲିଆ ପାଇକ, ଧୁଲିଆ ପାଇକ, କଲଙ୍ଗା, ତାମାଡିଆ, ତାମୁଡ଼ିଆ, ଭଗତ, ଭୁକ୍ତା, ଭୋଗତା, ନାକାସିଆ, ଭଂଜପୁରାନ ଆଦି ଜନଜାତିଙ୍କୁ  ଆଦିବାସୀ ମାନ୍ୟତା ଦେବାକୁ ଓଡ଼ିଶା ସରକାର ବହୁବାର ପ୍ରସ୍ତାବ ଦେଇଛନ୍ତି।

କିନ୍ତୁ କେନ୍ଦ୍ର ଶୁଣୁ ନଥିବା ବିଜେଡି ନେତାମାନେ ଅଭିଯୋଗ କରିଥିଲେ। ବିକ୍ଷୋଭରେ ଜିଲ୍ଲା ପରିଷଦ ସଭ୍ୟା ଜଲନୀ କେର୍କେଟା, ମନୋଜ ବରୁଆ,  ସୁନୀଳ ମହାପାତ୍ର, ପଞ୍ଚା ବାର୍ଲା, ଗୌରାଙ୍ଗ ଧଳଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତାପ ଓ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର