‘ଜ୍ବର ଓ ଝାଡ଼ାବାନ୍ତି’ର ଶିକାର ହେଲେ ୧୨ ଛାତ୍ରଛାତ୍ରୀ, ସଠିକ୍‌ ଯତ୍ନ ନିଆଯାଉନି କହିଲେ ଅଭିଭାବକ

ଖଜୁରୀପଡ଼ା: ଖଜୁରୀପଡା ବ୍ଲକ ପିରିକୁଡି ପଞ୍ଚାୟତରେ ପିରିକୁଡି ହାଇସ୍କୁଲର ୧୨ ଛାତ୍ରଛାତ୍ରୀ  ଝାଡାବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଫୁଲବାଣୀ ଠାରେ ଚିକିତ୍ସିତ ହେଉଥିବା ଛାତ୍ରଛାତ୍ରୀ ହେଲେ ହ‌‌ଷ୍ଟେଲରେ ରହୁଥିବା ସନ୍ଧ୍ୟାରାଣୀ କହଁର, ରୂପାଲି କହଁର, ଶ୍ରଦ୍ଧାଞ୍ଜଳି କହଁର, ଅମନ ସେଠି, ଝିଲି କହଁର, ସାନ୍‌ଭି ପ୍ରଧାନ, ଦେବରାଜ କହଁର, ରାମାୟଣ କହଁର, କାଜଲ ଜାନୀ, ପ୍ରଜ୍ଞା ବେହେରା, କାମରାଜୁ କହଁର ଓ ମାସ ଦିଗlଲ। ଚିକିତ୍ସା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେସେମାନଙ୍କୁ ସ୍କୁଲକୁ ଛାଡି ଦିଆଯାଇଥିବା ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଗତ ତିନିଦିନ ତଳେ ଏହି ଛାତ୍ରଛାତ୍ରୀ ଅସୁସ୍ଥତା ଅନୁଭବ କରିଥିଲେ। ଖବର ପାଇ ଖଜୁରୀପଡାରୁ ଏକ ଡାକ୍ତରୀ ଟିମ ହାଇସ୍କୁଲରେ ପହଞ୍ଚି  ସେମାନଙ୍କୁ ତୁରନ୍ତ ଚିକିତ୍ସା କରିଥିଲେ। କିନ୍ତୁ ଛାତ୍ରଛାତ୍ରୀଙ୍କ ଚିକିତ୍ସାରେ ସୁଧାର ନ ଆସିବାରୁ ଅଧିକ ଚିକିତ୍ସା ନିମନ୍ତେ ଆଜି ଆମ୍ବୁଲାନ୍ସ ଯୋଗେ ପ୍ରଧାନଶିକ୍ଷକ ପବିତ୍ର ମୋହନ ଦାସ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ସେମାନଙ୍କୁ ହଷ୍ଟେଲକୁ ଫେରାଇ ନିଆଯାଇଥିବା ଜଣାପଡ଼ିଛି। ତେବେ ବିଦ୍ୟାଳୟରେ ପିଲାଙ୍କ ସ୍ବାସ୍ଥ୍ୟର ସଠିକ୍‌ ଯତ୍ନ ନିଆଯାଉ ନଥିବାରୁ ଏଭଳି ଅନ୍ତେବାସୀ ଏଭଳି ଜ୍ବର ଓ ଝାଡ଼ାବାନ୍ତି ଭଳି ରୋଗର ଶିକାର ହେଉଛନ୍ତି ବୋଲି ଅଭିଭାବକଙ୍କ କକ୍ଷରୁ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର