ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ନିର୍ମାଣ ହେବ ୧୨୮୦ ଚେକ୍‌ ଡ୍ୟାମ୍

ଭୁବନେଶ୍ବର: ଯେଉଁ ବ୍ଲକରେ ୩୫%ରୁ କମ୍‌ ଜମିକୁ ଜଳସେଚନ ସୁବିଧା ଅଛି ସେଠାରେ ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା’ରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୮୧୧.୪୫କୋଟି ବ୍ୟୟରେ ୧୨୮୦ଟି ଚେକ୍ ଡ୍ୟାମ୍ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ଯେଉଁ ‌େଚକ୍‌ ଡ୍ୟାମ୍‌ଗୁଡ଼ିକ ଭାଙ୍ଗିଯାଇଛି ସେଗୁଡ଼ିକର ମରାମତି କରାଯିବ। ୨୦୯୨ଟି ଚେକ୍‌ ଡ୍ୟାମ୍ ଉନ୍ନତୀକରଣ ପାଇଁ ୧୫୭.୫୮କୋଟି ଟଙ୍କା ଖର୍ଚ୍ଚ ହେବ। ଏହିପରି ଚେକ୍ ଡ୍ୟାମ୍ ନିର୍ମାଣ ଓ ଉନ୍ନତୀକରଣ ପାଇଁ ମୋଟ୍ ୯୬୯କୋଟି ୩ଲକ୍ଷ ଖର୍ଚ୍ଚ କରିବାକୁ ଜଳସମ୍ପଦ ବିଭାଗ ଯୋଜନା କରିଛି।
ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଚେକ୍‌ ଡ୍ୟାମ୍ ଗୁଡ଼ିକ ଚାଷୀଙ୍କୁ ଖରିଫ ଋତୁରେ ଜମିକୁ ପାଣି ଯୋଗାଣ, ମୌସୁମୀ ପରବର୍ତ୍ତୀ ସମୟରେ ଲୋକଙ୍କୁ ପିଇବା ପାଣି, ଭୂତଳ ଜଳସ୍ତର ବୃଦ୍ଧି କରିବା ପାଇଁ ବ୍ୟବହାର କରାଯିବ। ୧୨୮୦ଟି ନୂଆ ଚେକ୍ ଡ୍ୟାମ୍ ନିର୍ମାଣ ଦ୍ବାରା ୨୭୬୦୦ ହେକ୍ଟର ଜମିକୁ ଏବଂ ୨୦୯୨ଟି ଚେକ୍‌ ଡ୍ୟାମ୍ ଉନ୍ନତୀକରଣ ଦ୍ବାରା ୩୦୧୧୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ।

ସମ୍ବନ୍ଧିତ ଖବର