ବନ୍ଦ ହେଇଗଲା ୨୦୦ ସ୍କୁଲ: କମୁଛି ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା

ୟୁପି ଓ ମାଧ୍ୟମିକ ବିଦ୍ୟାଳୟ ବଢ଼ୁଛି

ଅନୁଗୁଳ: ସରକାରୀ ସ୍କୁଲରେ ପଢ଼ିବାକୁ ପିଲା ଆଗ୍ରହ ଦେଖାଉନାହାନ୍ତି। ଏପଟେ ଗ୍ରାମାଞ୍ଚଳରେ ବି ଆଗଭଳି ପିଲାଙ୍କ ଉପସ୍ଥାନ ନାହିଁ। ତେଣୁ ସହରାଞ୍ଚଳରେ ଗୋଟିଏ ପରେ ଗୋଟିଏ ସରକାରୀ ସ୍କୁଲ ବନ୍ଦ ହୋଇଗଲାଣି। ଏମିତି ଗତ ୧୩ ବର୍ଷ ଭିତ‌ରେ ଅନୁଗୁଳ ଜିଲ୍ଲାରେ ୨ଶହରୁ ଅଧିକ ବିଦ୍ୟାଳୟ ବନ୍ଦ ହୋଇଛି। ବନ୍ଦ ହୋଇଥିବା ବିଦ୍ୟାଳୟ ତାଲିକାରେ କେବଳ ପ୍ରାଥମିକ ବିଦ୍ୟାଳୟ ରହିଥିଲାବେଳେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସଂଖ୍ୟା ବଢ଼ିଛି।

ସରକାରୀ ତଥ୍ୟ ଅନୁସାରେ ୨୦୧୦ ବେଳକୁ ଅନୁଗୁଳ ଜିଲ୍ଲାରେ ୯୮୬ଟି ପ୍ରାଥମିକ ବିଦ୍ୟାଳୟ ରହିଥିଲା। ଜିଲ୍ଲାର ପ୍ରାୟ ପ୍ରତି ଗାଁରେ ଏହି ବିଦ୍ୟାଳୟ ରହିଥିଲାବେଳେ ପିଲାମାନେ ସୁବିଧାରେ ପାଠ ପଢ଼ି ପାରୁଥିଲେ। ଏପରିକି ପଡ଼ା ଗାଁରେ ବି ବିଦ୍ୟାଳୟ ରହିଥିଲା। କିନ୍ତୁ ବିଦ୍ୟାଳୟ ମିଶ୍ରଣ ଯୋଜନା ପରେ ଏହି ବିଦ୍ୟାଳୟ ସଂଖ୍ୟା କମିଯାଇଛି। ଯେଉଁ ବିଦ୍ୟାଳୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ରହୁଛନ୍ତି ତା’କୁ ସରକାର ପାଖ ବିଦ୍ୟାଳୟରେ ମିଶାଇ ଦେଉଛନ୍ତି। ଅଯଥାରେ ବିଦ୍ୟାଳୟ ନ ବଢ଼ାଇ ବଡ଼ ବିଦ୍ୟାଳୟରେ ଭିତ୍ତିଭୂମିକୁ ମଜଭୁତ କରାଯାଉଛି। ଏହି କ୍ରମରେ ଛୋଟ ଗାଁ ଓ ପଡ଼ାରେ ରହିଥିବା ଗୋଟିଏ ପରେ ଗୋଟିଏ ବିଦ୍ୟାଳୟ ବନ୍ଦ ହେବାରେ ଲାଗିଛି। ସହରାଞ୍ଚଳରେ ମଧ୍ୟ ରହିଥିବା ପାଖାପାଖି ବିଦ୍ୟାଳୟରେ ତାଲା ପଡ଼ୁଛି। ଏମିତି ଭାବେ ଅନୁଗୁଳ ଜିଲ୍ଲାରେ ଏ ଭିତରେ ୨ଶହରୁ ଅଧିକ ବିଦ୍ୟାଳୟ ବନ୍ଦ ହୋଇଗଲାଣି। ଆଉ ଜିଲ୍ଲାରେ ଏବେ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୭୬୫ରେ ଆସି ପହଞ୍ଚିଛି।

ଗୋଟିଏ ପଟେ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା କମୁଥିଲାବେଳେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଅଧିକ ଖୋଲୁଛି। ୨୦୧୦ ପରେ ଅନୁଗୁଳ ଜିଲ୍ଲାରେ ୮୫ଟି ନୂଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିଛି। ଏବେ ୬୫୯ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସେହିପରି ଏ ଭିତରେ ୬ଟି ନୂଆ ମାଧ୍ୟମିକ ବିଦ୍ୟାଳୟ ଖୋଲା ହୋଇଛି। ୨୦୧୦ ବେଳକୁ ଜିଲ୍ଲାରେ ୨୬୩ଟି ମାଧ୍ୟମିକ ବିଦ୍ୟାଳୟ ରହିଥିଲାବେଳେ ଏବେ ଏହି ସଂଖ୍ୟା ୨୬୯ରେ ପହଞ୍ଚିଛି। ଆଉ ସବୁଠାରୁ ବଡ଼ କଥା ହେଲା ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆଗରୁ ୫୬ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପିଲାମାନେ ପଢ଼ୁଥିଲାବେଳେ ଏବେ ୭୬ଟି ବିଦ୍ୟାଳୟରେ ପାଠପଢ଼ା ଚାଲିଛି। ଅବଶ୍ୟ ପାଠପଢ଼ା ହେଉଥିବା ସବୁ ବିଦ୍ୟାଳୟ ସରକାରୀ କିମ୍ବା ଅନୁଦାନପ୍ରାପ୍ତ ନୁହେଁ। କେବଳ ସରକାରୀ ବିଦ୍ୟାଳୟକୁ ହିସାବକୁ ନେଲେ ଏହି ସଂଖ୍ୟା ଆହୁରି ତଳକୁ ଖସିଯିବ।

ସହରାଞ୍ଚଳରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପ୍ରତି ଆଗ୍ରହ କମୁଥିଲାବେଳେ ଗାଁ ଗଣ୍ଡାରେ ବି ଏବେ ଘରୋଇ ବିଦ୍ୟାଳୟ ଛତୁ ଫୁଟିବା ପରି ଖୋଲୁଛି। ତେଣୁ ଆଗାମୀ ଦିନରେ ଆଉ କିଛି ବନ୍ଦ ହେବାର ଆଶଙ୍କା ବି ଦେଖାଦେଲାଣି। ଏବେ ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟରେ ୬୩,୨୦୦ ଜଣ ଛାତ୍ରଛାତ୍ରୀ ପଢ଼ୁଥିଲାବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୮ ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବର୍ଷକୁ ବର୍ଷ କମୁଥିବାରୁ ଏହା ସରକାରୀ ଶିକ୍ଷା ବ୍ୟବସ୍ଥାର ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର