୧୪ ଜିଲ୍ଲାରେ ୩୨ ନୂଆ ଶିଳ୍ପ, ୬୯୯୨ କୋଟି ଟଙ୍କାର ନିବେଶ

ଉଦ୍‌ଘାଟନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ପୁରୀରେ ହୟାତ ରିଜେନ୍‌ସି ହୋଟେଲ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୨ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ରାଜ୍ୟର ୧୪ଟି ଜିଲ୍ଲାରେ ଏହି ଶିଳ୍ପଗୁଡ଼ିକ ସ୍ଥାପିତ ହେଉଛି। ସେସବୁ ଜିଲ୍ଲା ହେଲା- ବଲାଙ୍ଗୀର, ବୌଦ୍ଧ, କଟକ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼। ଏହି ପ୍ରକଳ୍ପଗୁଡ଼ିକରେ ୬୯୯୨.୯୪ କୋଟି ଟଙ୍କା ନିବେଶ ହେବ ଏବଂ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୨୪,୫୦୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସବୁଜ ଶକ୍ତି ଉପକରଣ ଉତ୍ପାଦନ, ବୟନ ଓ ପର୍ଯ୍ୟଟନ ଭଳି ନୂଆ ପିଢ଼ି ଓ ନିଯୁକ୍ତିଭିତ୍ତିକ କ୍ଷେତ୍ର ସାମିଲ ହେବା ଦ୍ବାରା ଶିଳ୍ପ ପୋର୍ଟଫୋଲିଓର ବିସ୍ତାର ହୋଇଛି। ସହଜ ବ୍ୟବସାୟ ବାତାବରଣରେ ନିରନ୍ତର ଉନ୍ନତି, ବ୍ୟବସାୟ ଅନୁକୂଳ ପରିବେଶ, ବିଶ୍ବସ୍ତରୀୟ ଶିଳ୍ପ ଭିତ୍ତିଭୂମି ଓ ଦକ୍ଷ ମାନବ ସମ୍ବଳ ଆଦି ଓଡ଼ିଶାରେ ନିବେଶକୁ ଆକୃଷ୍ଟ କରିବାରେ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ୧୪ ଜିଲ୍ଲାରେ ଶିଳ୍ପ ସ୍ଥାପନ ହେଉଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଭାସ୍କର ଷ୍ଟିଲ୍ ଆଣ୍ଡ୍ ଫେରୋ ଆଲଏଜ୍ ୨୯୭.୯୦ କୋଟି ଟଙ୍କା ନିବେଶରେ ଏହାର କାରଖାନାର ସମ୍ପ୍ରସାରଣ କରିଛି। ମାଶ ବାୟୋଫୁଏଲ୍‌ସ ୨୯୯.୦୫ କୋଟି ଟଙ୍କା ନିବେଶରେ ଏକ ଶସ୍ୟଭିତ୍ତିକ ଇଥାନଲ୍‌ କାରଖାନା ସ୍ଥାପନ କରିଛି। ଚଲାହ ଇନଫ୍ରାଟେକ୍‌ ୯୯.୮୦ କୋଟି ଟଙ୍କା ନିବେଶରେ ଲଜିଷ୍ଟିକ୍‌ ପାର୍କ ସ୍ଥାପନ କରିଥିବା ବେଳେ ଆଦିତ୍ୟ ବିର୍ଲା ରିମ୍ୟୁଏବଲ୍‌ସ ୮୯.୪୪ କୋଟି ଟଙ୍କା ନିବେଶରେ ଏକ ୧୮.୭୫ ମେଗାୱାଟ ବିଶିଷ୍ଟ ସୋଲାର ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିଛି। ଏବିଆଇଏସ୍‌ ଏକ୍ସପୋର୍ଟସ୍‌ ଇଣ୍ଡିଆ ୬୬.୩୩ କୋଟି ଟଙ୍କା ନିବେଶରେ ଏକ ମେକାନାଇଜଡ୍ ହାଚେରି ସ୍ଥାପନ କରିଥିବା ବେଳେ ଏନ୍‌କେ ଆନନ୍ଦ ଫୁଟ୍‌ଓୟାର୍ସ ୬୨.୪୪ କୋଟି ଟଙ୍କା ନିବେଶରେ ଏକ ଜୋତା ତିଆରି କାରଖାନା ସ୍ଥାପନ କରିଛି। ସିଗ୍‌ମା ଟ୍ୟୁବ୍‌ସ ଆଣ୍ଡ୍ ପାଇପ୍ସ ୫୧.୯୯ କୋଟି ଟଙ୍କା ନିବେଶରେ ଏକ ଟ୍ୟୁବ୍ ଓ ପାଇପ୍ ଉତ୍ପାଦନ କାରଖାନା ସ୍ଥାପନ କରିଥିବା ବେଳେ ମେଫେୟାର ହୋଟେଲ୍‌ସ ୪୯.୫୦ କୋଟି ଟଙ୍କା ନିବେଶରେ ଏକ କନ୍‌ଭେନ୍‌ସନ୍ ସେଣ୍ଟର ସ୍ଥାପନ କରିଛି। ସାଇଜର ଏଣ୍ଟରପ୍ରାଇଜ୍ ୨୮.୩୧ କୋଟି ଟଙ୍କା ନିବେଶରେ ଏକ ଲଜିଷ୍ଟିକ୍ସ ଓ ଓୟାରହାଉସିଂ ପ୍ରକଳ୍ପ ସ୍ଥାପନ କରିଛି।

ଶିଳାନ୍ୟା‌ସ ‌ହୋଇଥିବା ପ୍ରକଳ୍ପ ମଧ୍ୟରେ ଆମ୍‌ପିନ୍ ସୋଲାର ୱାନ୍ ଖୋର୍ଦ୍ଧାରେ ୯୫୦ କୋଟି ଟଙ୍କା ନିବେଶରେ ଏକ ସୋଲାର୍‌ ସେଲ୍ ଆଣ୍ଡ୍‌ ମଡ୍ୟୁଲ୍‌ ପ୍ରକଳ୍ପ ସ୍ଥାପନ କରିବ। ଏପ୍‌ସିଲନ୍‌ କାର୍ବନ ଅଶୋକା ଝାରସୁଗୁଡ଼ାରେ ୯୦୦ କୋଟି ଟଙ୍କା ବିନିଯୋଗ ଝାରସୁଗୁଡ଼ାରେ ଏକ ସମନ୍ବିତ କାର୍ବନ କମ୍ପ୍ଲେକ୍ସ ସ୍ଥାପନ କରିବ। ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ୮୩୪ କୋଟି ଟଙ୍କା ନିବେଶରେ ସମ୍ବଲପୁରରେ ଏକ ବ୍ୟାଟେରି ଫଏଲ୍‌ କାରଖାନା ସ୍ଥାପନ କରିବ। କା‌ଲ୍‌ଡେରିସ୍‌ ଇଣ୍ଡିଆ ରିଫ୍ରାକ୍ଟରିଜ୍ ଖୋର୍ଦ୍ଧାରେ ୭୨୩ କୋଟି ଟଙ୍କା ନିବେଶରେ ରିଫ୍ରାକ୍ଟରି କାରଖାନା ସ୍ଥାପନ କରିବ। ଆୟନ ଏକ୍ସଚେଞ୍ଜ ଇଣ୍ଡିଆ ଜଗତସିଂହପୁରରେ ୩୦୩ କୋଟି ଟଙ୍କା ନିବେଶରେ ଏକ ୱାଟର ଟ୍ରିଟ୍‌ମେଣ୍ଟ୍‌ କେମିକାଲ୍ସ କାରଖାନା ସ୍ଥାପନ କରିବ।

ସେହିପରି, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସମ୍ବଲପୁରରରେ ୨୪୧.୦୫ କୋଟି ଟଙ୍କା ନିବେଶରେ ଏକ ହ୍ବାଇଟ୍‌ ଫ୍ୟୁଜ୍‌ଡ ଆଲୁମିନା ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ଏମ୍‌ଜିଏମ୍‌ ବା‌ୟୋଫୁଏଲ୍‌ସ ବୌଦ୍ଧରେ ୨୨୫.୨୪ କୋଟି ଟଙ୍କାରେ ନିବେଶରେ ଏକ ଇଥାନଲ୍ କାରଖାନା ସ୍ଥାପନ କରୁଥିବା ବେଳେ ଜଟିଆ ଷ୍ଟିଲ୍‌ ପକ୍ଷରୁ କଳିଙ୍ଗନଗରରେ ୨୨୦ କୋଟି ଟଙ୍କା ନିବେଶ କରାଯାଉଛି। ଭିସିଆଇ କେମିକାଲ୍‌ ଇଣ୍ଡଷ୍ଟ୍ରିଜ୍‌ ଯାଜପୁରରେ ୨୧୦ କୋଟି ଟଙ୍କା ନିବେଶ କରୁଥିବା ବେଳେ ହୟାତ ରିଜେନ୍‌ସି ପୁରୀରେ ୧୭୦ କୋଟି ଟଙ୍କା ନିବେଶରେ ଏକ ହୋଟେଲ୍ ଓ ରିସୋର୍ଟ ସ୍ଥାପନ କରିବ। ଝାରସୁଗୁଡ଼ାରେ ସେଞ୍ଚୁରି ଏକ୍ସଟ୍ରୁସନ୍ସ ୧୬୦ କୋଟି ଟଙ୍କା, ଯାଜପୁରରେ ଏବିସ୍‌ ଏକ୍ସପୋର୍ଟସ୍‌ ୧୬୧.୫୭ କୋଟି ଟଙ୍କା, ଖୋର୍ଦ୍ଧାରେ ପୂର୍ବ ପ୍ୟାକେଜିଂ ପକ୍ଷରୁ ୧୫୨.୪୮ କୋଟି ଟଙ୍କା, କେନ୍ଦୁଝରରେ କ୍ରାକର୍ସ ଇଣ୍ଡିଆ ଆଲଏଜ୍ ୧୦୧.୫୦ କୋଟି ଟଙ୍କା, ପର୍ଲ ପ୍ରିସିସନ୍ ପ୍ରଡକ୍ଟସ୍‌ ଜଗତସିଂହପୁରରେ ୧୦୦.୭୪ କୋଟି ଟଙ୍କା, ଓଡ଼ିଶା ନିର୍ମାଣ ଉଦ୍ୟୋଗ ପକ୍ଷରୁ ଗଞ୍ଜାମ‌ରେ ୯୫ କୋଟି ଟଙ୍କା, ଏସ୍‌ଏଲ୍‌ଏମ୍‌ ପାଉଡର୍ସ ପକ୍ଷରୁ ସୁନ୍ଦରଗଡ଼ରେ ୬୭.୮୩ କୋଟି ଟଙ୍କା, ପ୍ରଗତି ମିଲ୍କ ପକ୍ଷରୁ କଟକରେ ୬୧.୮୨ କୋଟି ଟଙ୍କା, ଟେରେଷ୍ଟ୍ରିଆଲ୍ ଫୁଡ୍‌ ପ୍ରୋସେସର୍ସ ପକ୍ଷରୁ ରାୟଗଡ଼ାରେ ୬୦.୬୦ କୋଟି ଟଙ୍କା, ସୋନପୁରରେ ଅରୁନ୍ଧତୀ ବାନ୍ଧକଳା ପକ୍ଷରୁ ୫୫ କୋଟି ଟଙ୍କା, କେନ୍ଦୁଝରରେ ଅଫସୋର ଇନଫ୍ରାଷ୍ଟକ୍‌ଚର୍ସ ପକ୍ଷରୁ ୫୪ କୋଟି ଟଙ୍କା, ପୁରୀରେ ମିଲ୍କ ମନ୍ତ୍ରା ପକ୍ଷରୁ ୫୧.୧୦ କୋଟି ଟଙ୍କା ଏବଂ ସୁନ୍ଦରଗଡ଼ରେ ରାମ୍‌କୋ ଆଲୁମିନେଟ୍‌ସ ପକ୍ଷରୁ ୫୦.୨୫ କୋଟି ଟଙ୍କା ନିବେଶ କରାଯିବ।

ସମ୍ବନ୍ଧିତ ଖବର