ମାର୍ଚ୍ଚରେ ଓଡ଼ିଶାରେ ହିଟ୍‌ୱେଭ୍‌!

ଭୁବନେଶ୍ବର: ମାର୍ଚ୍ଚ ମାସରେ ଓଡ଼ିଶାର କିଛି ଅଞ୍ଚଳରେ ହିଟ୍‌ୱେଭ୍‌ ପରିସ୍ଥିତି ସୃଷ୍ଟି ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ଦିନ ହିଟ୍‌ୱେଭ୍‌ ସ୍ଥିତି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଭୁବନେଶ୍ବର, ମାଲକାନଗିରି, ବଲାଙ୍ଗୀର, ଟିଟିଲାଗଡ଼, ଅନୁଗୁଳ, ତାଳଚେର ପରି ସହର ତତଲା ତାଉଆରେ ଭାଜି ହେବ। ସବୁ ସହରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଉପରକୁ ଚାଲିଯିବାକୁ ଥିବା ବେଳେ କେତେକ ସ୍ଥାନରେ ୪୦ରୁ ୪୨ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି।

କେବଳ ଓଡ଼ିଶା ନୁହେଁ, ଦେଶର ଅଧିକାଂଶ ଅଞ୍ଚଳରେ ଏଭଳି ପରିସ୍ଥିତି ଉପୁଜିବ। ଉତ୍ତର-ପୂର୍ବ ପେନିନ୍‌ସୁଲା ଇଣ୍ତିଆ, ମହାରାଷ୍ଟ୍ରର ଅଧିକାଂଶ ସ୍ଥାନ ଓ ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ମାର୍ଚ୍ଚ ମାସରେ ଅଧିକାଂଶ ଦିନ ହିଟ୍‌ୱେଭ୍‌ ସ୍ଥିତି ଉପୁଜିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ସାରା ଦେଶର ପାଣିପାଗ ସ୍ଥିତି ନେଇ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଆହୁରି ଚିନ୍ତା ବଢ଼ାଇଛି। କୁହାଯାଇଛି ଯେ ଗ୍ରୀଷ୍ମ ସମୟରେ ଦେଶର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ବହୁତ ଅଧିକ ରହିବ। ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ, କେନ୍ଦ୍ରୀୟ ଓ ପେନିନ୍‌ସୁଲା (ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ତେଲେଙ୍ଗାନା, ଲକ୍ଷାଦୀପ ଓ ପଣ୍ଡିଚେରି) ଇଣ୍ଡିଆରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। ତେବେ ପେନିନ୍‌ସୁଲା, ଉତ୍ତର-ପୂର୍ବ, ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ମାସର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ପୂର୍ବ, ପୂର୍ବ-କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନ ଓ ଉତ୍ତର-ପଶ୍ଚିମ ଭାରତର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ନ ହେଲେ ସ୍ବାଭାବିକଠାରୁ କମ୍‌ ରହିବ। ଉତ୍ତର-ପୂର୍ବ ଭାରତ, ପଶ୍ଚିମ ହିମାଳୟ ଅଞ୍ଚଳ, ଦକ୍ଷିଣ ପଶ୍ଚିମ ପେନିନ୍‌ସୁଲା ଓ ପଶ୍ଚିମ ଉପକୂଳ ବ୍ୟତୀତ ଦେଶର ଅଧିକାଂଶ ସ୍ଥାନରେ ହିଟ୍‌ୱେଭ୍‌ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଇଛି।

ସେପଟେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଶୁଷ୍କ ବାୟୁ ପ୍ରବାହର ପରିମାଣ ବଢ଼ିବ। ଫଳରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦିନ ଓ ରାତିର ତାପମାତ୍ରା ଉପରମୁହାଁ ହେବ। ଆଗାମୀ ୪ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିପାରେ। ଏମିତିକି କେତେକ ସ୍ଥାନରେ ୪୦ ଡିଗ୍ରି ଛୁଇଁଯିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୂର୍ଯ୍ୟ ଉତ୍ତରାୟଣ ଗତି କରୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଏଥିସହ ଦକ୍ଷିଣ ଆନ୍ଧ୍ରପ୍ରଦେଶର ସ୍ଥଳ ଭାଗ ଦେଇ ଗୁରୁଚାପ ବଳୟ ଆସୁଛି। ଯେଉଁଥିପାଇଁ ଓଡ଼ିଶାର ଦକ୍ଷିଣ ପଶ୍ଚିମ ଦିଗରେ ପବନ ବହୁଛି। ଏହାଦ୍ବାରା ରାଜ୍ୟର ତାପମାତ୍ରା ବୃଦ୍ଧି ପାଉଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ମାର୍ଚ୍ଚ ୩ ଓ ୪ରେ ରାଜ୍ୟର କେତେକ ଜିଲ୍ଲା‌ରେ ହାଲୁକା ବର୍ଷା ରହିବ। ଅବଶିଷ୍ଟ ଦିନଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆଜି ଦିନରେ ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭.୪ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ମାଲକାନିଗିରିରେ ୩୭, ଟିଟିଲାଗଡ଼ରେ ୩୬, ବଲାଙ୍ଗୀରରେ ୩୫.୮, ନୟାଗଡ଼ରେ ୩୫.୫, ଭବାନୀପାଟଣାରେ ୩୫.୪, ଝାରସୁଗୁଡ଼ା, ରାୟଗଡ଼ା, ବୌଦ୍ଧ, ନବରଙ୍ଗପୁରରେ ୩୫ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର