ଦାଦନ ଯାଇଛନ୍ତି ମାଟ୍ରିକ୍‌ ଛାତ୍ର! ୮୧୩ ଜଣ ଦେଉନାହାନ୍ତି ପରୀକ୍ଷା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଦାଦନ ସମସ୍ୟା କିଭଳି ଉତ୍କଟ, ତାହା ମାଟ୍ରିକ୍‌ ପରୀକ୍ଷାରୁ ବି ଜଣାପଡ଼ିଛି। ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୮୧୩ଜଣ ଛାତ୍ର ଅନୁପସ୍ଥିତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଜିଲ୍ଲାରେ ମୋଟ୍‌ ୨୪,୫୦୯ ଜଣ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିଲେ। ଫେବ୍ରୁଆରି ୨୦ ତାରିଖ ମାଟ୍ରିକ ପରୀକ୍ଷା ଆରମ୍ଭରୁ ବହୁ ସଂଖ୍ୟାରେ ଛାତ୍ର ଅନୁପସ୍ଥିତ ରହୁଥିବାବେଳେ ଗତ ୨୮ ତାରିଖର ଯାଞ୍ଚରୁ ୨୩,୬୯୬ ଜଣ ପରୀକ୍ଷା ଦେଇଥିବା ଜଣାଯାଇଛି। ଅର୍ଥାତ୍‌ ୮୧୩ ଛାତ୍ର ଅନୁପସ୍ଥିତ ରହିଛନ୍ତି। ପୂର୍ବପରୀକ୍ଷା ଦିନମାନଙ୍କରେ ମଧ୍ୟ ପାଖାପାଖି ଏତିକି ସଂଖ୍ୟାରେ ଛାତ୍ର ପରୀକ୍ଷା ଦେଉନଥିବା ଜଣାଯାଇଛି।

ଏବେ ପ୍ରଶ୍ନ ଉଠୁଛି, ଏତେସଂଖ୍ୟାର ପିଲା ଗଲେ କୁଆଡ଼େ? ଦାଦନ ପ୍ରବଣ ତୁରେକେଲା ଏବଂ ବେଲପଡ଼ା ବ୍ଲକ୍‌ର ସ୍ଥିତି ଅନୁଧ୍ୟାନ କଲେ ଏହାର ଉତ୍ତର ମିଳିଯାଉଛି। ଏହି ଦୁଇଟି ବ୍ଲକ୍‌ର ପାଖାପାଖି ୩୦ ହଜାରରୁ ଅଧିକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏଥିରେ ମାଟ୍ରିକ ପଢ଼ୁଥିବା ଛାତ୍ର ବି ସାମିଲ୍‌ ଅଛନ୍ତି। ଏବେ ଘର ଜଗୁଥିବା ବୃଦ୍ଧବୃଦ୍ଧାଙ୍କୁ ଏ ସମ୍ପର୍କରେ ପଚାରିବାରୁ, ‘ପିଲା ପରୀକ୍ଷା ଦେଲେ କ’ଣ ପେଟକୁ ଦାନା ମିଳିବ କି’ କହିଛନ୍ତି। ଗାଁର କିଛି ଛାତ୍ର ମାଟ୍ରିକ୍‌ ପରୀକ୍ଷା ପାଇଁ ଯୋଗ୍ୟଥିଲେ ହେଁ ସେମାନେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର