ଓଡ଼ିଶା ସ୍ପଞ୍ଜ ଉପରେ ୫ କୋଟିର ପାଣି ବିଲ୍‌ ବାକି

କାରଖାନା ବନ୍ଦ ବେଳେ ବାକିଥିଲା ୪୪ ଲକ୍ଷ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ପଳାଶପଙ୍ଗାଠାରେ ଥିବା ଓଡ଼ିଶା ସ୍ପଞ୍ଜ ଆଇରନ ଲିମିଟେଡ କାରଖାନା‌ ଉପରେ ୫ କୋଟି ୮୩ ଲକ୍ଷ ୨ ହଜାର ୧୩୫ ଟଙ୍କାର ପାଣି ବିଲ୍‌ ବାକି ପଡ଼ିଛି। ଦୀର୍ଘବ‌ର୍ଷ ଧରି କେବଳ ଚିଠି ଦିଆନିଆରେ ସୀମିତ ରହିଛି ବକେୟା ଟଙ୍କା ଆଦାୟ। ଏତେ ପରିମାଣର ‌ବକେୟା ସଂପର୍କରେ ଆଉଥରେ ତଦନ୍ତ କରି ରିପୋର୍ଟ ଦେବାକୁ ସରକାରଙ୍କ ସ୍ବତନ୍ତ୍ର ସଚିବଙ୍କ ପାଖରୁ ଜଳସଂପଦ ବିଭାଗ ଇଞ୍ଜିନିୟର ଇନ୍‌ ଚିଫ୍‌ଙ୍କ ପାଖକୁ ଚିଠି ଆସିବା ପରେ ଏ ପ୍ରସଙ୍ଗ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି।

ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ଜଳସଂପଦ ବିଭାଗର ଇଞ୍ଜିନିୟର ଇନ୍‌ ଚିଫ୍‌ଙ୍କୁ ଦେଇଥିବା ଚିଠି ନମ୍ବର-୧୮୦୯୬, ୨୮/୭/୨୦୨୧ ଅନୁସାରେ, କେନ୍ଦୁଝର ଜିଲ୍ଲା ପଳାଶପଙ୍ଗାଠାରେ ୧୯୮୦ ମସିହାରେ ସ୍ଥାପିତ ହୋଇଥିଲା ଓଡ଼ିଶା ସ୍ପଞ୍ଜ କାରଖାନା। ଏହାର ଦୁଇବର୍ଷ ପରେ କାରଖାନା ଉତ୍ପାଦନ ଆରମ୍ଭ କରିଥିଲା। ଉତ୍ପାଦନ ଆରମ୍ଭ ହେବା ପରଠାରୁ ପ୍ଲାଣ୍ଟରେ ଆବଶ୍ୟକ ହେଉଥିବା ୧.୫୬ କ୍ୟୁସେକ୍‌ ପାଣି ନିକଟସ୍ଥ ଅରଡ଼େଇ ନଦୀରୁ ‌କମ୍ପାନି କର୍ତ୍ତୃପକ୍ଷ ନେଉଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଅରଡ଼େଇ ନଦୀରୁ ପାଣି ବ୍ୟବହାର କରିବା ପାଇଁ ସରକାରୀ ଦେୟ ସ୍ଥାନୀୟ ତହସିଲଦାରଙ୍କ ପାଖରେ ଜମା କରାଯାଉଥିଲା। ୧୯୯୯ ମସିହା ପର୍ଯ୍ୟନ୍ତ ଏଭଳି ଚାଲିଥିଲା। ମାତ୍ର ପରେ ରାଜ୍ୟ ସରକାରଙ୍କ ପରିବର୍ତ୍ତୀ ନିଷ୍ପତ୍ତି ଅନୁସାରେ, ଓଡ଼ିଶା ସ୍ପଞ୍ଜ ପକ୍ଷରୁ ଜଳସଂପଦ ବିଭାଗ ବୈତରଣୀ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ପାଖରେ ଏହି ଦେୟ ଦାଖଲ କରାଗଲା।

୨୦୧୨ ମସିହା ଅକ୍ଟୋବର ୧୪ ତାରିଖରେ ଏହି ପ୍ଲାଣ୍ଟ ବନ୍ଦ ହୋଇଗଲା। ସେପର୍ଯ୍ୟନ୍ତ କମ୍ପାନି ଉପରେ ପାଣି ବିଲ୍‌ ବାବଦକୁ ପ୍ରାୟ ୪୪ ଲକ୍ଷ ୪୨ ହଜାର ୬୦୯ ଟଙ୍କା ବାକି ଥିଲା। ମାତ୍ର ପ୍ଲାଣ୍ଟ କର୍ତ୍ତୃପକ୍ଷ ବିଲ୍‌ ପୈଠ କଲେ ନାହିଁ। ଯେଉଁଥିପାଇଁ ବୈତରଣୀ ଡିଭିଜନ ପକ୍ଷରୁ ୨୦୧୨ ମସିହା ଡିସେମ୍ବର ୧୧ ତାରିଖରେ ପ୍ଲାଣ୍ଟ କତ୍ତୃର୍ପକ୍ଷଙ୍କୁ ଏକ ଡିମାଣ୍ଡ ନୋଟିସ ପଠାଯାଇଥିଲା। ଜରିମାନା ମିଶି ଏହାର ସମୁଦାୟ ମୂଲ୍ୟ ଥିଲା ୮୮ ଲକ୍ଷ ୫ ହଜାର ୨୧୮ ଟଙ୍କା। ମାତ୍ର ଏହାକୁ ମଧ୍ୟ ପ୍ଲାଣ୍ଟ କର୍ତ୍ତୃପକ୍ଷ ଦାଖଲ କଲେ ନାହିଁ। ଯାହା ବର୍ତ୍ତମାନ ୧୦ ବର୍ଷର ସୁଧ ଏବଂ ଜରିମାନା ସହ ବଢ଼ି ଏବେ ୫ କୋଟି ୮୩ ଲକ୍ଷ ୨ ହଜାର ୧୩୫ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ ଏତେ ପରିମାଣର ପାଣି ବିଲ୍‌କୁ କମାଇବା ପାଇଁ କମ୍ପାନି କର୍ତ୍ତୃପକ୍ଷ ବାରମ୍ବାର ସରକାରଙ୍କୁ ଚିଠି ଲେଖିଆସୁଛନ୍ତି। ଏ ସଂପର୍କିତ ଚିଠି ପାଇବା ପରେ ରାଜ୍ୟ ସରକାଙ୍କ ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ଜଳସଂପଦ ବିଭାଗର ଇଞ୍ଜିନିୟର ଇନ୍‌ ଚିଫ୍‌ଙ୍କ ପାଖକୁ ୨୮ ତାରିଖରେ ଏକ ଚିଠି ଲେଖିଛନ୍ତି। ତୁରନ୍ତ ଏହାର ତଦନ୍ତ ସାରି ରିପୋର୍ଟ ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି।

ସମ୍ବନ୍ଧିତ ଖବର