୧୧ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ

ଭୁବନେଶ୍ବର : ଚାଷ କାର୍ଯ୍ୟକୁ ଆହୁରି ସହଜ କରିବା ସହ ମହିଳା କୃଷି ଶ୍ରମିକଙ୍କ ପରିଶ୍ରମକୁ ଲାଘବ କରିବା ପାଇଁ ଛୋଟଛୋଟ କୃଷି ଯନ୍ତ୍ରପାତି ଓ ଉପକରଣ ପ୍ରସ୍ତୁତ କରିଥିବା ରାଜ୍ୟର ୧୧ ଜଣ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନରେ ସମ୍ମାନିତ କରିଛନ୍ତି। ଚାଷୀମାନଙ୍କୁ ସମ୍ମାନିତ କରି କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ, ନିଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୀମିତ ଜ୍ଞାନକୌଶଳ ଉପଯୋଗରେ ଅଭିନବ ଯନ୍ତ୍ରପାତି ଓ ଉପକରଣ ଉଦ୍ଭାବନ କରିଥିବା ଚାଷୀମାନଙ୍କ ସଫଳତା ରାଜ୍ୟର କୃଷି ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଅନ୍ୟ ରାଜ୍ୟର ଚାଷୀମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ। ଏହି ଅବସରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ବାବଦରେ ଦୁଇ ଲକ୍ଷ, ଦେଢ଼ ଲକ୍ଷ ଓ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।

ଆଜି କୃଷି ଭବନରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ ରାଜ୍ୟର କୃଷକମାନଙ୍କ ପାଇଁ ଏବେ ଏକ ସମ୍ଭାବନାର ବର୍ଷ ତିଆରି ହୋଇଛି। କୃଷି ଓ କୃଷକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଫଳପ୍ରଦ ଯୋଜନା ପ୍ରଣୟନ କରାଯାଇଛି, ଯାହାକି ଭାରତ ବର୍ଷରେ ପଥ ପ୍ରଦର୍ଶକ ଭାବେ ବିବେଚିତ ହୋଇପାରିଛି। ଏହି ନୂଆ କୃଷି ଯନ୍ତ୍ରପାତି ଗୁଡ଼ିକ କୃଷକର ଦକ୍ଷତା ଓ ଉତ୍ପାଦିକା ଶକ୍ତି ବୃଦ୍ଧି କରିବା ସହ ଚାଷ ଖର୍ଚ୍ଚକୁ କମ ଓ ମୂଲ୍ୟଯୁକ୍ତ କରିବାରେ ସାହାଯ୍ୟ କରିବ ଏବଂ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ। ନୂତନ କୃଷି ଯନ୍ତ୍ରପାତି ଓ ଉପକରଣ ଉଦ୍ଭାବନ ପାଇଁ ଧାନତଳି ପ୍ରତିରୋପଣ ମେସିନ୍ ଉଦ୍ଭାବନ ପାଇଁ କୋରାପୁଟର ସଦାଶିବ ମାଝୀ, ତେନ୍ତୁଳି ମଞ୍ଜି ଛଡ଼ା ମେସିନ ପାଇଁ ଡି.ଭି ଚୌହାନ୍, ମିିନି ଡାଲି ମିଲ ଉଦ୍ଭାବନ ପାଇଁ ଭାରତ ଚନ୍ଦ୍ର ରାଉତଙ୍କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ୩ ଜଣଙ୍କୁ କୃଷିମନ୍ତ୍ରୀ ଶ୍ରୀ ବେହେରା ପ୍ରଦାନ କରିଥିଲେ। ସେହିପରି ପୋଲାଙ୍ଗ ମଞ୍ଜି ବାହାର କରିବା ପାଇଁ ଅଭିନବ ଯନ୍ତ୍ରପାତି ଉଦ୍ଭାବନ କରିଥିବା ରାଜେଶ ସାହୁ, ଧାଡ଼ିକିଆ ବହୁକିସମ ମଞ୍ଜିବୁଣା ଡ୍ରିଲ ମେସିନ ପାଇଁ ମନୋରଞ୍ଜନ ଦାସ ଅଧିକାରୀ, ମାନୁଆଲ ମଲ୍ଟି ଗ୍ରେନ୍ କ୍ଲିନର ପାଇଁ ଟିକମ ପାଙ୍ଗିଙ୍କୁ ଦ୍ବିତୀୟ ପୁରାସ୍କାରରେ ସମ୍ମାନିତ କରାଯିବା ସହ ୩ ଜଣଙ୍କୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା। ସେହିପରି ତୃତୀୟ ପୁରସ୍କାର ବାବଦରେ ୫ ଜଣଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଥିଲା। ସେମାନେ ହେଲେ ପ୍ରମୋଦ କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର ନାଏକ, ଲମ୍ବୋଦର ବେହେରା, ଗୁରୁଚରଣ ପ୍ରଧାନ ଓ ଜୟୀରାମ ମଲ୍ଲିକ। ଏହାବ୍ୟତୀତ ଚାଷୀ ଦିଲ୍ଲୀପ କୁମାର, କାଦମ୍ବିନୀ ଜେନା, ନିବେଦିତା ତୁଙ୍ଗାଙ୍କୁ ସେମାନଙ୍କ ଉଦ୍ଭାବନ ପାଇଁ ପ୍ରୋତ୍ସାହନ ମୂଳକ ପୁରସ୍କାରରେ ସମ୍ମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ରାଜ୍ୟର ୩୦ଟି ଜିଲ୍ଲାରୁ ୨ ହଜାରରୁ ଅଧିକ ଚାଷୀ ଆବେଦନ କରିଥିଲେ। ୯୦ ଜଣଙ୍କୁ ଜିଲ୍ଲା ସ୍ତରରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି।

ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନର ନିର୍ଦ୍ଦେଶକ ତଥା ଚିଫ୍ ଇନୋଭେଟିଭ୍ ଅଫିସର ଡଃ ବିପିନ କୁମାର କହିଥିଲେ ବଡ଼ବଡ଼ ସଂସ୍ଥାମାନେ ଯେଉଁ କାମ କରିପାରି ନାହାନ୍ତି ଛୋଟଛୋଟ ଚାଷୀମାନେ ତାହା ସଫଳ ଭାବରେ କରି ନିଜ ସମସ୍ୟାର ନିଜେ ସମାଧାନ କରିବାର ଉପାୟ ବାହାର କରିପାରିଛନ୍ତି। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଥିଲେ, ରାଜ୍ୟରେ ପ୍ରତିଭାବାନ ଚାଷୀମାନଙ୍କୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ, ଏକ ସଫଳ ପ୍ରୟାସ ବୋଲି ପ୍ରମାଣିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ହନି ବି ନେଟଵାର୍କର ପ୍ରତିଷ୍ଠାତା ପ୍ରଫେସର ଅନୀଲ ଗୁପ୍ତା ଓ କୃଷି ବିଭାଗ ମୁଖ୍ୟଯନ୍ତ୍ରୀ ମନୋଜ ଦାସଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର