ପଣ୍ଡୁଆ ଡକାୟତି ଘଟଣା; ୩ ଅଭିଯୁକ୍ତ ଜେଲ୍‌ ଗଲେ

ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଣ୍ତୁଆ ଗାଁର ଡକାୟତି ଘଟଣାରେ  ପୁଲିସ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଏହି ସୂଚନା ଦେଇଛି। ପୁଲିସ୍ ତ୍ବରିତ ପଦକ୍ଷେପ ସ୍ବରୂପ ସେହି ଗାଁର ୩ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା ପରେ ସେମାନଙ୍କ  ବୟାନ ଆଧାରରେ କିଛି ସୁନା ଯାଜପୁର ରୋଡ ସ୍ଥିତ ଏକ ସୁନା ଦୋକାନରେ ବିକ୍ରି କରିଥିବା ମାନିଥିଲେ। ପୁଲିସ ଯାଜପୁରରୋଡ ପୁଲିସ ସହାୟତାରେ  ସେସବୁକୁ  ଜବତ କରିବା ସହ ଅନ୍ୟ ସ୍ଥାନରେ ଲୁଚାଇଥିବା ହାର, ଚେନ, ମୁଦି, କାନଫୁଲ, ତିନିହଳ ରୁପା ପାଉଁଜି ଏବଂ ରୁପାର ଏକ ସିନ୍ଦୂର ଫରୁଆ ଏବଂ ୪ହଜାର ଟଙ୍କା ଜବତ କରିଥିଲା।

ଅନ୍ୟ ଜଣେ ଫେରାର ଅଛି। ତାକୁ ଧରିବାକୁ ପୋଲିସ୍  ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ବୋଲି ଏସଡିପିଓ ପ୍ରଶାନ୍ତ ବେହେରା ପ୍ରକାଶ କରିଛନ୍ତି। ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁର ଅବସରପ୍ରାପ୍ତ ଶିକ୍ଷକ ଗଣେଶ୍ଵର ସାହୁଙ୍କ ଘରୁ  ୧୮ ତାରିଖ ରାତିରେ ସଶସ୍ତ୍ର ଡକାୟତି ହୋଇଥିଲା। ଗଣେଶ୍ବରଙ୍କ ଅଭିଯୋଗ ଆଧାରରେ ରାମଚନ୍ଦ୍ରପୁର ଥାନାରେ ୨୪୭/୨୨ ରେ ଏକ ମାମଲା ରୁଜୁ ହୋଇଥିଲା । ରାମଚନ୍ଦ୍ରପୁର  ଥାନାଧିକାରୀ ଅବିନାଶ ପରିଡା, ସାଇଁକୁଳ ଫାଣ୍ତି ଅଧିକାରୀ ରବୀନ୍ଦ୍ର ମୁଣ୍ତାରି ତଦନ୍ତ ଭାର ନେଇଛନ୍ତି।

ସମ୍ବନ୍ଧିତ ଖବର