ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ : ପ୍ରଦୀପଙ୍କ ସମେତ ୩ ଜଣଙ୍କୁ ରିମାଣ୍ତରେ ଆଣିବାକୁ ଆବେଦନ

ଛତ୍ରପୁର : ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂସ୍ଥା ମୁଖ୍ୟ ପ୍ରଦୀପ ସେଠୀ, ପୋଲସରା ଅ‌ଞ୍ଚଳର ମନୋଜ ପଟ୍ଟନାୟକ ଏବଂ ବାଲେଶ୍ବରର ଶ୍ରୀକୃଷ୍ଣ ଚନ୍ଦ୍ର ପାଢ଼ୀଙ୍କୁ ରିମାଣ୍ତରେ ଆଣିବା ପାଇଁ ଗୁରୁବାର ପୁଣିଥରେ ଛତ୍ରପୁର ପୁଲିସ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଛି। ଥାନା ଅଧିକାରୀ ପ୍ରିୟସ୍‌ ରଞ୍ଜନ ଛୋଟରାୟ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ଜରିଆରେ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଛନ୍ତି।

ସୂଚନା ଅନୁଯାୟୀ, ଛତ୍ରପୁର ସହରରେ ଅର୍ଥତତ୍ତ୍ୱ ସଂସ୍ଥାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲା। ସେଠାରେ ଛତ୍ରପୁର ବ୍ଲକ୍‌ କଣମଣା ଗ୍ରାମର ଦେବରାଜ ସାହୁ ଏକ ଲକ୍ଷ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ସଂସ୍ଥାର କାର୍ଯ୍ୟାଳୟ ଉଭାନ ହୋଇ ଯାଇଥିଲା। ଦେବରାଜ ଜମା ଅର୍ଥ ଫେରି ପାଇ ନ ଥିଲେ। ୨୦୧୩ ମେ ୧୦ରେ ଦେବରାଜ ତାଙ୍କ ଅର୍ଥ ହଡ଼ପ ହୋଇଥିବା ସଂକ୍ରାନ୍ତରେ ଥାନାରେ ଏତଲା ଦେଇଥିଲେ। ଛତ୍ରପୁର ଥାନା ପକ୍ଷରୁ ୬୮/୨୦୧୩ ନମ୍ବର କେସ୍‌ରେ ୧୨୦ (ବି), ୪୨୦,୪୬୮, ୪୭୧/୩୪ ଆଇପିସି, ୪,୫,୬ ପ୍ରାଇସ୍‌ ଚିଟ୍ ମନି ସର୍କୁଲେସନ୍ ଦଫାରେ ଉପରୋକ୍ତ ତିନିଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେତେବେଳକୁ ଉପରୋକ୍ତ ୩ ଜଣ ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିଲେ। ବର୍ତ୍ତମାନ ସେମାନଙ୍କୁ ରିମାଣ୍ତରେ ଆଣିବା ପାଇଁ ଛତ୍ରପୁର ଥାନା ପକ୍ଷରୁ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଛି। ପୂର୍ବରୁ ମଧ୍ୟ ଛତ୍ରପୁର ଥାନା ପକ୍ଷରୁ ଅକ୍ଟୋବର ୨୨ ତାରିଖରେ ଉକ୍ତ ତିନି ଜଣଙ୍କ ରିମାଣ୍ତ ଆବେଦନ କରା ଯାଇଥିଲା। ଏହାର ଶୁଣାଣି କରି ଛତ୍ରପୁର ଏସ୍‌ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ ଉପରୋକ୍ତ ତିନି ଜଣଙ୍କୁ ଛତ୍ରପୁର କୋର୍ଟରେ ହାଜର କରିବା ପାଇଁ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କୁ ଅକ୍ଟୋବର ୨୫ ତାରିଖରେ ନିବେଦନ କରିଥିଲେ। କିନ୍ତୁ ସିଏମ୍‌ସି ୩୪/୨୦୧୬ ନମ୍ବର କେସ୍‌ରେ ଭୁବନେଶ୍ବର ଜିଲ୍ଲା ଜଜ୍‌ ଅଧୀନରେ ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ପ୍ରଦୀପ, ମନୋଜ ଓ ଶ୍ରୀକୃଷ୍ଣ ବିଚାରାଧୀନ ବନ୍ଦୀ ଭାବେ ଅଛନ୍ତି। ସେମାନଙ୍କୁ ରିମାଣ୍ତରେ ଆଣିବା ପାଇଁ ଆଜି ଛତ୍ରପୁର ପୁଲିସ ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଶୁଣାଣି କରିଛନ୍ତି।

ସମ୍ବନ୍ଧିତ ଖବର