ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ‘ଅକ୍ଷର’: ବହି ଅନ୍ୟ ଏକ ଇଲାକାକୁ ପ୍ରବେଶ କରେଇ ଦିଏ

ଭୁବନେଶ୍ବର: ଭଲ ପୁସ୍ତକ ସବୁବେଳେ ସମ୍ମୋହିତ କରେ। ତେବେ ମଣିଷର ହୃଦୟ, ଚିନ୍ତା ଓ ବିଚାରକୁ ପ୍ରତିଫଳିତ କରୁଥିବା ପୁସ୍ତକର ଭବିଷ୍ୟତ ସୁରକ୍ଷିତ ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ଡ. ଅର୍ଚ୍ଚନା ନାୟକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଦ୍ବିତୀୟ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ସାରସ୍ବତ ମଞ୍ଚରେ ଅତିଥି ଭାବେ ଯୋଗଦେଇ ଡ. ନାୟକ କହିଲେ, ବହି ପଢ଼ିଲେ ପାଠକ ସମୟସୀମା ଅତିକ୍ରମ କରି ଅନ୍ୟ ଏକ ଇଲାକାକୁ ପ୍ରବେଶ କରିପାରେ। ଏକ ନୂତନ ଭବିଷ୍ୟତ ତାକୁ ଦୃଶ୍ୟମାନ ହୋଇପାରେ। ପ୍ରାକ୍ତନ ପ୍ରଶାସକ ସଂଜୀବ ଚନ୍ଦ୍ର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ପ୍ରତିକୂଳ ସ୍ଥିତି ସତ୍ତ୍ବେ ପୁସ୍ତକ ଚିରଞ୍ଜୀବୀ ହୋଇ ରହିବ। ବିଚ୍ଛିନ୍ନାଞ୍ଚଳ ଓ ଅନ୍ୟ ଦେଶରେ ବସବାସ କରୁଥିବା ଓଡ଼ିଆମାନଙ୍କ ଉଦ୍ଦେଶ୍ୟରେ ପ୍ରମୁଖ ମହାନଗରଗୁଡିକରେ ପୁସ୍ତକ ମେଳା ଆୟୋଜନ ହେବା ଆବଶ୍ୟକ। ସେହିପରି ପୁସ୍ତକ ମେଳା ସହ ପାଠାଗାର ଆନ୍ଦୋଳନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହେବା ଏବଂ ପୁରୁଣା ପୁସ୍ତକର ପୁନଃମୁଦ୍ରଣ ହେବା ଆବଶ୍ୟକ ବୋଲି କହିଥିଲେ। ‌ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ର ବକ୍ତା ଭାବେ ଯୋଗଦେଇ କହିଲେ, ବହି ବନ୍ଧୁହୀନର ବନ୍ଧୁ ହୋଇ ଆମର ଚେତନାକୁ ସଂପ୍ରସାରିତ କରେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ମଧ୍ୟ ବକ୍ତବ୍ୟ ରଖିଥିଲେ।

‘ଏକାମ୍ର ପୁସ୍ତକ ମହୋତ୍ସବ କମିଟି’ର ସଭାପତି ପୀତବାସ ରାଉତରାୟ କାର୍ଯ୍ୟକ୍ରମରେ ସଭାମୁଖ୍ୟ ଦାୟିତ୍ବ ତୁଲାଇ ଥିଲେ। ଓଡ଼ିଶା ସାହିତ୍ୟ ଏକାଡେମି ଦ୍ବାରା ପ୍ରକାଶିତ ଓ ଡ. ଅରବିନ୍ଦ ପଟ୍ଟନାୟକଙ୍କ ଲିଖିତ ‘ଓଡ଼ିଆ ଲୋକ ସମାଜର ପ୍ରମୁଖ ପର୍ବପର୍ବାଣି’, ଅବ୍ବର ମହମ୍ମଦଙ୍କ ଲିଖିତ ‘ଦି ଷ୍ଟୋରିଜ୍‌ ଅଫ୍‌ ଆୱାର ଡିୟର ଟିଚର୍ସ’ ଅତିଥିଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ଡ. ଜୟନ୍ତୀ ରଥ ଲୋକାର୍ପଣ ସଭାରେ ଉପସ୍ଥିତ ଥିଲେ। ବିଭାଗୀୟ ଯୁଗ୍ମ ସଚିବ ମନସ୍ବିନୀ ସାହୁ ଅତିଥି ପରିଚୟ ଦେଇଥିଲେ। ବିଭାଗୀୟ ଅନୁଶାସନ ସଚିବ ବେବି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

୩ ମନ୍ଦିର, ତିନିଟି ବହି: ଆମ ଓଡ଼ିଶା ଷ୍ଟଲ୍‌ରେ
ଭୁବନେଶ୍ୱର: ତିନି ଶତାବ୍ଦୀର ୩ଟି ମନ୍ଦିର ଆମ ରାଜ୍ୟର ପରିଚୟ। ଏକାଦଶ ଶତାବ୍ଦୀର ଶ୍ରୀଲିଙ୍ଗରାଜ ମନ୍ଦିର, ଦ୍ବାଦଶ ଶତାବ୍ଦୀର ଶ୍ରୀଜଗନ୍ନାଥ ମନ୍ଦିର ଓ ତ୍ରୟୋଦଶ ଶତାବ୍ଦୀର କୋଣାର୍କ ମନ୍ଦିର; ଏଇ ୩ ମନ୍ଦିରକୁ ନେଇ ପର୍ଯ୍ୟଟନ ପରିପ୍ରେକ୍ଷୀରେ କଳ୍ପିତ ହୋଇଛି ‘ସ୍ବର୍ଣ୍ଣ ତ୍ରିଭୁଜ’। କିନ୍ତୁ ବାସ୍ତବରେ ଏହା ଆମ ଓଡ଼ିଶାର ‘ସାଂସ୍କୃତିକ ଓ ଆଧ୍ୟାତ୍ମିକ ସ୍ବର୍ଣ୍ଣ ତ୍ରିଭୁଜ’। ଓଡ଼ିଆ ଅସ୍ମିତାର ସ୍ବର୍ଣ୍ଣ ତ୍ରିଭୁଜ। ‘ଆମ ଓଡ଼ିଶା’ ପକ୍ଷରୁ ଏହି ୩ ମନ୍ଦିରକୁ ନେଇ ୩ଟି ସ୍ବତନ୍ତ୍ର ପୁସ୍ତକର ପରିକଳ୍ପନା କରାଯାଇଥିଲା। ଫଳସ୍ବରୂପ ପୂର୍ବରୁ ‘ଶ୍ରୀଜଗନ୍ନାଥ’ ଓ ‘ଅର୍କକ୍ଷେତ୍ର କୋଣାର୍କ’ ପ୍ରକାଶ ପାଇ ସାରିଥିବା ବେଳେ ସଦ୍ୟ ପ୍ରକାଶ ପାଇଛି ‘ଶ୍ରୀଲିଙ୍ଗରାଜ’। ପାଠକ ପାଠିକାଙ୍କୁ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ପରିସରରେ ‘ଆମ ଓଡ଼ିଶା’ ଷ୍ଟଲ୍‌ରେ ଏକକାଳୀନ ଏହି ୩ଟି ପୁସ୍ତକ ଖୁବ୍‌ ସୁଲଭ ମୂଲ୍ୟରେ ଭେଟି ଦିଆଯାଉଛି। ୩ଟି ବହିର ମୋଟ୍‌ ମୂଲ୍ୟ ୭୩୦ ଟଙ୍କା ଥିବା ବେଳେ ପାଠକମାନେ ପୁସ୍ତକ ମେଳାରୁ ଏହି ୩ଟି ବହିକୁ ୫ଶହ ଟଙ୍କାରେ ପାଇପାରିବେ। ଏଇ ସୁବିଧା କେବଳ ଚାଲିଥିବା ଏହି ପୁସ୍ତକ ମହୋତ୍ସବ‌ରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର