ମୈଥାନ ଇସ୍ପାତରେ ଲୁଟ୍‌ ଉଦ୍ୟମ, ୪ଅଟକ

ଯଖପୁରା : କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ମୈଥାନ ଇସ୍ପାତ କାରଖାନାରେ ଭୂତ ଗାଡ଼ି ପୂରାଇ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି। ଏ ଘଟଣାରେ ଯଖପୁରା ପୁଲିସ ଚାରିଜଣଙ୍କୁ ଅଟକ ରଖିଛି। ଏହି ଲୁଟ୍‌ରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଏବଂ ଚେର ପାରାଦୀପ ଯାଏ ଲମ୍ବିଥିବା ସନ୍ଦେହ କରାଯାଉଛି।

ଯଖପୁରା ଥାନା ଅଧିକାରୀ ଜଗଦୀଶ କରଙ୍କ ସୂଚନା ଅନୁସାରେ ମୈଥାନ ଇସ୍ପାତ କାରଖାନାର କିଛି ଅସାଧୁ ସୁରକ୍ଷାକର୍ମୀ, କଣ୍ଟା କର୍ମଚାରୀଙ୍କୁ ହାତବାରିସି କରି ଅଭିନବ ଉପାୟରେ ଲୁଟ୍‌ ଉଦ୍ୟମ କରାଯାଇଥିଲା। ଏକ ଟ୍ରକ ପାରାଦୀପରୁ କୋଇଲା ବୋଝେଇ କରି କାରଖାନାକୁ ଆସିଥିଲା। ସେହି ଟ୍ରକ ସହ ଆଉ ଏକ ଭୂତ ଗାଡ଼ିର ଚାଲାଣ ଦିଆଯାଇଥିଲା। ଲୁଟ୍‌ରେ ସଂପୃକ୍ତ ଥିବା ସୁରକ୍ଷାକର୍ମୀ ଓ କଣ୍ଟା କର୍ମଚାରୀ ସେହି ଲୋଡ୍‌ ଗାଡ଼ିକୁ ଖାଲି କରିବା ଆଳରେ ଲୋଡ୍‌ ହୋଇ ନ ଥିବା ଆଉ ଏକ ଭୂତ ଗାଡିର ଦସ୍ତାବିଜ୍ ତିଆରି କରି କାରଖାନାରୁ ଲକ୍ଷାଧିକ ଟଙ୍କା ଲୁଟି ନେବା ପାଇଁ ଯୋଜନା କରିଥିଲେ। ଏହି ଲୁଟ୍‌ ଉଦ୍ୟମକୁ ଅନ୍ୟ ସୁରକ୍ଷାକର୍ମୀ ଜାଣିପାରି ସେହି ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀ, ଦୁଇ ସୁରକ୍ଷାକର୍ମୀ ଓ ଡ୍ରାଇଭର ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ ପରେ ଏହି ଲୁଟ୍‌ର ଚେର ପାରାଦୀପ ପର୍ଯ୍ୟନ୍ତ ଲମ୍ବିଥିବା ଏବଂ ଏଥିରେ ପରିବହନ ସଂସ୍ଥା, ୱେ ବିଲ୍ ଦେଇଥିବା ଅଧିକାରୀ, ସରକାରୀ ଦସ୍ତାବିଜ୍ ଦେଇଥିବା ଅଧିକାରୀଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି। କାରଖାନାର ସୁରକ୍ଷା ଅଧିକାରୀ ଚନ୍ଦ୍ରକାନ୍ତ ମହାନ୍ତଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ୧୧୮/୨୨ ରୁଜୁ ହୋଇଛି। ଚାରିଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର