୪ ମାସ ଚଳଚଞ୍ଚଳ ରହିବ କଳିଙ୍ଗ ଷ୍ଟାଡିୟମ୍‌; ରବିବାରଠାରୁ ଓଡ଼ିଶା ଏଫ୍‌ସି ଅଭିଯାନ, ଭୁବନେଶ୍ବରରେ ୧୦ ମ୍ୟାଚ୍‌

ଭୁବନେଶ୍ବର : ଆଗାମୀ ୪ ମାସ ପର୍ଯ୍ୟନ୍ତ ଚଳଚଞ୍ଚଳ ରହିବ କଳିଙ୍ଗ ଷ୍ଟାଡିୟମ୍‌। ଓଡ଼ିଶା କ୍ରୀଡ଼ାପ୍ରେମୀ ଫୁଟ୍‌ବଲ୍‌ ସହ ହକିର ମଜା ଏଠାରେ ନେଇପାରିବେ। ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା‌ ସହ ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ ଏବଂ ହକି ବିଶ୍ବକପ୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ। ନିକଟରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଥିଲା। ଏହି ବିଶ୍ବକପ୍‌ର ୬ ମ୍ୟାଚ୍‌ ସଫଳତା ସହ ଆୟୋଜନ କରିଥିବା କଳିଙ୍ଗ ଷ୍ଟାଡିୟମ୍‌ରେ ଆସନ୍ତା ରବିବାରଠୁ ଘ‌ରୋଇ ଫୁଟ୍‌ବଲ୍‌ ପ୍ରତିଯୋଗିତା ଆଇଏସ୍‌ଏଲ୍‌ ଆରମ୍ଭ ହେବ।

ଓଡ଼ିଶା ଏଫ୍‌ସି ପ୍ରଶିକ୍ଷକ ଯୋଶେଫ ଗମ୍ବାୟୁ

ଘରୋଇ ଓଡ଼ିଶା ଏଫ୍‌ସି ଏଠାରେ ଚଳିତ ମାସ (୨୩ ଓ ୨୭)ରେ ଦୁଇଟି ମ୍ୟାଚ୍‌ ଖେଳିବ। ଠିକ୍‌ ଏହା ପରଦିନ (୨୮ ତାରିଖ)ଠୁ ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହକି କମ୍ପ୍ଲେକ୍ସରେ ଖେଳାଯିବ। ଭାରତ ସହ ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ପରସ୍ପର ମଧ୍ୟରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ଏହି ୩ ଦଳ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏଠାରେ ପ୍ରତିଦ୍ବନ୍ଦ୍ବିତା କରିବେ। ନଭେମ୍ବର ଓ ଡିସେମ୍ବର ମଧ୍ୟରେ ଓଡ଼ିଶା ଏଫ୍‌ସି ପୁଣି ନିଜ ଘରୋଇ ପଡ଼ିଆକୁ ଫେରି ୪ଟି ଏବଂ ଜାନୁଆରିରୁ ଫେବ୍ରୁଆରି ମଧ୍ୟରେ ୬ ମ୍ୟାଚ୍‌ ଖେଳିବ। ଏହା ମଧ୍ୟରେ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ବକପ୍‌କୁ ନେଇ କଳିଙ୍ଗ ଚଳଚଞ୍ଚଳ ରହିବ।

ଓଡ଼ିଶା ଏଫ୍‌ସିର ୨୦୨୨-୨୩ ଋତୁ ଅଭିଯାନ

ସମ୍ବନ୍ଧିତ ଖବର