ମାଗଣା ଚିକିତ୍ସା କହି ବିଜୁ ସ୍ବାସ୍ଥ୍ୟକାର୍ଡରୁ ଟଙ୍କା କାଟିନେଲେ: ଗାଁରେ ଉତ୍ତେଜନା

ଆନନ୍ଦପୁର: ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେବ କହି ଡାକ୍ତରଖାନା ନେଲେ। ଅସ୍ତ୍ରୋପଚାର ପରେ ଚଞ୍ଚକତା କରି ବିଜୁ ସ୍ବାସ୍ଥ୍ୟ କାର୍ଡରୁ ଟଙ୍କା କାଟି ନିଆଯାଇଛି। ଏଭଳି ଅଭିଯୋଗ ଆସିଛି ଘସିପୁରା ବ୍ଲକ୍‌ ବାତୋ ପଞ୍ଚାୟତ ଅତା ଗ୍ରାମରୁ। ଆଜି ସମ୍ପୃକ୍ତ ଅନୁଷ୍ଠାନ ପକ୍ଷରୁ ରୋଗୀଙ୍କୁ ଛାଡ଼ିବାକୁ ଆସିଥିବାବେଳେ ଗ୍ରାମରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ରୋଗୀ ଛାଡ଼ିବାକୁ ଆସିଥିବା ଗାଡ଼ିକୁ ଅଟକ ରଖିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଚଣ୍ଡିଖୋଲର ସାଇ ନେତ୍ରମନ୍ଦିର ନାମକ ଏକ ଅନୁଷ୍ଠାନ ଗତକାଲି ବାତୋ ନିକଟରେ ଏକ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିଥିଲା। ଏହି ଶିବିରରୁ ୩୦ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରା‌ଯାଇ ଚଣ୍ଡିଖୋଲ ନିଆଯାଇଥିଲା। ରୋଗୀଙ୍କ ଯାତାୟାତ ସହିତ ସମ୍ପୂର୍ଣ୍ଣ ମାଗଣାରେ ସମସ୍ତ ଚିକିତ୍ସା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଅସ୍ତ୍ରୋପଚାର ପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରୁ ୭ ହଜାର ୫୦୦ଟଙ୍କା ଲେଖାଏଁ କଟିଥିବା ଜଣାପଡ଼ିଥିଲା। ଆଜି ୧୩ଜଣ ରୋଗୀଙ୍କୁ ସମ୍ପୃକ୍ତ ସଂସ୍ଥାର ଏକ ଗାଡ଼ି ଗ୍ରାମକୁ ଛାଡ଼ିବାକୁ ଆସିଥିବାବେଳେ ଏହାକୁ ‌କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ମାଗଣାରେ କହି କାହିଁକି ଟଙ୍କା ନେଲ ବୋଲି ଗ୍ରମାବାସୀ ପ୍ରଶ୍ନ କରିବା ସହ ରୋଗୀ ଛଡ଼ିବାକୁ ଆସିଥିବା ଗାଡ଼ିକୁ ଅଟକ ରଖିଥିଲେ। ଖବର ପାଇ ରାମଚନ୍ଦ୍ରପୁର ପୁଲିସ ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଅସ୍ତ୍ରୋପଚାର ପାଇଁ ଯାଇଥିବା ଆଉ କିଛି ଲୋକ ଫେରି ନଥିବାରୁ ଗ୍ରାମବାସୀକୁ ଗାଡ଼ିଟିକୁ ଅଟକ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର