ପ୍ରାର୍ଥିପତ୍ର ଦାଖଲ ବେଳେ ବିଜେଡି-ବିଜେପି ମୁହାଁମୁହିଁ: ବିଜେଡିର ଜୟ ଜଗନ୍ନାଥ ଓ ବିଜେପିର ଜୟ ଶ୍ରୀରାମ ନାରା

ନେତା ଓ କର୍ମୀଙ୍କୁ ତଡ଼ିଲେ ଏସ୍‌ପି

ପୁରୀ: ପ୍ରାର୍ଥିପତ୍ର ଦାଖଲ ବେଳେ ଆଜି ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଜେଡି କର୍ମୀ ଜୟ ଜଗନ୍ନାଥ କହି ରଣହୁଙ୍କାର ଛାଡ଼ିଥିବା ବେଳେ ବିଜେପି କର୍ମୀ ଜୟ ଶ୍ରୀରାମ ‌କହି ଯୁଦ୍ଧଂଦେହି ଡାକରା ଦେଇଛନ୍ତି। ଫଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଜୟ ଜଗନ୍ନାଥ, ଜୟ ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହୋଇଛି। କେବଳ ଏତିକି ନୁହେଁ, ଦଳୀୟ ପତାକା ଦେଖାଇ ଓ ଦଳୀୟ ରଙ୍ଗର ଗାମୁଛା ବୁଲାଇ ଶକ୍ତି ଦେଖାଇଛନ୍ତି ଉଭୟ ଦଳ। ପ୍ରବଳ ପାଟିତୁଣ୍ଡ ଓ ଅପ୍ରୀତିକର ପରିସ୍ଥିତି ଊପୁଜିବା ପରେ ଏସ୍‌ପି ପିନାକ ମିଶ୍ର ସଦଳବଳ ପହଞ୍ଚି ଦୁଇପକ୍ଷଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଘଉଡ଼ାଇଛନ୍ତି।

ଆଜି ଅପରାହ୍ଣ ପ୍ରାୟ ୨ଟାରେ ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଦଳୀୟ ସମର୍ଥକଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଏହାର ଅଳ୍ପ କିଛି ସମୟ ପରେ ସତ୍ୟବାଦୀ ବିଧାନସଭା ବିଜେଡି ପ୍ରାର୍ଥୀ ସଂଜୟ କୁମାର ଦାସବର୍ମା ସମର୍ଥକଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଆସିଥିଲେ। ସମ୍ବିତଙ୍କ ରିଟର୍ଣ୍ଣିଂ ଅଫିସର ଥିଲେ ଜିଲ୍ଲାପାଳ ଓ ସଂଜୟଙ୍କ ରିଟର୍ଣ୍ଣିଂ ଅଫିସର ଥିଲେ ଅତିରିକ୍ତ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପର ମହଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ତଳ ମହଲାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଏଣୁ ଦୁଇ ନେତା ପ୍ରାର୍ଥିପତ୍ର ଦାଖଲ କରିବାକୁ ଯିବାବେଳେ ସେମାନଙ୍କ ସମର୍ଥକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିଲେ। ଏହି ସମୟରେ ବିଜେପିରୁ କେହି ‘ବ୍ରହ୍ମଗିରିରୁ ହାରିବେ ବୋଲି ସତ୍ୟବାଦୀ ପଳାଇଲେ’ କହି ସଂଜୟଙ୍କ ଗୋଷ୍ଠୀଙ୍କୁ ଆକ୍ଷେପ କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ପ୍ରଥମେ କଥା କଟାକଟି ଓ ପରେ ମୁହାଁମୁହିଁ ପରିସ୍ଥିତିକୁ ଚାଲିଆସିଥିଲେ। ପରେ ଏସ୍‌ପି ଶ୍ରୀ ମିଶ୍ର ଅତିରିକ୍ତ ଏସ୍‌ପି, ସିଟି ଡିଏସ୍‌ପିଙ୍କ ସହ ଫୋର୍ସ ନେଇ ଘଟଣାସ୍ଥଳରୁ ସମସ୍ତଙ୍କୁ ଘଉଡ଼ାଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଗଣ୍ଡଗୋଳକାରୀଙ୍କୁ ବିଦା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର