‘ଗୋ ବ୍ୟାକ୍‌’ ନାରା ଦେଲେ ବିଜେଡି କର୍ମୀ: ବିଭିନ୍ନ ମନ୍ଦିର ଦର୍ଶନ କଲେ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି

ଆଠଗଡ଼: ନିର୍ବାଚନ ପ୍ରଚାର ଜୋର୍‌ଦାର୍‌ ଆରମ୍ଭ ହୋଇଥିବା ବେଳେ ଆଜି କଟକର ଆଠଗଡ଼ରେ ବିଜେପି ପକ୍ଷରୁ ଆୟୋଜିତ ରୋଡ୍‌ସୋ’ରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟିହୋଇଛି। ଏହି ରୋଡ୍‌ସୋ’ରେ ବିଜେଡି ପତାକା ‌ଧରି କେତେକଲୋକ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ଏଥିସହିତ, ‘ଗୋ ବ୍ୟାକ୍‌’ ନାରା ବି ଦେଇଛନ୍ତି। ସୂଚନା ଅନୁସାରେ, ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ମଧୁସୂଦନ ସେତୁ ନିକଟରେ ପହଞ୍ଚିବା ପରେ ଏକ ବାଇକ୍‌ ଶୋଭାଯାତ୍ରାରେ ତାଙ୍କୁ ଦଳର କର୍ମୀମାନେ ଧବଳେଶ୍ବର ପୀଠକୁ ପାଛୋଟି ନେଇଥିଲେ। ଧବଳେଶ୍ବର ପୀଠରେ ପୂଜାର୍ଚ୍ଚନା କରିବାପରେ ଶୋଭାଯାତ୍ରା ମଞ୍ଚେଶ୍ବର, ନାରଙ୍ଗବସ୍ତ, କଖଡ଼ି, ଅନନ୍ତପୁର ଦେଇ ସେ ସର୍ପେଶ୍ବର ମନ୍ଦିରକୁ ଯାଇଥିଲେ। ସର୍ପେଶ୍ବର ମନ୍ଦିର ଯିବାପୂର୍ବରୁ ଅନନ୍ତପୁରର ଆନନ୍ଦବଜାର ଛକ ନିକଟରେ କେତେକ ବ୍ୟକ୍ତି ବିଜେଡି ପତାକା ଧରି ‘ଗୋ ବ୍ୟାକ୍‌’ ନାରା ଦେଇଥିଲେ। ସେଠାରେ ବିଜେପି କର୍ମୀମାନଙ୍କ ସହ ସେମାନଙ୍କର ପାଟିତୁଣ୍ଡ ଯୁକ୍ତିତର୍କ ହୋଇଥିଲା।

ତେ‌ବେ, ‌ଶୋଭାଯାତ୍ରା ଆଗକୁ ବଢ଼ିଥିବା ବେଳେ କିଛିସମୟ ଭିତରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ସର୍ପେଶ୍ବର ମନ୍ଦିରଠାରେ ପୂଜାର୍ଚ୍ଚନା କରି ଭର୍ତ୍ତୃହରି ମୁଣ୍ଡଳି ବାଟଦେଇ କଟକ ଫେରିଯାଇଥିଲେ। ଏହି ରୋଡ୍‌ ସୋ’ରେ ଆଠଗଡ଼ ବିଧାନସଭା ପ୍ରାର୍ଥୀ ଅଭୟ ବାରିକ, ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ, ନିର୍ବାଚନମଣ୍ତଳୀ ସଂଯୋଜକ ବିକ୍ରମ ଦାଶ, ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି, ସମସ୍ତ ମଣ୍ଡଳ ସଭାପତି ତଥା ଦଳୀୟ କର୍ମୀ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ। ଏଭଳି ବିରୋଧ ସଂପର୍କରେ ଭର୍ତ୍ତୃହରି ପ୍ରତିକ୍ରିୟା ପ୍ରକାଶ ନ କରି କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ନିର୍ବାଚନ ପ୍ରଚାର ନୁହେଁ, ନିର୍ବାଚନ ପ୍ରଚାର ପୂର୍ବରୁ ଦିଅଁ ଦର୍ଶନ କରି ଆଶୀର୍ବାଦ ନେବା।

ସମ୍ବନ୍ଧିତ ଖବର