ଲାଞ୍ଚ କାରବାର ମାମଲା: ପୂର୍ବତନ ତହସିଲଦାରଙ୍କୁ ୨ବର୍ଷ ଜେଲ୍‌

କେନ୍ଦୁଝର: କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ରଞ୍ଜିତା ଦଳେଇ ଆଜି ଏକ ଲାଞ୍ଚ ମାମଲାର ବିଚାର କରି ପାଟଣାର ପୂର୍ବତନ ତହସିଲଦାର ପ୍ରଦୀପ କୁମାର ନାୟକଙ୍କୁ ୨ ବର୍ଷ ଏବଂ ପିଅନ ବିଶ୍ୱନାଥ ନାୟକଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ୨୦୦୯ ସେପ୍ଟେମ୍ବର ୮ ତାରିଖରେ ପାଟଣା ତହସିଲ ଅନ୍ତର୍ଗତ ତୁରୁମୁଙ୍ଗା ଅଞ୍ଚଳର ସନାତନ ପୃଷ୍ଟିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।
ସୂଚନାଯୋଗ୍ୟ, ସନାତନ ପୃଷ୍ଟି ଓ ତାଙ୍କ ୪ ଭାଇ ୫ଟି ପ୍ଲଟ୍‌ କିଣିଥିଲେ। ଉକ୍ତ ଜମିକୁ ସେମାନଙ୍କ ନାମରେ ପଟ୍ଟା କରିବା ପାଇଁ ପାଟଣା ତହସିଲ କାର୍ଯ୍ୟା‌ଳୟରେ ଆବେଦନ କରିଥିଲେ। ପଟ୍ଟା ପାଇଁ ୫ଟି ମ୍ୟୁଟେସନ୍‌ ମାମଲା କରାଯାଇଥିଲା। ଏଥିପାଇଁ ତହସିଲଦାର ପ୍ରଦୀପ କୁମାର ନାୟକ ଆବେଦନକାରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଅର୍ଥ ପିଅନ ବିଶ୍ୱନାଥଙ୍କୁ ଦେବା ପାଇଁ ସେ କହିଥିଲେ। ଏ ସଂପର୍କରେ ସନାତନ ବାଲେଶ୍ୱର ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ୨୦୦୯ ସେପ୍ଟେମ୍ବର ୭ରେ ଅଭିଯୋଗ କରିବାରୁ ଭିଜିଲାନ୍ସ ଏକ ମାମଲା ରୁଜୁ କରିଥିଲା। ପରଦିନ ଲାଞ୍ଚ ଟଙ୍କା ନେବା ବେଳେ ପିଅନ ବିଶ୍ୱନାଥଙ୍କୁ ତହସିଲ କାର୍ଯ୍ୟାଳୟ ପରିସରୁ ଭିଜିଲାନ୍ସ ଧରିଥିଲା।

ତହସିଲଦାରଙ୍କ କହିବା ଅନୁସାରେ ଲାଞ୍ଚ ଟଙ୍କା ଗ୍ରହଣ କରିଥିବା ବିଶ୍ବନାଥ ଭିଜିଲାନ୍ସକୁ କହିଥିଲେ। ଭିଜିଲାନ୍ସ ତାଙ୍କ ସହ ତହସିଲଦାରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଭିଜିଲାନ୍ସ କେସ୍‌ ନମ୍ବର ୩୭/୨୦୦୯ର ଶୁଣାଣି କରି ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ରଞ୍ଜିତା ଦଳେଇ ଆଜି ତତ୍କାଳୀନ ତହସିଲଦାର ପ୍ରଦୀପ କୁମାର ନାୟକଙ୍କୁ ଦୁଇଟି ଦଫାରେ ଯଥାକ୍ରମେ ୨ ବର୍ଷ ଓ ବର୍ଷେ ଜେଲ୍‌ ଏବଂ ୭ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଉଭୟ ଦଣ୍ଡାଦେଶ ଏକକାଳୀନ ଚାଲିବ। ସେହିପରି ଦୁଇଟି ଦଫାରେ ଜରିମାନା ଅନାଦାୟ ହେଲେ ଯଥାକ୍ରମେ ଆଉ ୬ ଓ ୩ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ।

ପିଅନ ବିଶ୍ୱନାଥଙ୍କୁ ବର୍ଷେ ଜେଲ‌୍ ଦଣ୍ଡ ସହ ଦୁଇ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଆଉ ଦୁଇମାସ ଜେଲ୍‌ ଦଣ୍ଡ। ଭିଜିଲାନ୍ସ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପିପି ଦେବଦତ୍ତ ବିଶ୍ୱାଳ ପରିଚାଳନା କରିଥିଲେ। ଦଣ୍ଡିତ ହୋଇଥିବା ପୂର୍ବତନ ତହସିଲଦାର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ମଙ୍ଗଳପୁର ଥାନା ଅନ୍ତର୍ଗତ କଟିକଟା ଗ୍ରାମର। ଏବେ ସେ ଯାଜପୁର ଟାଉନ୍‌ କଲେଜରୋଡ୍‌ ଲଳିତେଶ୍ୱର ନଗରରେ ରହୁଛନ୍ତି। ସେହିପରି ପିଅନ ବିଶ୍ୱନାଥଙ୍କ ଘର ପାଟଣା ବ୍ଲକ୍‌ ତୁରମୁଙ୍ଗା ଥାନା ମହିଷାମୁଣ୍ଡି ଗ୍ରାମରେ। ଉଭୟ ସରକାରୀ ଚାକରିରୁ ଅବସର ଗ୍ରହଣ କରିସାରିଛନ୍ତି। ଉଭୟଙ୍କ ପେନ୍‌ସନ ବନ୍ଦ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର