୧୨ ନୂଆ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୮୭୯୬ କୋଟିର ପୁଞ୍ଜିନିବେଶ

୧୦ ପ୍ରକଳ୍ପର ଶିଳାନ୍ୟାସ, ୨ ଉଦ୍‌ଘାଟିତ, ୭୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଅର୍ଥନୈତିକ ପ୍ରଗତି ବଜାୟ ରଖିବାକୁ ସାରା ବିଶ୍ବ ସଂଘର୍ଷ କରୁଥିବା ବେଳେ ଏଭଳି ଅଭାବନୀୟ ସମୟରେ ମଧ୍ୟ ଶିଳ୍ପାୟନକୁ ଜାରି ରଖିବାରେ ଓଡ଼ିଶା ସଫଳ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୮୭୯୬.୬୧ କୋଟି ଟଙ୍କା ବିନିଯୋଗରେ ସ୍ଥାପନ ହେବାକୁ ଥିବା ୧୨ଟି ଶିଳ୍ପ ପ୍ରକଳ୍ପକୁ ଉନ୍ମୋଚନ କରିଛନ୍ତି। ସେଥିମଧ୍ୟରୁ ୨ଟି ପ୍ରକଳ୍ପକୁ ଆଜି ଉଦ୍‌ଘାଟନ କରାଯାଇଥିବା ବେଳେ ୧୦ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୭୦୯୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜ୍ୟ ସ୍ବାସ୍ଥ୍ୟ ସେବା, ଅକ୍ଷୟ ଶକ୍ତି, ଇସ୍ପାତ, ସୂଚନା ପ୍ରଯୁକ୍ତି, ସିମେଣ୍ଟ୍‌ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ। ଶିଳ୍ପ ସଂସ୍ଥାଗୁଡ଼ିକର ଶିଳାନ୍ୟାସ ଓ ଉଦ୍‌ଘାଟନର ଦଶମ ପର୍ଯ୍ୟାୟରେ ଅଂଶଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। କରୋନା ମହାମାରୀ ସତ୍ତ୍ବେ ନିବେଶକଙ୍କ ଠାରୁ ପୁଞ୍ଜିନିବେଶ ହାସଲ କରିବାରେ ଓଡ଼ିଶା ପସନ୍ଦର ରାଜ୍ୟ ହୋଇ ରହିଛି। ରାଜ୍ୟ ଶିଳ୍ପାୟନର ପୁନରୁଦ୍ଧାର ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ନୂତନ ଶିଳ୍ପ ପ୍ରକଳ୍ପ ଯେଭଳି ଶୀଘ୍ର ସ୍ଥାପନ ହେବ ସେଥିପାଇଁ ରାଜ୍ୟର ସମସ୍ତ ବିଭାଗ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଯାଜପୁରର ହରିଦାସପୁରରେ ରାମ୍‌କୋ ସିମେଣ୍ଟ୍‌ର ଗ୍ରାଇଣ୍ଡିଂ ପ୍ରକଳ୍ପ, ବରଗଡ଼ର ବିଜେପୁରରେ ଆଦିତ୍ୟ ବିର୍ଲା ରିନୁଏବଲସ୍‌ ଲିମିଟେଡ୍‌ର ସୌର ପ୍ରକଳ୍ପ, ଢେଙ୍କାନାଳର ଝାରବନ୍ଧରେ ରୁଙ୍ଗଟା ମାଇନ୍ସର ସମନ୍ବିତ ଇସ୍ପାତ କାରଖାନାର କ୍ଷମତା ୨.୮୫ ଏମ୍‌ଟିପିଏକୁ ସମ୍ପ୍ରସାରଣ ଓ ସମ୍ବଲପୁରର ପାଣ୍ଡୋଲୋଇରେ ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ୍‌ର ପେଲେଟ୍‌ କାରଖାନାର କ୍ଷମତା ୧.୨ ଏମ୍‌ଟିପିଏକୁ ସମ୍ପ୍ରସାରଣ। ଖୋର୍ଦ୍ଧାର ଇନଫୋଭାଲି ଏସ୍‌ଇଜେଡ୍‌ରେ ୟୁବିଏନ୍ ସଫ୍‌ଟଓୟାର ସଲ୍ୟୁସନ୍ସର ପ୍ରକଳ୍ପ, ଖୋର୍ଦ୍ଧାର ଡେରାସରେ ବି-ୱାନ ବିଜନେସ୍ ହାଉସ୍‌ର ସି’ ଫୁଡ୍‌ ପ୍ରୋସେସିଂ ୟୁନିଟ୍, ବଲାଙ୍ଗୀରରେ ସ୍ବସ୍ତି ଇକୋଓୟାରସ୍‌ର ପ୍ରକଳ୍ପ, ଖୋର୍ଦ୍ଧାର ଛତାବରରେ ବୈଦ୍ୟବୁଟି ଫାର୍ମାସିର ମାନୁଫାକ୍‌ଚରିଂ ୟୁନିଟ୍ ଓ ମେହାନ ଇଣ୍ଡଷ୍ଟ୍ରିଜ୍‌ର କଏର ମାଟ୍ରେସ୍‌ ଆଣ୍ଡ୍‌ ଫୋମ୍ ଉତ୍ପାଦନ କାରଖାନ, କଟକର ରାମଦାସପୁରରେ ଡାଇଭର୍ସିଫାଏଡ୍‌ ଏନର୍ଜି ସଲ୍ୟୁସନ୍ସ ଲିମିଟେଡ୍‌ର ୟୁନିଟ୍‌ ଓ ସ୍ବାଗତ ୟୁରେଥିନ୍‌ର ଉତ୍ପାଦନ କାରଖାନା ଏବଂ ଓମ୍ ଇକୋ ବିଲ୍‌ଡ ଟେକ୍‌ର ଉତ୍ପାଦନ କାରଖାନାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି।

ରାଜ୍ୟରେ ନୂତନ ଶିଳ୍ପ ପ୍ରକଳ୍ପ ସ୍ଥାପନ ହୋଇଥିବାରୁ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆନନ୍ଦ ପ୍ରକଟ କରିଛନ୍ତି। ଢେଙ୍କାନାଳରେ ରୁଙ୍ଗଟା ମାଇନ୍ସ ପ୍ରକଳ୍ପର ଉଦ୍‌ଘାଟନ ଅବସରରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବରଗଡ଼ର ବିଜେପୁରରେ ଆଦିତ୍ୟ ବିର୍ଲା ରିନୁଏବଲସ୍‌ ଲିମିଟେଡ୍‌ର ସୌର ପ୍ରକଳ୍ପ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂହ ଉପସ୍ଥିତ ଥିଲେ। ଅନ୍ୟ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଅବସରରେ ଯଥାକ୍ରମେ ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟକ ପ୍ରଣବ ବଳବନ୍ତରାୟ, ରୀତାରାଣୀ ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଡ୍‌କୋ ସିଏମ୍‌ଡି ସଞ୍ଜୟ ସିଂହ ଓ ଏମ୍‌ଏସ୍‌ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର