ପାଣି ପାଇଁ କନିକାରେ ଖଣ୍ଡଯୁଦ୍ଧ ଘଟଣା: ରାତିଅଧିଆ ୨୪ଜଣଙ୍କୁ ଉଠାଇନେଲା ପୁଲିସ

୧୫୦ ଜଣଙ୍କ ନାଁରେ ମାମଲା, ଗିରଫ ସଂଖ୍ୟା‌ ବଢ଼ିବ
ଗିରଫଦାରୀ ବେଆଇନ: ସଂଗ୍ରାମ ସମିତି
ଆନ୍ଦୋଳନକାରୀ ଆଇନ ହାତକୁ ନେଇଛନ୍ତି: ଏସ୍‌ପି

ରାଜକନିକା/ଆଳି : ରାଜକନିକା ବ୍ଲକ୍ ଭାରିଗଦା ନିକଟସ୍ଥ ଖରସ୍ରୋତା ନଦୀ ଉପକଣ୍ଠରେ ନିର୍ମାଣାଧୀନ ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ କରି ଗୁରୁବାର ହୋଇଥିବା ବ୍ୟାପକ ଭଙ୍ଗାରୁଜା ଘଟଣାରେ ପୁଲିସ ଶୁକ୍ରବାର୨୪ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଆଳି ଓ ରାଜକନିକା ଅଂଚଳର ବୋଲି ଜଣାପଡ଼ିଛି।

ରାଜକନିକା ଥାନାରେ ପୁଲିସ ଏବଂ ଠିକା କଂପାନି ପକ୍ଷରୁ ହୋଇଥିବା ଦୁଇଟି ପୃଥକ୍ ଅଭିଯୋଗ ଆଧାରରେ ପୁଲିସ ସମସ୍ତଙ୍କୁ ଗତକାଲି ରାତିରେ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଆଳି ଥାନାରେ ଅଟକ ରଖିଥିଲା। ଶୁକ୍ରବାର ଫାଷ୍ଟଟ୍ରାକ୍‌ କୋର୍ଟରେ ସମସ୍ତଙ୍କ ଜାମିନ୍ ନାମଂଜୁର ହେବା ପରେ ୨୪ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ଏସ୍‌ପି ମଦକର ସନ୍ଦୀପ ସଂପଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୫୦ ଜଣଙ୍କ ନାଁରେ ମାମଲା ଥିବାରୁ ଗିରଫ ସଂଖ୍ୟା ବଢ଼ିବ ବୋଲି ଜଣାପଡ଼ିଛି।

ତେବେ ପୁଲିସର ଏ ପ୍ରକାର ଗିରଫଦାରୀକୁ ନେଇ ଆଳି ଓ କନିକା ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପୁଲିସ ବେଆଇନ ଭାବେ ଗିରଫ କରିଥିବା ସଂଗ୍ରାମ ସମିତି ଅଭିଯୋଗ କରିବା ସହିତ ସଂଗ୍ରାମ ଜାରି ରହିବ ବୋଲି ସମିତି ସଭାପତି ଦୁର୍ଯ୍ୟୋଧନ ସାମଲଙ୍କ ସମେତ ଦୁଇ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଓ ଦେବେନ୍ଦ୍ର ଶର୍ମା ପ୍ରମୁଖ ଚେତାବନୀ ଦେଇଛନ୍ତି। ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ପୁଲିସ ଫୋର୍ସ ସଂଖ୍ୟା ବଢ଼ାଇ ସମୁଦାୟ ୨୨ପ୍ଲାଟୁନ୍ ଫୋର୍ସ ମୁତୟନ କରିଥିବା ସୂଚନା ମିଳିଛି।

ଗୋଟିଏପଟେ ଗିରଫଦାରୀ ଏବଂ ଅନ୍ୟପଟେ ପ୍ରକଳ୍ପସ୍ଥଳରେ ପୁଣିଥରେ ଜୋରସୋରରେ କାମ ଆରମ୍ଭ ହେଇଯାଇଥିବାରୁ ସଂଗ୍ରାମ ସମିତିର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ସଭିଙ୍କ ନଜର ଏବେ କେନ୍ଦ୍ରୀଭୂତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଖରସ୍ରୋତାରେ ନିର୍ମାଣାଧୀନ ପ୍ରକଳ୍ପକୁ କେନ୍ଦ୍ର କରି ମଂଗଳବାରଠାରୁ ପୁଲିସ-ଜନତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିଲା। ଗତକାଲି ଏହା ବିସ୍ଫୋରକ ପରିସ୍ଥିତିର ରୂପ ନେଇଥିଲା।

ସମ୍ବନ୍ଧିତ ଖବର