ଆସନ୍ତା ବର୍ଷ ସୁଦ୍ଧା ପୂର୍ବତଟ ରେଳପଥ ସଂପୂର୍ଣ୍ଣ ବିଦ୍ୟୁତକରଣ ହେବ

‘ସକ୍ଷମ’ର ଉଦ୍‌ଯାପନୀ ସମାରୋହ

ଭୁବନେଶ୍ୱର : ଆସନ୍ତା ୨୦୧୯/୨୦ ସୁଦ୍ଧା ପୂର୍ବତଟ ରେଳପଥ ସଂପୂର୍ଣ୍ଣଭାବେ ବିଦ୍ୟୁତକରଣ ହେବ ବୋଲି କହିଛନ୍ତି ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ଉମେଶ ସିଂ।

ଆଜି ଜୟଦେବ ଭବନରେ ପେଟ୍ରୋଲିୟମ ସଂରକ୍ଷଣ ଗବେଷଣା ସଂସ୍ଥା ବା ପିସିଆରଏ ପକ୍ଷରୁ ଚାଲିଥିବା ତୈଳ ସଂରକ୍ଷଣ ମାସ ‘ସକ୍ଷମ’ ଆଜି ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ସିଂ କହିଲେ, ଭାରତ ଏବେ ବିଶ୍ୱରେ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଛି। ଅଭିବୃଦ୍ଧି ପାଇଁ ଶକ୍ତିର ଆବଶ୍ୟକତା ରହିଛି। ମାତ୍ର ବିଶ୍ୱ ଯେତିକି ପରିମାଣର ଶକ୍ତି ରହିଛି ତାହା ଆସନ୍ତା ୫୩.୫ବର୍ଷରେ ଶେଷ ହୋଇଯିବ। ପ୍ରାକୃତିକ ଗ୍ୟାସ ମଧ୍ୟ ଆସନ୍ତା ୬୦ବର୍ଷ ପରେ ପୃଥିବୀରେ ଆଉ ନ ଥିବ। ତେଣୁ ଶକ୍ତିର ସଂରକ୍ଷଣ ପାଇଁ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡ଼ିବ। ପୂର୍ବତଟ ରେଳବାଇ ମଧ୍ୟ ଶକ୍ତିର ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନେଇଥିବା ଶ୍ରୀ ସିଂ କହିଥିଲେ।

ଆଇଓସିଏଲ୍‌ର ମୁଖ୍ୟ ମହାପ୍ରବନ୍ଧକ ପ୍ରୀତୀଶ ଭରତ କହିଲେ, ଦେଶରେ ୨ଶହ ମିଲିଅନ ମେଟ୍ରିକ ଟନ୍‌ର ପେଟ୍ରୋଲିୟମର ଆବଶ୍ୟକତା ରହିଥିବା ବେଳେ ଦେଶରେ ମାତ୍ର ୬୮ ମିଲିଅନ ମେଟ୍ରିକ ଟନ୍‌ ଉତ୍ପାଦିତ ହେଉଛି। ବଳକା ପେଟ୍ରୋଲିୟମକୁ ବାହାର ଦେଶରୁ ଆଣିବାକୁ ପଡ଼ୁଛି। ଏଥିପାଇଁ ୫୦-୯୦ ବିଲିଅନ ଡଲାରର ଆମଦାନି ବିଲ୍‌ ଦେବାକୁ ପଡ଼ୁଛି। ତେଣୁ ଶକ୍ତି ସଂରକ୍ଷଣ କରିବା ଦ୍ୱାରା ବିଦେଶରୁ ଆମଦାନିକୁ ବଞ୍ଚାଇହେବ। ଆଇଓସିଏଲ ପକ୍ଷରୁ ଶକ୍ତି ସଂରକ୍ଷଣ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଡ୍ରାଇଭରମାନଙ୍କୁ କିଭଳି ଉତ୍ତମ ଢଙ୍ଗରେ ଗାଡ଼ି ଚଳାଇବାକୁ ହେବ ତାହା ଶିକ୍ଷା ଦିଆଯାଉଛି। ନିକଟରେ ରାଜ୍ୟରେ ସାଇକ୍ଲୋଥନ୍‌ ସହିତ ବାଇ ସାଇକେଲ ଦିବସ, ଟିଭି ଓ ରେଡିଓରେ ସଚେତନତା ବାର୍ତା ଦିଆଯାଉଛି ବୋଲି ଶ୍ରୀ ଭରତ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଗେଲ୍‌ର ସିଜିଏମ୍‌ ଏସ୍‌.କେ ପାଠକ, ବିପିସିଏଲର ରାଜ୍ୟ ମୁଖ୍ୟ(ରିଟେଲ) ଦେବାଶିଷ ପାଲିତ, ଏଚ୍‌ପିସିଏଲର ମୁଖ୍ୟ ପ୍ରବନ୍ଧକ(ଏଲପିଜି) ଡି.ବେହୁରା, ଆଇଓସିଏଲର ଡିଜିଏମ୍‌(ଟିଏସ୍‌) ଏମ୍‌.କେ ସିହ୍ନା ଓ ପିସିଆରଏର ଅତିରିକ୍ତ ନିର୍ଦେଶକ ଡି.ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର