ଭୁବନେଶ୍ବର : ହଜ୍‌ ଯାତ୍ରୀଙ୍କ ପାଇଁ ରାଜଧାନୀରେ ନିର୍ମାଣ ହୋଇଥିବା ହଜ୍‌ ହାଉସ୍‌କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହାସହ ଚଳିତବର୍ଷ ହଜ୍‌ ଯାତ୍ରାରେ ଯିବାକୁ ଥିବା ଓଡ଼ିଶାର ୬୫୩ଜଣ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତବର୍ଷ ୩୮୬ଜଣ ପୁରୁଷ ଏବଂ ୨୬୭ଜଣ ମହିଳା ହଜ୍‌ ଯାତ୍ରାରେ ଯାଉଛନ୍ତି।

Advertisment

ଆଜି ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ହଜ୍‌ ହାଉସ୍‌କୁ ଉଦ୍‌ଘାଟନ କରିବା ପରେ ହଜିମାନଙ୍କୁ ଯାତ୍ରା କିଟ୍‌ ବଣ୍ଟନ କରିଥିଲେ। ଏହାପରେ କହିଥିଲେ ଯେ, ସଂଖ୍ୟାଲଘୁ ସଂପ୍ରଦାୟର ବିକାଶ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସେମାନଙ୍କ ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ଅର୍ବାନ୍ ହଷ୍ଟେଲ୍‌ ଓ ଶିକ୍ଷାବୃତ୍ତି ସହିତ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସଂଖ୍ୟାଲଘୁ ବର୍ଗର କଲ୍ୟାଣ ସହିତ ରାଜ୍ୟର ସବୁ ବର୍ଗର ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

publive-image

ସୂଚନାଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସଂଖ୍ୟାଲଘୁ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୪୦ଟି ହଷ୍ଟେଲ୍ ନିର୍ମାଣ କରାଯାଉଛି। ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନରେ ଲାଇବ୍ରେରି, ଅତିରିକ୍ତ ଶ୍ରେଣୀଗୃହ, ଲାବୋରେଟୋରି ଇତ୍ୟାଦିର ବ୍ୟବସ୍ଥା କରାଯାଉଛି। ସେମାନଙ୍କ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୧୦୦ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଅନୁମୋଦନ ମଧ୍ୟ ହୋଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ସଚିବ କେ.ରଘୁ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।