ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ସମନ୍ବୟ ବୈଠକ

ବାହାର ଭକ୍ତ ନୁହେଁ, ପୀଠ ନିକଟ ୪ ପଞ୍ଚାୟତର ଶ୍ରଦ୍ଧାଳୁ କରିପାରିବେ ବାବାଙ୍କ ଦର୍ଶନ

ଆରଡ଼ି: ଆସନ୍ତା ମାର୍ଚ୍ଚ ୧ ତାରିଖ ଦିନ ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗର ଯାତ୍ରା। ଏଥିପାଇଁ ବୁଧବାର ଅପରାହ୍ନରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭଦ୍ରକ ଜିଲ୍ଲାପାଳ ତଥା ଜାଗରଯାତ୍ରା କମିଟିର ଅଧ୍ୟକ୍ଷ ତ୍ରିଲୋଚନ ମାଝୀ, ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଜାଗରଯାତ୍ରା ପାଇଁ ବାବା ଆଖଣ୍ଡଳମଣିଙ୍କ ପୀଠରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମନ୍ଦିର କାମ ତଥା ମନ୍ଦିରକୁ ଯାଇଥିବା ରାସ୍ତା ମରାମତି ସହ ପାନୀୟଜଳ, ସ୍ବାସ୍ଥ୍ୟ, ପରିମଳ, ଆଲୋକ ଆଦିର ବ୍ୟବସ୍ଥା ହେଉଥିବା ଏବଂ ଯାତ୍ରା ମାତ୍ର ୬ ଦିନ ବାକିଥିବାରୁ ବକେୟା କାମ ଶୀଘ୍ର ସାରିବା ପାଇଁ ଆଲୋଚନା ହୋଇଥିଲା। ସେହିପରି ଜାଗର ଯାତ୍ରା ଦିନ ହେବାକୁ ଥିବା ସ୍ବତନ୍ତ୍ର ନୀତିକାନ୍ତି କିପରି ସୁଚାର ଭାବେ ସମ୍ପନ୍ନ ହେବ, ସେନେଇ ବିଷଦ ଆଲୋଚନା କରାଯାଇଥିଲା।

ପରମ୍ପରା ଅନୁଯାୟୀ ରାତି ୧ଟାରେ ମଣିବାବାଙ୍କର ସୁନାବେଶ ଅନୁଷ୍ଠିତ ହେବା ସହ ଭୋର୍‌ ୫ଟାରେ ମନ୍ଦିରକୁ ମହାଦୀପ ଉଠିବ ବୋଲି କୁହାଯାଇଥିଲା। ତେବେ କରୋନା କଟକଣା ବଳବତ୍ତର ଥିବାରୁ ଚଳିତବର୍ଷ ଭକ୍ତଙ୍କ ପାଇଁ ଦିଅଁ ଦର୍ଶନ ବନ୍ଦ ରହିବ। ତେବେ ପୂର୍ବ ବର୍ଷ ପରି ପୀଠ ଆଖପାଖରେ ଥିବା ୪ଟି ପଞ୍ଚାୟତର ଭକ୍ତଙ୍କୁ ବାବାଙ୍କ ଦର୍ଶନ ପାଇଁ ଅନୁମତି ଦିଆଯିବ ବୋଲି ଟ୍ରଷ୍ଟି ଶ୍ରୀ ପାତ୍ର ସୂଚନା ଦେଇଥିଲେ। ବୈଠକ ପୂର୍ବରୁ ଜିଲ୍ଲାପାଳ ତଥା ଜାଗରଯାତ୍ରା କମିଟିର ଅଧ୍ୟକ୍ଷ ତ୍ରିଲୋଚନ ମାଝୀ ମନ୍ତିରର ଉନ୍ନତୀମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର