ସହରାଞ୍ଚଳରେ କରୋନା ସଂକ୍ରମଣ ଆଶଙ୍କା ଅଧିକ, ନ୍ୟୁୟର୍କ ଭଳି ପୁରୀରେ ୧ବର୍ଗ କିମିରେ ରହୁଛନ୍ତି ୧୦ ହଜାର ଲୋକ

୩-୩୦-୩୦୦-୩୦୦୦କୁ ସଂକ୍ରମଣ ଜନସାଧାରଣଙ୍କ ହାତରେ

ଭୁବନେଶ୍ବର: ରାଜ୍ୟର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ କରୋନା ସଂକ୍ରମଣର ଆଶଙ୍କା ଅଧିକ। ସହରାଞ୍ଚଳ ପ୍ରତି ବର୍ଗ କିମିରେ ହଜାର ହଜାର ଲୋକ ବସବାସ କରୁଛନ୍ତି। ଏପରିକି ଆଜି ରାଜ୍ୟର ପୁରୀ ସହରର ୧ ବର୍ଗ କିମି ଅଞ୍ଚଳରେ ଯେତିକି ଲୋକ ବସବାସ କରୁଛନ୍ତି ତାହା ଆମେରିକାର ନ୍ୟୁୟର୍କ ସହର ସହିତ ତୁଳନୀୟ। ତେଣୁ ୩ରୁ ୩୦ ବା ୩୦୦ ହୋଇ ୩୦୦୦କୁ କରୋନା ସଂକ୍ରମଣ ବ୍ୟାପିବା କିମ୍ବା ଏହାକୁ ରୋକିବା ଜନସାଧାରଣଙ୍କ ହାତରେ ରହିଛି ବୋଲି କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ଆଜି ଶ୍ରୀ ବାଗ୍‌ଚୀ କହିଲେ, ପୁରୀ ପରେ ଭୁବନେଶ୍ବରରେ ୧ବର୍ଗ କିମି ଅଞ୍ଚଳରେ ସର୍ବାଧିକ‌ ଲୋକ ରହୁଛନ୍ତି। ନ୍ୟୁୟର୍କ ଭଳି ପୁରୀରେ ୧ବର୍ଗ କିମିରେ ୧୦ ହଜାର ଲୋକ ରହୁଛନ୍ତି। ଏପରିକି ଓଡ଼ିଶାର ଜୟପୁରରେ ୧ବର୍ଗ କିମି ଅଞ୍ଚଳରେ ଯେତିକି ଲୋକ ରହୁଛନ୍ତି ତାହାକୁ ଇଟାଲିର ରୋମ୍ ସହର ସହିତ ତୁଳନା କରାଯାଇପାରେ। ରୋମ୍‌ରେ ୧ ବର୍ଗ କିମି‌ରେ ୫ ହଜାର ଲୋକ ବସବାସ କରୁଛନ୍ତି। ତେଣୁ ଆମର ଏବେ ନୀତି କୋହଳ ହେବାର ସମୟ ଆସିନାହିଁ। ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ବ୍ୟକ୍ତି ଚଳିତ ମାସ ୧୫ତାରିଖରେ ଚିହ୍ନଟ ହୋଇଥିବା ବେଳେ ୧୯ତାରିଖରେ ଦ୍ବିତୀୟ ପଜିଟିଭ୍ ଏବଂ ତୃତୀୟ ପଜିଟିଭ୍ ବ୍ୟକ୍ତି ୨୬ତାରିଖରେ ଚିହ୍ନଟ ହୋଇଥିଲେ। ଆଜି ୪ର୍ଥ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚୀନ୍ ସରକାର ଲକ୍‌ଡାଉନ୍‌କୁ କଡ଼ାକଡ଼ି କରିବା ଓ ଜନସାଧାରଣଙ୍କ ସହଯୋଗ ଯୋଗୁଁ ସେଠାରେ ସଂକ୍ରମଣ ହ୍ରାସ ପାଇଛି। ଏହାସହ ଇଟାଲି, ଆମେରିକାର ଲୋକମାନେ ସଙ୍ଗରୋଧ ବା କ୍ବାରାଣ୍ଟିନ୍‌ରେ ରହିଛନ୍ତି। ତେଣୁ ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ସାମାଜିକ ଦୂରତ୍ବ, ହାତ ଧୋଇବା ଓ ଲକ୍‌ଡାଉନ୍‌କୁ ପାଳନ କରିବା ଜରୁରୀ। ରାଜ୍ୟର ୧୧୪ଟି ପୌରାଞ୍ଚଳରେ ସମୁଦାୟ ୩୨୫୩୮ ଶଯ୍ୟା ସମ୍ବଳିତ ୩୭୭ଟି ସଙ୍ଗ‌ରୋଧ କେନ୍ଦ୍ର ଚିହ୍ନଟ କରାଯାଇଛି। ରାଜ୍ୟରେ କୋଭିଡ-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୩୦ମାର୍ଚରୁ ୩୧ମାର୍ଚ ସକାଳ ପର୍ଯ୍ୟନ୍ତ ୨୦୯ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୯୮ଟି ମାମଲା ଲକ୍‌ଡାଉନ୍ ସଂପର୍କିତ ହୋଇଥିବା ବେ‌ଳେ ଦୁଇଟି ‌ଗୃହ ସଙ୍ଗରୋଧ ଉଲ୍ଲଂଘନ ଓ ୯ଟି କୋଭିଡ-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ଅନ୍ତର୍ଭୁକ୍ତ ରହିଥିବା ଶ୍ରୀ ବାଗ୍‌ଚୀ ସୂଚନା ଦେଇଛନ୍ତି।

ଛୋଟ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
କରୋନା ଯୋଗୁଁ ଲକ୍‌ଡାଉନ୍‌ କଟକଣାକୁ ପାଳନ କରିବା ଦିଗରେ ବର୍ତ୍ତମାନ ସୁଦ୍ଧା ସାନ ସାନ ପିଲାମାନେ ସବୁଠୁ ଆଗରେ। ଆଜି ଏ ବିଷୟରେ ଉଲ୍ଲେଖ କରି ଶ୍ରୀ ବାଗ୍‌ଚୀ କହିଥିଲେ ଯେ ଲକ୍‌ଡାଉନ୍‌ ବେଳେ କୌଣସି ଛୋଟ ପିଲା ବାହାରେ ବୁଲିବାର ଦେଖାଯାଉ ନାହିଁ। ଅର୍ଥାତ ସେମାନେ କଟକଣାକୁ ଉଲ୍ଲଂଘନ କରିନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କୁ ସ୍ନେହ ଜଣାଇଛନ୍ତି ଏବଂ ପିଲାମାନେ ଘରେ ରହି ବଡ଼ମାନଙ୍କୁ ମଧ୍ୟ ଏ ଦିଗରେ ସଚେତନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର