ଦୌଡୁଛନ୍ତି ଶ୍ରମିକ, ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ : କାର୍ଡ ନବୀକରଣ ହୋଇ ନଥିବାରୁ ମିଳୁନି କରୋନା ସହାୟତା

କନ୍ଧମାଳରେ ଅଯୋଗ୍ୟ ପାଇଲେ,ଯୋଗ୍ୟ ବାଦ୍ ପଡିଲେ

ଫୁଲବାଣୀ : ପାଖରେ ଶ୍ରମିକ କାର୍ଡ ଅଛି। ହେଲେ ନବୀକରଣ ହୋଇ ପାରି ନଥିବାରୁ କରୋନା ସହାୟତା ପାଇ ପାରୁ ନାହାନ୍ତି ହିତାଧିକାରୀ। ଶ୍ରମିକ କାର୍ଡ ଧରି ହିତାଧିକାରୀ ସହାୟତା ରାଶି ପାଇଁ ଇଆଡେ ସିଆଡେ ବୁଲୁଛନ୍ତି। ଏମିତି କି ବ୍ଳକରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସବୁ ଦିନ ଦୌଡୁଛନ୍ତି। ହେଲେ କିଛି ସୁଫଳ ମିଳି ପାରୁ ନାହିଁ। ଶ୍ରମିକ କାର୍ଡଧାରୀଙ୍କୁ ୧ହଜାର ୫୦୦ ଟଙ୍କା ଦେବାକୁ ସରକାର ଘୋଷଣା କରିଛନ୍ତି। ହେଲେ ନବୀକରଣ କଥା ସରକାର କିଛି କହି ନଥିଲେ। ଯାହା ଫଳରେ ସବୁ କାର୍ଡଧାରୀ ସହାୟତା ରାଶି ପାଇବେ ବୋଲି ନିଶ୍ଚିତ ଥିଲେ। ଗ୍ରାମାଞ୍ଚଳରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ସହରାଞ୍ଚଳରେ ପୌର କର୍ମଚାରୀ ଏହି ସହାୟତା ରାଶି ବାଣ୍ଟୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ମନଇଛା ନିୟମ କରାଯାଇଛି। ଯାହାର କାର୍ଡ ୩ ବର୍ଷ ହେଲା ନବୀକରଣ ହୋଇ ନାହିଁ ସେମାନଙ୍କୁ ସହାୟତା ରାଶି ଦିଆଯାଉ ନାହିଁ। ଏହାକୁ ନେଇ କାର୍ଡଧାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ସମୁଦାୟ ୭୫ହଜାର ୧୨୨ ଜଣଙ୍କ ନାଁରେ ଶ୍ରମିକ କାର୍ଡ ରହିଛି। ସେଥି ମଧ୍ୟରୁ ୧୫ ହଜାର କାର୍ଡ ନବୀକରଣ ହୋଇ ପାରି ନାହିଁ। କାହାର ଅର୍ଥ ଅଭାବରୁ ତ ଆଉ କାହାର ଅଜାଣତରୁ କାର୍ଡ ନବୀକରଣ ହୋଇ ପାରି ନାହିଁ। ଯେଉଁଥି ପାଇଁ ବର୍ତ୍ତମାନ ଦିଆଯାଉଥିବା କରୋନା ସହାୟତାରୁ ସେମାନେ ବଞ୍ଚିତ ହେଉଛନ୍ତି। ପଡୋଶୀଙ୍କ ଛାତ ଘର, ଗାଡି ଅଛି। ସେ ପରିବାରର ୩ ଜଣଙ୍କ ନାଁରେ କାର୍ଡ କରିଛନ୍ତି। ତାଙ୍କୁ ୪ହଜାର ୫୦୦ ଟଙ୍କା ସହାୟତା ମିଳିଲା। ହେଲେ ଆମେ ଗରୀବ ଲୋକ। କାର୍ଡ ଅଛି। ନବୀକରଣ ହୋଇ ନଥିବାରୁ ସହାୟତା ମିଳୁ ନାହିଁ ବୋଲି କହନ୍ତି କାଳିଆ ମଲ୍ଲିକ। ସେହିଭଳି ବିଧବା ମାଳତୀ ବେହେରା ଓ ସାଧବାଣୀ ମଲ୍ଲିକ ମଧ୍ୟ ଅନୁରୂପ ଭାବେ ସେମାନଙ୍କୁ ସହାୟତା ରାଶି ମିଳୁ ନାହିଁ ବୋଲି କହିଛନ୍ତି। ଏହାକୁ ନେଇ ୩ ଦିନ ପୂର୍ବେ ଶତାଧିକ ହିତାଧିକାରୀ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ। ସରକାରଙ୍କ ସହ କଥା ହୋଇ କିଛି ଗୋଟେ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ୩ ଦିନ ବିତି ଯାଇଥିଲେ ବି ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ନବୀକରଣ ହୋଇ ନଥିବା ୧୫ହଜାର ହିତାଧିକାରୀ କରୋନା ସହାୟତା ପାଇ ପାରୁ ନଥିବା ବେଳେ ଜାଲିଆତି କରି କାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀ ସହାୟତା ନେଇ ହଜମ କରି ସାରିଲେଣି। ପୁଲିସଠାରୁ ଆରମ୍ଭ କରି ଶିକ୍ଷକ ଏମିତି ୨୦ ହଜାର ପାଖାପାଖି ଅଯୋଗ୍ୟ ହିତାଧିକାରୀ ସରକାରଙ୍କ ସୁବିଧା ହାସଲ କରିବାକୁ ଜାଲିଆତି କରି ଶ୍ରମିକ କାର୍ଡ କରି ନେଇଛନ୍ତି। ଏଥିରେ କିଛି ଦଲାଲ ଓ ଶ୍ରମ ବିଭାଗ କାର୍ଯ୍ୟାଳୟର କର୍ମଚାରୀଙ୍କ ହାତ ଥିବା କୁହାଯାଉଛି। ଜାଲିଆତି କରି କାର୍ଡ କରି କରୋନା ସହାୟତା ନେଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଶ୍ରମ ବିଭାଗ ପକ୍ଷରୁ ଚିହ୍ନଟ କରାଯାଉ। ତାଲିକାରୁ ସେମାନଙ୍କ ନାଁ ବାଦ କରାଯାଉ। ଆଉ ନେଇଥିବା ସହାୟତା ରାଶି ସେମାନଙ୍କଠାରୁ ଆଦାୟ କରି ନବୀକରଣ ହୋଇ ପାରି ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଉ ବୋଲି ବିଭିନ୍ନ ମହଲାରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର