ସିଭିଲ୍‌ ସର୍ଭିସ୍‌ ଉପରେ ପ୍ରଶ୍ନ ଉଠାଇଲେ ସୁବ୍ବାରାଓ: ‘ବ୍ରିଟିସ୍ ତିଆରି ଇସ୍ପାତ ଢାଞ୍ଚାରେ ଜଙ୍କ୍ ଲାଗିଗଲାଣି’

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡି ସୁବ୍ବାରାଓ ପ୍ରଶାସନିକ ପରୀକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ବ୍ରିଟିସ୍‌ମାନେ ତିଆରି କରିଥିବା ଏହି ଇସ୍ପାତ ଢାଞ୍ଚାରେ ଜଙ୍କ୍‌ ଲାଗିଗଲାଣି। ଏହି ବ୍ୟବସ୍ଥାରେ ସୁଧାର ଓ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ ନିଜ ପୁସ୍ତକ ‘ଜଷ୍ଟ୍‌ ଏ ମର୍ସିନରି? ନୋଟ୍‌ସ ଫ୍ରମ୍ ମାଇଁ ଲାଇଫ୍ ଆଣ୍ଡ୍‌ କ୍ୟାରିୟର’ରେ ଲେଖିଛନ୍ତି। ସେ କହିଛନ୍ତି ଯେ ଆଇଏଏସ୍‌, ଆଇପିଏସ୍ ଓ ଆଇଏଫ୍ଏସ୍ ଚୟନ କରିବା ଲାଗି ଭାରତୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପ୍ରତିବର୍ଷ ସିଭିଲ୍ ସର୍ଭିସ୍ ପରୀକ୍ଷା ଆୟୋଜନ କରୁଛି। ବ୍ରିଟିସ୍‌ ଅମଳର ଏହି ବ୍ୟବସ୍ଥା ଏବେବି ଭାରତ ଭଳି ବିଶାଳ ଓ ବିବିଧତାପୂର୍ଣ୍ଣ ଦେଶ ପାଇଁ ଆବଶ୍ୟକ। କିନ୍ତୁ ଏଥିରେ ସୁଧାର ଜରୁରୀ। ବିଭିନ୍ନ ଦୃଷ୍ଟି‌ରୁ ତାହାକୁ ନୂଆ ରୂପ ଦେବାର ଆବଶ୍ୟକତା ରହିଛି ବୋଲି ସୁବ୍ବାରାଓ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଜଙ୍କ୍‌ ଲାଗିଯାଇଥିବା ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଫୋପାଡ଼ି ଦିଆଯାଉ ବୋଲି ମୁଁ କହୁନାହିଁ। ଏହାର ମୂଳ ଚମକକୁ ଫେରାଇ ଆଣିବା ଲାଗି ଉଦ୍ୟମ କରିବାକୁ ହେବ। ସମୟ ଅତିକ୍ରାନ୍ତ କରିବା ସହ ଆଇଏଏସ୍‌ଙ୍କ ପ୍ରବୃତ୍ତି ବଦଳିଯାଇଛି। ଏହି ବୃତ୍ତିରେ ଅଯୋଗ୍ୟ, ଉଦାସୀନତା ଓ ଦୁର୍ନୀତି ପ୍ରବେଶ କରିଛି। ପଥଭ୍ର‌ଷ୍ଟ ହୋଇଥିବା ଅଧିକାରୀମାନଙ୍କ ଏକ ଗୋଷ୍ଠୀ ଏହାକୁ ତିଆରି କରିଛନ୍ତି। ସେହି ଗୋଷ୍ଠୀର ଆକାର ଏବେ ବହୁତ ବଡ଼ ହୋଇଗଲାଣି ବୋଲି ସେ କହିଛନ୍ତି। ପୂର୍ବତନ ବିଚାରପତି ଓ ବରି‌ଷ୍ଠ ଅଧିକାରୀମାନେ ନିଜ ବୃତ୍ତିରୁ ଅବ୍ୟାହତି ନେବା ପରେ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରସଙ୍ଗରେ ମତ ରଖି ସୁବ୍ବାରାଓ କହିଛନ୍ତି ଯେ ରାଜନୀତିରେ ସାମିଲ ହେବାର ଅଧିକାର ଦେଶର ପ୍ରତିଟି ନାଗରିକଙ୍କ ରହିଛି। ଏହା ହେଉଛି ଏକ ଗଣତାନ୍ତ୍ରିକ ଅଧିକାର। କୌଣସି ବ୍ୟକ୍ତିଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। ତେବେ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଅଧିକାରୀମାନେ ନିଜ ସଚ୍ଚୋଟତା ସହ ସାଲିସ କରିବାର ଆଶଙ୍କା ରହିଛି। ଏଭଳି ଆଶଙ୍କାକୁ ଏଡ଼ାଇବା ଲାଗି ଚାକିରିରୁ ଅବ୍ୟାହତି ନେବାର ତିନି ବର୍ଷ ପରେ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯିବା ଉଚିତ ବୋଲି ସେ କହିଛନ୍ତି।

ସୁବ୍ବାରାଓ ନିଜ ପୁସ୍ତକରେ ୨ଜି ଦୁର୍ନୀତି ଉପରେ ଆଲୋଚନା କରି ୧.୭୬ ଲକ୍ଷ କୋଟି ଟଙ୍କାର ଯେଉଁ କ୍ଷତି ‌ହୋଇଛି ବୋଲି ଆକଳନ କରାଯାଇଥିଲା ତାହା ଉପରେ ପ୍ରଶ୍ନ ଉଠାଇଥିଲେ। ସବୁ ଲୋକଙ୍କ ପାଖରେ ଟେଲିକମ୍ ସେବା ପହଞ୍ଚାଇବା ଲାଗି ଯଦି କିଛି ରାଜସ୍ବକୁ ସରକାର ହାତଛଡ଼ା କରିବାକୁ ନିଷ୍ପତ୍ତି ନେଇଥିବେ ତେବେ ତାହାକୁ ନିଜ ବିଚାରରେ ଯଦି ସିଏଜି କ୍ଷତି ବୋଲି କହିବ ତେବେ ବଜେଟ୍‌ରେ ଦିଆଯାଉଥିବା ସବୁ ଟିକସ ରିହାତିକୁ କ୍ଷତି କୁହାଯାଇପାରିବ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ ଜଣାଇଥିଲେ ଯେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଓ ପି ଚିଦମ୍ବରମ୍ ଅର୍ଥନୀତିର ଗୋଲାପୀ ଚିତ୍ର ଉପସ୍ଥାପନ କରିବା ଲାଗି ଚାପ ପକାଇଥିଲେ। ସରକାରଙ୍କ ଗୁଣଗାନ କରିବାକୁ କହୁଥିଲେ। ମୁଦ୍ରାସ୍ଫୀତି ହାରକୁ କମ୍ କରି ଦେଖାଇବା ଏବଂ ଅଭିବୃଦ୍ଧି ଯେଭଳି ବଢ଼ିବ ସେଥିପାଇଁ ପଦକ୍ଷେପ ନେବାକୁ କହୁଥିଲେ। ତାହା ତାଙ୍କୁ ବିରକ୍ତ ଲାଗିଥିଲା ବୋଲି ସୁବ୍ବାରାଓ ନିଜ ପୁସ୍ତକରେ ଲେଖିଛନ୍ତି। ଲୋକମାନଙ୍କୁ ମାଗଣା ସ୍କିମ୍‌ରେ ଯାହା କିଛି ଦିଆଯାଉଛି ତାହାକୁ ନେଇ ଶ୍ବେତପତ୍ର ଜାରି କରାଯିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ କହିଥିଲେ। ଭାରତୀୟ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧିକୁ ନେଇ ଆଗୁଆ ଉତ୍ସବ ପାଳନ କରିବାକୁ ସେ ଲୋକମାନଙ୍କୁ ମନା କରିଥିଲେ।

ସମ୍ବନ୍ଧିତ ଖବର