କରୋନା ଚିନ୍ତା : ବିଦେଶରୁ ଫେରି ଲୁଚିଲେ କାର୍ଯ୍ୟାନୁଷ୍ଠାନ

ଅଧିକ ତାପମାତ୍ରାରେ କରୋନା ନ ବ୍ୟାପିବା ସଂପର୍କରେ ଗବେଷଣା ହୋଇନି

ଭୁବନେଶ୍ବର : ଯେଉଁ ବ୍ୟକ୍ତିମାନେ ବିଦେଶରୁ ଫେରୁଛନ୍ତି ଅଥଚ ସେମାନଙ୍କ ଗସ୍ତ ସଂପର୍କରେ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେଉ ନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଦରକାର ପଡ଼ିଲେ ଗିରଫ ମଧ୍ୟ କରାଯାଇ ପାରେ। ରାଜ୍ୟ ସରକାର ଖୁବଶୀଘ୍ର ୧୮୯୭ ମସିହା ଏପିଡେମିକ୍ ଆଇନ ରାଜ୍ୟରେ କାର୍ଯ୍ୟକାରୀ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛନ୍ତି। କେରଳ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରି ସାରିଛନ୍ତି। ରାଜ୍ୟରେ କରୋନା (କୋଭିଡ୍‌-୧୯) ସଂକ୍ରମଣକୁ କଡ଼ାକଡ଼ି କରିବା ଲାଗି ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି।

ନିକଟରେ ଇଟାଲିରୁ ଜଣେ ଉଚ୍ଚଶିକ୍ଷିତା ଯୁବତୀ କଟକକୁ ଫେରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗକୁ ଚକ୍‌ମା ଦେଖାଇଥିଲେ। ସେହିପରି କିଛିଦିନ ପୂର୍ବରୁ ଆୟର୍ଲାଣ୍ଡର ଜଣେ ବ୍ୟକ୍ତି ଏସ୍‌ସିବି ମେଡିକାଲକୁ ଖସିଯିବାରେ ସକ୍ଷମ ହୋଇଥିଲେ। ତେଣୁ ଏସବୁର ଆଗକୁ ଯେପରି ପୁନରାବୃତ୍ତି ନ ହୁଏ ସେ ଦୃଷ୍ଟିରୁ ରାଜ୍ୟରେ ଏଭଳି ଆଇନକୁ କାର୍ଯ୍ୟକାରୀ କରିବା ଲାଗି ସରକାର ଚିନ୍ତା କରୁଛନ୍ତି। ଆଇନ କାର୍ଯ୍ୟକାରୀ ହେଲେ ଡିଏମ୍‌ଇଟି, ଜନସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟସେବା ନିର୍ଦେଶକ ରାଜ୍ୟ ସ୍ତରରେ ଓ ଜିଲ୍ଳାପାଳ ଏବଂ ସିଡିଏମ୍‌ଓମାନଙ୍କୁ ଏହାର କ୍ଷମତା ପ୍ରଦାନ କରାଯିବ ବୋଲି ସୂଚନା ମିଳୁଛି।

ଆଜି ଲୋକସଂପର୍କ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଲେ, ୧୧୦ଟି ଦେଶରେ କରୋନା ବ୍ୟାପୀଥିବା ବେଳେ ୧ଲକ୍ଷ ୨୧ହଜାର ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। ଦେଶର ୭ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ୬୦ଜଣ କରୋନା ପିଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ବିଶେଷକରି ଚୀନ୍, ହଂକଂ, କୋରିଆ, ଇଟାଲି, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ମାଲେସିଆ, ଫ୍ରାନ୍‌ସ, ଜର୍ମାନି, ଆମେରିକା ଓ ଇଂଲଣ୍ଡ ଭଳି ଦେଶରୁ ଯେଉଁ ଲୋକମାନେ ଫେରୁଛନ୍ତି ସେମାନେ ଅତିକମ୍‌ରେ ୧୪ଦିନ ନିଜେ କ୍ବାରାଣ୍ଟାଇନ୍‌ରେ ରହିବା ଜରୁରୀ। ଯଦି ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଏଭଳି ସୁବିଧା ନାହିଁ ସେମାନେ ସ୍ବାସ୍ଥ୍ୟ ବିଭାଗର କଣ୍ଟ୍ରୋଲ ରୁମ୍‌କୁ ଜଣାଇଲେ ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ବାରାଣ୍ଟାଇନ୍‌ର ସୁବିଧା ଯୋଗାଇ ଦିଆଯିବ।

ରାଜ୍ୟରେ ଏବେ ଆରଏମ୍‌ଆରସିରେ କରୋନା ସଂକ୍ରମିତ ପରୀକ୍ଷା କରାଯାଉଛି। ୧୬ଟି ନମୁନା ମଧ୍ୟରୁ ୧୪ଟି ନମୁନା ରିପୋର୍ଟ ନେଗେଟିଭ୍ ରହିଛି। ଲୋକମାନେ ସାବୁନରେ ହାତ ଧୋଇବା, ଛିଙ୍କିବା ସମୟରେ କହୁଣୀରେ ମୁହଁକୁ ଆବଦ୍ଧ କରି ଛିଙ୍କିବା ଭଳି ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ‌ ବଜାରରେ ମାସ୍କର କଳାବଜାର ସଂପର୍କରେ ଅଭିଯୋଗ ହେବା ପରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଡ୍ରଗ୍‌ସ କ‌ଣ୍ଟ୍ରୋଲରଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇ ଦିଆଯାଇଛି। ଜଣେ ସୁସ୍ଥ ଲୋକର ମାସ୍କର କୌଣସି ଆବଶ୍ୟକତା ନ ଥିବା ବେଳେ ଯେଉଁମାନେ ସନ୍ଦିଗ୍ଧ କିମ୍ବା ପଜିଟିଭ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନେ ମାସ୍କ ପିନ୍ଧିବା ଜରୁରୀ। ସାମାଜିକ ଗଣମାଧ୍ୟମରେ ତାପମାତ୍ରା ଅଧିକ ରହିଲେ କରୋନା ଭୂତାଣୁ ସଂକ୍ରମିତ ହେବ ନାହିଁ ବୋଲି ଅନେକ ସୂଚନା ଦେଉଛନ୍ତି। ମାତ୍ର ଏହା ଏକ ଗୁଜବ।

ତାପମାତ୍ରା ଅଧିକ ରହିଲେ କରୋନା ଭୂତାଣୁ ସଂକ୍ରମିତ ହେବ କି ନାହିଁ ତାହା ସଂପର୍କରେ ଆଜି ପର୍ଯ୍ୟନ୍ତ କୌଣସି ଗବେଷଣା କରାଯାଇ ନାହିଁ। ତେଣୁ ଲୋକମାନେ ଏଭଳି ଗୁଜବରେ ବିଶ୍ବାସ ନ କରି ଯଥାସମ୍ଭବ ନିଜକୁ ସୁରକ୍ଷିତ ରଖନ୍ତୁ। ଘରୋଇ କିମ୍ବା କର୍ପୋରେଟ୍ ସଂସ୍ଥାରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀଙ୍କ ଯଦି ଫ୍ଲୁର ଲକ୍ଷଣ ଥାଏ ତେବେ ତାଙ୍କୁ ୱାର୍କ ଆଟ୍ ହୋମ୍ ବା ଘରୁ କାମ କରିବା ପାଇଁ କମ୍ପାନି କର୍ତୃପକ୍ଷ ପ୍ରୋତ୍ସାହିତ କରିବା ଆବଶ୍ୟକ। ଗହଳି ସ୍ଥାନକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ରହିଛି। ଯେହେତୁ ରାଜ୍ୟରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ କରୋନା ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି ତେଣୁ ସ୍କୁଲ, ସିନେମା ହଲ କିମ୍ବା ମଲ୍‌କୁ ବନ୍ଦ କରିବା ପାଇଁ କୌଣସି ନିର୍ଦେଶ ଜାରି କରାଯାଇ ନାହିଁ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ଏ ସଂପର୍କରେ ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି ଶ୍ରୀ ଧଳ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାନ୍ତି, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ଅଜିତ ମହାନ୍ତି ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଡା.ନିହାର ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର