୮ ମାସ ପରେ କରୋନା ମୃତ୍ୟୁ ଶୂନ୍‌, ଓଡ଼ିଶାକୁ ଆଶ୍ବସ୍ତି

ଭୁବନେଶ୍ବର : ରାଜ୍ୟରେ କରୋନା ଲଢ଼େଇର ୮ ମାସ ପରେ ଓଡ଼ିଶାକୁ ଏକ ଆଶ୍ବସ୍ତିକର ଖବର ଆସିଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ କୌଣସି କରୋନା ସଂକ୍ରମିତ ପ୍ରାଣ ହରାଇ ନ ଥିବା ସୂଚନା ଦିଆଯାଇଛି। ଯଦିଓ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ମାତ୍ର ମୃତ୍ୟୁ ବଢ଼ିନାହିଁ। ଫଳରେ ରାଜ୍ୟର ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୮୮୭ରେ ସ୍ଥିର ରହିଛି।

ମାର୍ଚ ୧୫ତାରିଖରେ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାର କିଛିଦିନ ପରେ ଏପ୍ରିଲ ୭ ତାରିଖରେ ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ଏହାପରେ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ିଥିଲା। ଜୁଲାଇ ମାସ ପରଠାରୁ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିଲା। ଏପରିକି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୋଟିଏ ଦିନରେ ୧୮ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଥିଲା। ଅକ୍ଟୋବର ମାସରେ ସର୍ବାଧିକ ୪୭୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ରାଜ୍ୟରେ ହେଉଥିବା କରୋନା ମୃତ୍ୟୁର ସରକାରଙ୍କ ପକ୍ଷରୁ ଡେଥ ଅଡିଟ୍ କରାଯାଉଥିବାରୁ ଏସବୁ ମୃତ୍ୟୁ ନିର୍ଦ୍ଦିଷ୍ଟ ଭାବେ କେଉଁ ଦିନ ହୋଇଛି ତାହା ସ୍ପଷ୍ଟ ଭାବେ କହିବା ସମ୍ଭବ ନୁହେଁ। ଅକ୍ଟୋବର ବେଳକୁ ରାଜ୍ୟରେ ଦୈନିକ ସଂକ୍ରମଣ କମିବାକୁ ଆରମ୍ଭ କରିଥିଲା ଓ ନଭେମ୍ବର ମାସ ଶେଷ ଆଡ଼କୁ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଥିବା ନଜରକୁ ଆସିଥିଲା। ଚଳିତମାସ ଆରମ୍ଭରୁ ରାଜ୍ୟରେ ହାତଗଣିତ ମୃତ୍ୟୁ ହେଉଥିବା ନଜରକୁ ଆସିଥିଲା। ପରିଣାମସ୍ବରୂପ ଆଜି କୌଣସି ରୋଗୀ ପ୍ରାଣ ହରାଇ ନ ଥିବା ନଜରକୁ ଆସିଛି। ତେଣୁ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କରୋନା ଯୋଦ୍ଧାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଶଂସା କରାଯାଇଛି।

ଅପରପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୨୩୧ ପଜିଟିଭ୍ ଚିହ୍ନଟ‌ ହୋଇଛନ୍ତି। ଏଥିରେ ୧୮ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ୨ ଜିଲ୍ଲାରୁ କୌଣସି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୦ହଜାର ୯୨୧କୁ ବୃଦ୍ଧି ପାଇଛି। ରାଜ୍ୟର ସମସ୍ତ ଜିଲ୍ଲା ଏବେ ଗ୍ରିନ୍ ଜୋନ୍‌ରେ ରହିଛି। ଏହାସହ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୪.୬୮ ପ୍ରତିଶତକୁ ଖସି ଆସିଛି। ଗତବର୍ଷ ସେପ୍ଟେମ୍ବର ମାସ ବେଳକୁ ଏହା ପ୍ରାୟ ୭ ପ୍ରତିଶତ ରହିଥିଲା। ଆଜି ରାଜ୍ୟରେ ୨୩୦ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୨୭୦୦୮ରେ ପହଞ୍ଚିଛି। ରାଜ୍ୟରେ ଏବେ ୧୯୭୩ ଚିକିତ୍ସାଧୀନ ସଂକ୍ରମିତ ରହିଛନ୍ତି। ଯାହାକି ରାଜ୍ୟର ସମୁଦାୟ ସଂକ୍ରମଣ ୦.୫୯ ପ୍ରତିଶତ।

ସମ୍ବନ୍ଧିତ ଖବର