ଓଡ଼ିଶାରେ ବିଗୁଡ଼ୁଛି କରୋନା : ଆଉ ୩ ମୃତ

୨୬୪ ନୂଆ ଆକ୍ରାନ୍ତ, ସୁସ୍ଥ ହେଲେ ୧୩୭

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି। କରୋନା ଆଜି ରାଜ୍ୟରେ ୩ଟି ମୁଣ୍ଡ ନେଇଛି। ଏହି ୩ ମୃତକ ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହା ସହ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୧୩୭ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ଆଜି ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ୍‌ ୬୬୧୪ ଜଣ ପଜିଟିଭ ମଧ୍ୟରୁ ୪,୭୪୩ ଜଣ ସୁସ୍ଥ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି।

ସରକାରୀ ଭାବେ ମିଳିଥିବା ସୂଚନା ଅନୁଯାୟୀ କରୋନାରେ ମୃତ୍ୟୁବରଣ କରିଥିବା ଗଞ୍ଜାମର ୭୫ ବର୍ଷ ବୟସ୍କ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗର ପୀଡ଼ିତ ଥିଲେ। ସେହିପରି କଟକ ଜିଲ୍ଲାରେ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି ଓ ଭୁବନେଶ୍ବରର ଜଣେ ୭୩ ବର୍ଷ ବୟସ୍କ ବ୍ୟକ୍ତି ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଉଭୟ ମଧୁମେହ, ଉଚ୍ଚ ରକ୍ତଚାପ ଓ କ୍ରୋନିକ୍ କିଡ୍‌ନି ରୋଗରେ ପୀଡ଼ିତ ଥିଲେ।

Anadolu Agency

ନୂଆ ୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲା ବେଳେ ୩୦ ଜଣ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର। ଏମାନଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୭୬ ଜଣ ଥିଲା ବେଳେ ଯାଜପୁରରୁ ୪୧, କେନ୍ଦୁଝରରୁ ୨୫, ଝାରସୁଗୁଡ଼ା ଓ ବରଗଡ଼ରୁ ୧୮ ଲେଖାଏ, ମୟୂରଭଞ୍ଜ ଓ ଖୋର୍ଧାରୁ ୧୫ ଲେଖାଏ, ବାଲେଶ୍ବର ଓ କଟକରୁ ୧୨ ଲେଖାଏ, ପୁରୀରୁ ୭, ସୁନ୍ଦରଗଡ଼, ଅନୁଗୁଳ ଓ ଜଗତସିଂହପୁରରୁ ୪ ଲେଖାଏ, ନୟାଗଡ଼, ମାଲକାନଗିରି ଓ ବଲାଙ୍ଗୀରରୁ ୨ ଲେଖାଏ କୋରାପୁଟ, ଭଦ୍ରକ, କନ୍ଧମାଳ, ନୂଆପଡା, ଗଜପତି, ସମ୍ବଲପୁରରୁ ଜଣେ ଲେଖାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୁସ୍ଥ ହୋଇଥିବା ୧୩୭ ଜଣଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ଅଛନ୍ତି। ଏହି ଜିଲ୍ଲାରୁ ୩୩ ଜଣ ସୁସ୍ଥ ହୋଇଥିଲା ବେଳେ ଖୋର୍ଦ୍ଧାରୁ ୨୯, କଟକରୁ ୨୨, ବାଲେଶ୍ୱରରୁ ୧୩, ଯାଜପୁରରୁ ୯, କଳାହାଣ୍ଡିରୁ ୬, ଭଦ୍ରକରୁ ୪, ମୟୂରଭଂଜ, ନୟାଗଡ଼ ଓ ପୁରୀରୁ ୩ ଲେଖାଏ, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ ଲେଖାଏ, ଅନୁଗୁଳ, ବଲାଙ୍ଗୀର, ଝାରସୁଗୁଡ଼ା ଓ ନୂଆପଡ଼ାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର