ବଜାର ଦର ବଢ଼ିଲା; ଆଳୁ ପରେ ଡାଲି, କି‌ଲୋ ୯୦ ଛୁଇଁଲା

ଭୁବନେଶ୍ବର : ହଠାତ୍ ଆଳୁ ଦର ବଢ଼ିଥିଲା। ଗୋଟିଏ ସପ୍ତାହ ଭିତରେ କିଲୋ ୮ଟଙ୍କାରୁ ବଢ଼ି ବଢ଼ି ୧୫ଟଙ୍କାରେ ପହଞ୍ଚିଥିଲା। ଏବେ ପାଳି ପଡ଼ିଛି ଡାଲିର। କିଲୋ ୯୦ ଟଙ୍କାରେ ପହଞ୍ଚିଛି। ଖୁବ୍ ଶୀଘ୍ର ଏହା ୧୦୦ ଟଙ୍କାକୁ ଟପିବ ବୋଲି ବ୍ୟବସାୟୀ ମହଲରୁ ଆଶଙ୍କା ପ୍ରକାଶ ପାଇଛି। ତେଣୁ ଖାଉଟି ବଜାରରେ ଦେଖାଦେଲାଣି ଆତଙ୍କ। ଆଳୁ ଓ ଡାଲି ଭଳି ନିହାତି ଜରୁରି ଖାଦ୍ୟ ପଦାର୍ଥର ଦରବୃଦ୍ଧି ଗରିବ ଖାଉଟିମାନଙ୍କୁ କନ୍ଦାଇବା ଆରମ୍ଭ କଲାଣି। ଅମଳ ଓ ଆମଦାନୀରେ ସମସ୍ୟା ନଥିଲେ ମଧ୍ୟ ସରକାରଙ୍କ କୃଷକ ଓ ବଜାରନୀତି ପାଇଁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି।

ପ୍ରାପ୍ତ ସୂଚନାନୁସାରେ ଆଜି ପାଇକାରୀ ବଜାରରେ ହରଡ଼ ଓ ମୁଗ ଡାଲିର ଦର କ୍ବିଣ୍ଟାଲ ପ୍ରତି ୭ହଜାର ୫ ଶହ ଟଙ୍କାରୁ ୮ ହଜାର ଟଙ୍କା ରହିଛି। ଡାଲିର ମାନ ଅନୁସାରେ ପ୍ରାୟ ୩ ପ୍ରକାର ଦର ରହୁଛି। ତେଣୁ ଖୁଚୁରା ବଜାରରେ ଭଲ ମାନର ଡାଲି କିଲୋ ପିଛା କେଉଁଠି ୮୦ ଟଙ୍କା ତ କେଉଁଠି ୯୦ ଟଙ୍କା ଦରରେ ବିକ୍ରି ହେଉଛି। ପୂର୍ବରୁ ପାଇକାରୀ ଦର ୬ ହଜାର ୫ ଶହ ଟଙ୍କାରୁ ୭ ହଜାର ଟଙ୍କା ମଧ୍ୟରେ ସୀମିତ ଥିଲା। କିନ୍ତୁ ଗତ ଦୁଇ ଦିନ ହେଲା ପାଇକାରୀ ଦର ବଢ଼ିବାରୁ ସ୍ବତଃ ଖୁଚୁରା ଦର ବୃଦ୍ଧି ପା‌ଇଛି। ଏ ନେଇ ରାଜ୍ୟ ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବା କଥା ଅମଳ ବା ଆମଦାନୀ ଯୋଗୁଁ ଡାଲି ଦର ବୃଦ୍ଧି ଘଟିନାହିଁ କିମ୍ବା ନିର୍ବାଚନ ସହିତ ଡାଲି ଦର ବୃଦ୍ଧିର କୌଣସି କାରଣ ମଧ୍ୟ ନାହିଁ। ଦରବୃଦ୍ଧିର କାରଣ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି। ସରକାର ସବୁ ପ୍ରକାର ଡାଲି ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୬ ହଜାର ୮ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି। ଚାଷୀ ସିଧାସଳଖ ଗୋଟା ଡାଲିକୁ ସେହି ଦରରେ ବିକ୍ରି କରୁଛି। ଏହା ପରେ ପ୍ରକ୍ରିୟାକରଣ ଓ ପରିବହନ ଖର୍ଚ୍ଚ ରହିଛି। ତେଣୁ ବିକ୍ରି ପାଇଁ ଡାଲି ମିଲ୍‌ରୁ ବଜାରକୁ ଆସିବା ବେ‌ଳକୁ କିଲୋ ପିଛା ମୂଲ୍ୟ ପ୍ରାୟ ୭୫ ଟଙ୍କା ହୋଇଯାଉଛି। କିନ୍ତୁ ସରକାରୀ ଚାପରେ ବ୍ୟବସାୟୀମାନେ ଆଜି ପର୍ଯ୍ୟନ୍ତ କମ୍ ଦରରେ ଡାଲି ବିକି ଆସୁଥିଲେ। ଏବେ ଆଉ ପୂର୍ବ ଦରରେ ବିକିବା ସମ୍ଭବ ହେଉନାହିଁ। ତେଣୁ ଦର ବୃଦ୍ଧି ଘଟିବାରେ କୌଣସି ଅନ୍ୟ କାରଣ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଅନ୍ୟ ପକ୍ଷରେ କିଛି ଖୁଚୁରା ବେପାରୀଙ୍କ କହିବା କଥା ପାଇକାରୀ ଦର ୯୦ ଟଙ୍କା ହୋଇଗଲାଣି। ତେଣୁ ଏଣିକି ଖୁଚୁରା ବଜାରରେ କିଲୋ ପିଛା ୧୦୦ ଟଙ୍କାରେ ଡାଲି ବିକ୍ରି ହେବ। ମାତ୍ର ଏଭଳି କଥାକୁ ଶ୍ରୀ ପଣ୍ଡା ଖଣ୍ଡନ କରିଛନ୍ତି ଓ ଏଭଳି ଅବ୍ୟବସ୍ଥା ଦେଖାଗଲେ ଯୋଗାଣ ଖାଉଟି ବିଭାଗ ତୀକ୍ଷ୍‌ଣ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର