ରେକର୍ଡ ଭାଙ୍ଗିଲା ତାଳଚେର : ତାତିରେ ଆଉଟୁପାଉଟୁ ଅଧା ଓଡ଼ିଶା

ସର୍ବୋଚ୍ଚ ତାପମାତ୍ରା ଛୁଇଁଲା ୪୬.୩ ଡିଗ୍ରି, ୪୦ଂ ଉପରେ ୧୪ ସହର

ଭୁବନେଶ୍ବର : ଅସହ୍ୟ ହେଲାଣି ତାତି। ଦିନ ୧୦ଟାରୁ ଟାଇଁ ଟାଇଁ ଖରା। ପଶ୍ଚିମ ଓଡ଼ିଶା ପରେ ଏବେ କେନ୍ଦ୍ରୀୟ ଓଡ଼ିଶା ବି ଜଳୁଛି। ବଲାଙ୍ଗୀର, ଟିଟିଲାଗଡ଼ ପରେ ଅନୁଗୁଳ ଓ ତାଳଚେର ସହର ବି ତାତିଲାଣି। ଲଗାତାର ଭାବେ ବଢ଼ି ଚାଲିଛି ତାପମାତ୍ରା। ତିନି ଦିନ ମଧ୍ୟରେ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ିଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଦିନରେ ପଦାକୁ ବାହାରି ହିଁ ପାରୁନାହାନ୍ତି। ଅର୍ଧାଧିକ ଓଡ଼ିଶାରେ ଏବେ ଏମିତି ସ୍ଥିତି ଲାଗି ରହିଛି।

ସବୁଠାରୁ ବଡ଼ କଥା ହେଉଛି ଯେ ତିନି ଦିନ ହେଲା ଟିଟିଲାଗଡ଼ ତତଲାଗଡ଼ରେ ପରିଣତ ହୋଇଥିଲା। ଟିଟିଲାଗଡ଼ରେ ଲାଗାତାର ଭାବେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଉଥିଲା। ‌ତେବେ ଆଜି ଟିଟିଲାଗଡ଼କୁ ବଳି ଯାଇଛି ତାଳଚେର। ତତଲା ସହରରେ ପରିଣତ ହୋଇଛି ତାଳଚେର। ଗତକାଲି ଏଠାରେ ତାପମାତ୍ରା ୪୩.୩ ଡିଗ୍ରି ରହିଥିଲା। ଆଜି ତାପମାତ୍ରା ୩ ଡିଗ୍ରି ବୃଦ୍ଧି ପାଇ ଏଠାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୬.୩ ଡିଗ୍ରି ରେକର୍ଡ ହୋଇଛି। ଏପ୍ରିଲ ମାସରେ କେବେ ବି ତାଳଚେର ତାପମାତ୍ରା ହଠାତ୍‌ ଏଭଳି ବୃଦ୍ଧି ପାଇ ନଥିଲା ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

ଗତକାଲି ପରି ଆଜି ମଧ୍ୟ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଟିଟିଲାଗଡ଼ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଗତକାଲି ୪୫ ଡିଗ୍ରି ଥିଲା। ଆଜି ୪୪.୫ ଡିଗ୍ରିକୁ ଖସିଛି। ଅନୁଗୁଳରେ ୪୩.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ଓ ବଲାଙ୍ଗୀରରେ ୪୩ ଡିଗ୍ରି ରହିଥିଲା। ପାଣିପାଗ ବିଭାଗର ଆକଳନ ହେଉଛି ଆସନ୍ତାକାଲି(ସୋମବାର) ବି ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ତାହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ବରଗଡ଼ ଜିଲ୍ଲା ପାଇଁ ଗ୍ରୀ‌ଷ୍ମ ପ୍ରବାହ ସତର୍କ ସୂଚନା(ହିଟ୍‌ୱେଭ୍‌) ଜାରି ହୋଇଛି। ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଏହାପର ତିନି ଦିନ ଲାଗି କୌଣସି ପ୍ରକାର ହିଟ୍‌ୱେଭ୍‌ ସୂଚନା ନ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଓଡ଼ିଶାର ଅର୍ଧାଧିକ ଜିଲ୍ଲାରେ କାଳ‌ବୈଶାଖୀ ପ୍ରଭାବ ରହିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି ଯେ ମେ’ ୧ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିବ। ମେ’ ୨ରୁ ୪ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇ ୪୦ ଡିଗ୍ରି ପାଖାପାଖି ରହିବ। ତେବେ ଭୁବନେଶ୍ବର ସମେତ ଉପକୂଳରେ ୨୯ ତାରିଖଠାରୁ ତିନି ଦିନ ଧରି ତାପମାତ୍ରା କ୍ରମଶଃ କମିବ। ମେ’ ୧ ସୁଦ୍ଧା ପ୍ରାୟ ୩ ହ୍ରାସ ପାଇବାର ସମ୍ଭାବନା ରହିଛି। ମେ’ ୩ ଓ ୪ରେ ଅଧିକ ହ୍ରାସ ପାଇବ। ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷା ପାଇଁ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ତଳକୁ ଖସିପାରେ।

ସମ୍ବନ୍ଧିତ ଖବର