ମୃତ ପୁଅକୁ ନ୍ୟାୟ ଦାବି : ବିଧାନସଭା ନିକଟରେ ମା’ଙ୍କ ଆତ୍ମାହୁତି ଉଦ୍ୟମ

ଜଗତସିଂହପୁର ପୁଲିସର ସଫେଇ, ହତ୍ୟା ନୁହେଁ ଦୁର୍ଘଟଣା

ଭୁବନେଶ୍ୱର : ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। କିନ୍ତୁ ଏହାକୁ ଦୁର୍ଘଟଣାର ରୂପ ଦିଆଯାଉଛି। ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସବୁଠି ଦୌଡ଼ି ଦୌଡ଼ି ନିରାଶ ହେବାକୁ ପଡ଼ିଛି। ଆମକୁ ନ୍ୟାୟ ଦରକାର। ଏଭଳି ଚିତ୍କାର କରି କରି ଆଜି ବିଧାନସଭା ନିକଟରେ କିରାସିନି ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ କାବୁ କରି ନେଇଛି ପୁଲିସ। ତାଙ୍କ ସହ ପୁଅଙ୍କୁ ମଧ୍ୟ ପୁଲିସ କାବୁ କରି ନେଇଥିଲା। ଫଳରେ ଅଘଟଣ ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ମହିଳା ଜଣଙ୍କ ହେଉଛନ୍ତି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସୁଲୋଚନା ଦାଶ ଓ ତାଙ୍କ ପୁଅ ସୁବ୍ରତ ଦାଶ।

ମହିଳାଙ୍କ ଅଭିଯୋଗ ଅନୁସାରେ, ତିର୍ତ୍ତୋଲ ଥାନା ଅଧୀନ କଟକ-ପାରାଦୀପ ରାସ୍ତାରୁ ସାନ ପୁଅ ଅମୃତ କୁମାର ଦାଶଙ୍କର ୨୦୧୯ ଜୁଲାଇ ୨୦ ତାରିଖରେ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଅରୁଣ ପଟ୍ଟନାୟକ ନାମକ ଜଣେ ଯୁବକଙ୍କ ସହ ଘରୁ ବାଇକ୍‌ରେ ଯାଇଥିଲେ। ଅରୁଣ ତାଙ୍କ ପୁଅକୁ ହତ୍ୟା କରିଥିବା ନେଇ ଅଭିଯୋଗ କରି ଆସୁଥିଲେ। ଏ ନେଇ କୁଜଙ୍ଗ ଜେଏମଏଫସିରେ ମାମଲା ଦାୟର କରିଥିଲେ। ଜେଏମଏଫସିଙ୍କ ନିର୍ଦ୍ଦେଶକ୍ରମେ ତିର୍ତ୍ତୋଲ ଥାନାରେ ହତ୍ୟା, ପ୍ରମାଣ ନଷ୍ଟ କରିବା, ହତ୍ୟା ଧମକ ଦେବା ଆଦି ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଏହା ଏକ ଦୁର୍ଘଟଣା ବୋଲି କହିଥିଲା ପୁଲିସ। ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟା ଓ ପୁଲିସ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ସୁଲୋଚନା ଏସ୍‌ପି ଅଫିସଠାରୁ ଆରମ୍ଭ କରି ଭୁବନେଶ୍ବର ଦୌଡ଼ି ଦୌଡ଼ି ସବୁଠି ନିରାଶ ହେବା ପରେ ଆଜି ଆଇଜି ପାର୍କ ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏହି ଘଟଣାରେ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଜଗତସିଂହପୁର ପୁଲିସ ପକ୍ଷରୁ ସଫେଇ ଦିଆଯାଇ କୁହାଯାଇଛି, ଏହା ଏକ ଦୁର୍ଘଟଣା ବୋଲି ପ୍ରଥମ ଦିନ ଅମୃତଙ୍କ ବାପା ରମାକାନ୍ତ ଦାଶ ଅଭିଯୋଗ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଦୁର୍ଘଟଣା ବୋଲି ଦର୍ଶାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରୁଜୁ ହୋଇଥିବା ମାମଲା ଆଧାରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ତଦନ୍ତରୁ ଦୁର୍ଘଟଣା ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର