ଦେଓଗାଁ ଅଞ୍ଚଳ ଛାଡ଼ୁନହାନ୍ତି ହାତୀ ପଲ

ଦିନରେ ଶୁଲିଆଘାଟି, ରାତିରେ ଚାଷ ଜମି

ଦେଓଗାଁ: ଗତ କିଛିଦିନ ହେଲା ଦେଓଗାଁ ବ୍ଲକ୍‌ ଅଞ୍ଚଳ ଛାଡ଼ୁ ନାହାନ୍ତି ହାତୀ ପଲ। ଏପରିକି ଧାନକ୍ଷେତ ଜଗିଥିବା ଜଣେ ଚାଷୀଙ୍କୁ ହାତୀ ଦଳିଦେବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି। ଏମାନଙ୍କୁ ଘଉଡ଼ାଇବାରେ ବନ କର୍ମଚାରୀ ଓ ଚାଷୀମାନେ ଏବେ ନାକେଦମ୍‌ ହେଲେଣି।

ସୂଚନା ଅନୁସାରେ ଗତ କିଛିଦିନ ହେଲା ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ କୁଲୁତାପଡ଼ା ଓ ମକୁନ୍ଦପୁର ପଞ୍ଚାୟତ ଅଞ୍ଚଳରେ ହାତୀ ପଲ ଉଦଦ୍ରବ କରୁଛନ୍ତି। ଅର୍ଜୁନପୁର- ମହୀମୁଣ୍ଡା ରାସ୍ତାର ଶୁଲିଆ ଘାଟି ଉପରେ ହାତୀମାନେ ଦିନବେଳା ରହୁଛନ୍ତି। ରାତି ହେଲେ ଆଖ ପାଖ ଗାଁ ଭିତରକୁ ଚାଲି ଆସୁଛନ୍ତି। ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବଲାଙ୍ଗୀର ବନଖଣ୍ଡର ଆଠଗାଁ ଫରେଷ୍ଟ ସେକ୍ସନର ଶୁଲିଆ ଓ ଭୀମପାହାଡ଼ ସଂରକ୍ଷିତ ଜଙ୍ଗଲରେ ଘୂରି ବୁଲୁଥିବା ହାତୀ ଖଇରଗୁରା ଗାଁର ଜଣେ ଚାଷୀଙ୍କୁ ଦଳି ଦେଇଥିଲା।

ଏହା ପରେ ଲଗାତର ଭାବେ ଗାଁ ନିକଟକୁ ଆସି ଧାନ ନଷ୍ଟ କରୁଛନ୍ତି। ରାତିରେ ଏହି ହାତୀମାନେ ଅର୍ଜୁନପୁର ପଞ୍ଚାୟତ ମଧୁପୁର, ଅଁଳାପାଲି, ଖଇରଗୁରା ଗାଁକୁ ଆସି ଚାଷୀଙ୍କ ଧାନ ଖାଇଦେଇ ନଷ୍ଟ କରିଥିବା ସୂଚନା ମିଳିଛି। ଆଠଗାଁ ଫରେଷ୍ଟର ଜେନା ରାଉତଙ୍କୁ ପଚରିବାରୁ ଶୁଲିଆ ଜଙ୍ଗଲରେ ହାତୀ ରହିଛନ୍ତି, ହାତୀ ତଥା ଲୋକଙ୍କୁ ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର