ଘରୋଇ ହିଂସା: ଭୁବନେଶ୍ବରକୁ ଟପିଲା କଟକ

କଟକ: ଆତ୍ମହତ୍ୟାରେ କଟକ ରାଜ୍ୟରେ ଏକ ନମ୍ବର ଥିବାବେଳେ ଏବେ ଘରୋଇ ହିଂସାରେ କମିସନରେଟ୍ ପୁଲିସରେ କଟକ ସେହି ସ୍ଥାନକୁ ଆସିଛି। କଟକରେ ଘର ଭିତରେ ମହିଳା ସୁରକ୍ଷିତ ନୁହନ୍ତି। ଦ୍ବୈତନଗରୀରେ ସର୍ବାଧିକ କଟକ ସହରର ମହିଳା ନିର୍ଯାତନାର ଶିକାର ହୋଇଛନ୍ତି। ବିଗତ ୮ବର୍ଷ ଭିତରେ କଟକରେ ୧ହଜାର ୭୭୨ ମହିଳା ପାରିବାରିକ ହିଂସାର ଶିକାର ହୋଇଛନ୍ତି। ଭୁବନେଶ୍ବରରେ ୧ହଜାର ୫୨୫ ମହିଳା ହିଂସାର ଶିକାର ହୋଇଛନ୍ତି। କଟକ ଏବେ ଭୁବନେଶ୍ବରକୁ ବି ଟପିଯାଇଛି। କମିସନରେଟ୍ ପୁଲିସରେ ଖୋଲିଥିବା ‘ମାଧ୍ୟମ କେନ୍ଦ୍ର’ ପକ୍ଷରୁ ଏ ପ୍ରକାର ରିପୋର୍ଟ ଜାରି ପରେ କଟକରେ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଛି।

ସୂଚନା ଅନୁଯାୟୀ, ୨୦୧୪ ସେପ୍‌ଟେମ୍ବରରୁ କମିସନରେଟ୍ ପୁଲିସରେ ହିଂସାର ଶିକାର ହେଉଥିବା ମହିଳାଙ୍କୁ ସହାୟତା ଯୋଗାଇବାକୁ ଆରମ୍ଭ ହୋଇଥିବା ‘ମାଧ୍ୟମ’କୁ ୮ ବର୍ଷ ପୂରିଛି। ଏହି ବର୍ଷ ଭିତରେ କଟକରେ ‘ମାଧ୍ୟମ’ କେନ୍ଦ୍ରରେ ୨୦୧୪ରେ ୮୦ଟି ମାମଲା, ୨୦୧୫ରେ ୨୦୬, ୨୦୧୬ରେ ୨୫୧, ୨୦୧୭ରେ ୨୯୩, ୨୦୧୮ରେ ୨୭୮, ୨୦୧୯ରେ ୨୨୯, ୨୦୨୦ରେ ୨୦୦, ୨୦୨୧ରେ ୧୨୯, ୨୦୨୨ ଅଗଷ୍ଟ ଯାଏ ୨୩୧ ମାମଲା ରୁଜୁ ହୋଇଛି। ମୋଟ ୮ ବର୍ଷ ଭିତରେ ୧ହଜାର ୮୭୯ଟି ମହିଳା ହିଂସା ମାମଲା କାଉନ୍‌ସେଲିଂ ପାଇଁ ରୁଜୁ ହୋଇଛି। ସେହିଭଳି ଭୁବନେଶ୍ବରରେ ମୋଟ ୧ହଜାର ୬୬୧ ମାମଲା କାଉନ୍‌ସେଲିଂ ପାଇଁ ରୁଜୁ ହୋଇଛି। ଭୁବନେଶ୍ବର ତୁଳନାରେ କଟକରେ ମାମଲା ରୁଜୁ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଏହି ୮ବର୍ଷ ଭିତରେ କଟକରେ ଘରୋଇ ହିଂସା ମାମଲା ୧ହଜାର ୭୭୨ ହୋଇଥିବା ବେଳେ ଭୁବନେଶ୍ବରରେ ୧ହଜାର ୫୨୫ ହୋଇଛି।

ଭୁବନେଶ୍ବର ତୁଳନାରେ କଟକର ସ୍ଥିତି ଅଧିକ ସଂଗିନ ହୋଇପଡ଼ିଛି। ଅନ୍ୟପଟେ କଟକରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିବା ୩୨ଟି, ଅସଦାଚରଣ ୨୭ଟି, ପରକିୟା ପ୍ରୀତି ୪୭ଟି, ସାଇବର୍ ମାମଲା ଗୋଟିଏ ରୁଜୁ ହୋଇଛି। ଗୋଟିଏ କଥା ଲକ୍ଷ୍ୟ କରାଯାଇଛି ଯେ ସହରରେ ୨୬ରୁ ୪୦ ବର୍ଷ ବୟସରେ ସର୍ବାଧିକ ମହିଳା ହିଂସାର ଶିକାର ହୋଇଛନ୍ତି। କଟକରେ ଏହି ବର୍ଗର ମୋଟ ୧ହଜାର ୧୩୬ ମହିଳା ହିଂସାର ଶିକାର ହୋଇଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ସୋସିଆଲ୍ ଡେଭେଲପମେଣ୍ଟ(ଆଇଏସ୍‌ଡି)ର ନିର୍ଦ୍ଦେଶିକା ଶୁଭଶ୍ରୀ ଦାସଙ୍କ କହିବା ଅନୁଯାୟୀ, କରୋନା ନିଯୁକ୍ତି ହରାଇଥିବା ପୁରୁଷ ମହିଳା ଘରେ ଏକାଠି ରହିବା ଫଳରେ ପାରିବାରିକ ହିଂସା ବୃଦ୍ଧି ପାଇଛି। ୨୬ ପରେ ମହିଳା ସାଧାସଣତଃ ବିବାହ କରୁଥିବାରୁ ୪୦ ବର୍ଷ ଯାଏ ଦାମ୍ପତ୍ୟ କଳହ ଲାଗି ରହୁଛି। ସେଥିପାଇଁ ଘରେ ହିଂସା ଅଧିକ ସଂଖ୍ୟାରେ ଦେଖାଯାଉଥିବା ଶ୍ରୀମତୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର