ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭୌଗଳିକ କାନଭାସରେ ଏମିତି ଅନେକ ଉପାନ୍ତ ଇଲାକା ରହିଛି ଯେଉଁଠି ବିକାଶର କାଣିଚାଏ ସ୍ପର୍ଶ ଦେଖିବାକୁ ମିଳେନି। କଳାହାଣ୍ଡିର ଦୁର୍ଗମ ଅଂଚଳ ଭାବେ ଜଣାଶୁଣା ଲାଞ୍ଜିଗଡ଼, ଥୁଆମୂଳ ରାମପୁର ଓ ମଦନପୁର ରାମପୁର ବେଶ ଜଣାଶୁଣା ଅଟେ। ମଦନପୁର ରାମପୁର ବ୍ଲକର ଶିଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ କାମରେଙ୍ଗ ଗାଁକୁ ଦେଖିଲେ ବିକାଶର ଅପହଞ୍ଚ ଜଣାପଡେ। ଏଠାରେ ୧୦୦ ବର୍ଷରୁ ଅଧିକ ସମୟ ଧରି ରହି ଆସୁଥିବା ଡଙ୍ଗରିଆ ଆଦିବାସୀ କୁଇ ସମ୍ପ୍ରଦାୟର ୨୦ ରୁ ଉର୍ଦ୍ଧ ପରିବାର ପାଖପାଖି ଦେଢ଼ ଶହ ଜନସଂଖ୍ୟା ବିକାଶର ଦୃଷ୍ଟି ଆଢୁଆଳରେ ରହିଛି। ସାମାନ୍ୟତମ ମୌଳିକ ଆବଶ୍ୟକତା ପାଇବା ପାଇଁ ଡହଳ ବିକଳ ହୋଇ ଭୋଗୁଛନ୍ତି ଅପହଞ୍ଚ ଯନ୍ତ୍ରଣା।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୭ ମସିହାରୁ ଏହି ଅଂଚଳ ମୋହନଗିରି ପଞ୍ଚାୟତରୁ ଅଲଗା ହୋଇ ନବ ଶିଙ୍ଗପୁର ପଂଚାୟତ ଗଠନ ହୋଇଥିଲା। ନବ ଗଠିତ ଶିଙ୍ଗପୁର ପଂଚାୟତ ର ପ୍ରଥମ ନିର୍ବାଚିତ ସରପଞ୍ଚ ବିଦ୍ୟାଧର ପାତ୍ରଙ୍କ ଉଦ୍ୟମରେ ପଂଚାୟତର ବିଭିନ୍ନ ଅଂଚଳରେ କିଛି କିଛି ବିକାଶ ମୁଖୀ କାର୍ଯ୍ୟ ସମ୍ଭବ ହୋଇ ପାରିଛି। ଏହି ପଂଚାୟତର ଦୁର୍ଗମ ଅପହଞ୍ଚ ଇଲାକା କୁହାଯାଉଥିବା କାମରେଙ୍ଗ ଗାଁ ଆଜି ବି ବିକାଶ ଠାରୁ ବହୁ ଦୂରରେ। ଗମନା ଗମନ,ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ବିଜୁଳି ଆଦି ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଏହି ଅଞ୍ଚଳକୁ ଅପହଞ୍ଚ ହୋଇ ପଡ଼ିଛି। ପ୍ରଶାସନ ସାମାନ୍ୟ ଭାବେ ଚେତି ଏହି ଅଞ୍ଚଳକୁ ରାସ୍ତାଘାଟ ସଂଯୋଗୀ କରଣ ଲକ୍ଷ୍ୟ ନେଇ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇଥିଲା। ଦୁର୍ଗମ ପାହାଡ଼ିଆ ଘାଟି ରାସ୍ତାର ଉନ୍ନତି ପାଇଁ ଯାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ ହୋଇ ସିର୍କୀହେଜୁରୁ କାମରେଙ୍ଗ ରାସ୍ତା ପୂର୍ବଠୁ ଆହୁରି ଯନ୍ତ୍ରଣାଦାୟୀ ଓ ମରଣଯନ୍ତା ପାଲଟିଛି। ଯେଉଁ ଉଦ୍ଦେଶ୍ୟ ନେଇ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ବିଗତ ବର୍ଷର ବର୍ଷା ପାଣିରେ ସବୁ ମାଟି ଅଂଶ ଓ ମୁରୁମ ଅଂଶ ଧୋଇ ଯାଇଛି।ଅନେକ ଜାଗାରେ ବର୍ଷା ଜଳ ଯୋଗୁଁ ରାସ୍ତା କଟି ଯାଇ ମରଣଯନ୍ତା ପାଲଟିଛି। ଯେଉଁ ରାସ୍ତାରେ ଦୁଇ ଚକିଆ ଯାନ ଯିବା କଥା ସେଠାରେ ରାସ୍ତା ଅତିଦୁର୍ବିସହ ହୋଇ ପଡିଥିବା ବେଳେ ପାଦରେ ଚାଲିକି ଯିବା ମଧ୍ୟ କଷ୍ଟ ସାଧ୍ୟ ହୋଇ ପଡିଛି। ଗମନା ଗମନ ସମସ୍ୟା କାରଣରୁ ବିଜୁଳୀ ସେବା, ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ଅପହଞ୍ଚ ହୋଇ ପଡିଛି।
ଗ୍ରାମବାସୀଙ୍କ ପାଇଁ ସୌଭାଗ୍ୟ ଯୋଜନା ଦୁର୍ଭାଗ୍ୟ ସାଜି ଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ଯୋଗୁ ଅଂଚଳବାସୀ ସୋଲାର ପ୍ଲେଟ ଜରିଆରେ ରାତ୍ରିର କିଛି ସମୟ ବିଜୁଳି ଆଲୁଅ ପାଉଛନ୍ତି। ପାନୀୟ ଜଳର ବ୍ୟାପକ ବ୍ୟବସ୍ଥା ହୋଇ ନ ଥିବା କାରଣରୁ ଏଠିକାର ଲୋକେ ବର୍ଷ ତମାମ ନାଳ ଓ ଝରଣା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ଜଣାପଡିଛି। ଦୁଇଟି ସାନିଟାରୀ ବୋର ୱେଲ ବ୍ୟବସ୍ଥା କରାଯାଇଥିଲେ ବି ଗୋଟେ ଅନେକ ଦିନରୁ ଅଚଳ ହୋଇ ପଡ଼ିଥିବା ବେଳେ ଅନ୍ୟଟି ବର୍ଷ ତମାମ ଯଥେଷ୍ଟ ନୁହେଁ ୨୦ଟି ପରିବାର ପାଇଁ। ଯାହା ଖରା ଆରମ୍ଭ ହେଉ ହେଉ ଜଳସ୍ତର ଶୁଖି ପାଣି ବାହାରିବା କଷ୍ଟ ହୋଇ ପଡେ। ଯଦ୍ୱାରା ଗ୍ରାମବାସୀ ଦୁଇ ତିନି କିମି ଦୂରରେ ଥିବା ନାଳ, ଝରଣା ଉପରେ ନିର୍ଭର କରିନ୍ତି। ଉଭୟ ମଣିଷ ଓ ଗୃହପାଳିତ ପଶୁ ସେହି ଝରଣାର ପାଣିକୁ ପିଇବାଠୁ ଆରମ୍ଭ କରି ଶୌଚ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ବ୍ୟବହାର କରୁଥିବା ଜଣାପଡ଼ିଛି। ବର୍ଷା ଓ ଖରା ଦିନରେ ଏହି ସମସ୍ୟା ଉଗ୍ର ହୋଇ ପଡେ, ଯାହା ଫଳରେ ଲୋକେ ବର୍ଷା ଦିନର ଦୂଷିତ ଜଳକୁ ସିଧାସଳଖ ପାନୀୟ ଜଳ ରୂପେ ବ୍ୟବହାର କରି ବିଭିନ୍ନ ଜଳବାହିତ ରୋଗର ଶିକାର ହେଉଥିବା ବେଳେ ଖରା ଦିନେ ଏହି କଷ୍ଟ ଦ୍ୱିଗୁଣିତ ହୋଇପଡେ । ଏହି ଅଂଚଳରେ ମଣିଷ, ଗୃହ ପାଳିତ ପଶୁ ପକ୍ଷୀ ଓ ବନ୍ୟ ପ୍ରାଣୀ ପାନୀୟ ଜଳ କଷ୍ଟରେ ଡହଳ ବିକଳ ହୋଇପଡୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସାଧାରଣ ମଣିଷଙ୍କ ଜୀବନ ଧାରଣ କଷ୍ଟକର ହୋଇ ଥିବା ବେଳେ ଶତାବ୍ଦୀ ଶତାବ୍ଦୀ ଧରି ଏହି ଯନ୍ତ୍ରଣାରୁ ଉପଶମର ବାଟ ଖୋଜୁଥିବା ଆଦିବାସୀ ଜନଜାତି ଭିଟାମାଟି ପ୍ରେମରେ ସବୁ କଷ୍ଟକୁ ସହି ମାଟି କାମୁଡି ପଡିଥିବା ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ପାତ୍ରଙ୍କୁ ପଚାରି ବୁଝିବା ପରେ, ସେ ଏହି ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇବା ସହ ବିଡ଼ିଓଙ୍କ ସହ ଉନ୍ନୟନ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରିଛନ୍ତି ଯାହା ବହୁତ ଅଳ୍ପ ଦିନ ମଧ୍ୟରେ ପ୍ରାଥମିକତା ଆଧାରରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଏ ପଟେ ଜଣେ ପ୍ରଶାସନିକ ଅଧିକାରୀ ଏହି ଅଞ୍ଚଳକୁ ଏକାଧିକବାର ପରିଦର୍ଶନରେ ଯିବା ପରେ ମଧ୍ୟ ଅଂଚଳବାସୀ କୌଣସି ସୁଫଳ ପାଇ ନ ଥିବା କାରଣରୁ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ସାଧରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏହି ଅଂଚଳ କୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ସିର୍କୀ ହେଜୁ ପିଡବ୍ଲୁଡି ରାସ୍ତା ଠାରୁ କାମରେଙ୍ଗ ଗାଁ ପର୍ଯ୍ୟନ୍ତ ୬ କିମି ରାସ୍ତା କୁ ଗ୍ରାମ୍ୟ ଉର୍ଣ୍ଣୟନ ସଂସ୍ଥା ଦ୍ୱାରା ନିର୍ମାଣ କରାଯିବା ସହ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା ଓ ବିଜୁଳୀ ସେବା ଉପଲବ୍ଧ କରାଯାଉ ବୋଲି ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ନିଜସ୍ୱ ଦାବି ରଖିଛନ୍ତି। ତେବେ ଜିଲ୍ଲା ପ୍ରଶାସନ କେତେ ତତ୍ପର ଦେଖାଉଛନ୍ତି କାମରେଙ୍ଗ ଗାଁର ଗ୍ରାମବାସୀଙ୍କ ସମସ୍ୟା ସମାଧାନକୁ ନେଇ ସାଧାରଣରେ ଅପେକ୍ଷା ରହିଛି।