ମରୁଡ଼ି ଚିନ୍ତା ଘାରିଲା: କେବଳ ଅଗଷ୍ଟରେ ୫୫% ନିଅଣ୍ଟିଆ ବର୍ଷା,୨୭ ଜିଲ୍ଲାରେ ଅବସ୍ଥା ସାଂଘାତିକ

ମୁକାବିଲା ପାଇଁ ମୁଖ୍ୟ ସଚିବଙ୍କ ବୈଠକ
ସବୁ ଜଳସେଚନ ସ୍ରୋତ ଚାଲୁ ରଖିବାକୁ ନିର୍ଦ୍ଦେଶ
ସେଚ ପ୍ରକଳ୍ପକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଅ

ଭୁବନେଶ୍ବର : ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଲାଗି ରହିଛି। ଫଳରେ ବର୍ଷାଭାବ ଧୀରେ ଧୀରେ ଉଗ୍ରରୂପ ନେଲାଣି। ଚଳିତ ବର୍ଷା ଋତୁରେ ବର୍ତ୍ତମାନ ସୁଦ୍ଧା ୨୮.୮% କମ୍ ବୃଷ୍ଟିପାତ ହୋଇଛି। କେବଳ ଅଗଷ୍ଟରେ ଏ ପର୍ଯ୍ୟନ୍ତ ୫୫% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ପ୍ରାୟ ୧୮ଟି ଜିଲ୍ଲାରେ ଅତି ଅଭାବୀ ବର୍ଷା ଅର୍ଥାତ ୬୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। ଏମିତି ସ୍ଥିତିରେ ରାଜ୍ୟରେ ମରୁଡ଼ି ସ୍ଥିତି ସଙ୍ଗୀନ୍ ଆକାର ଧାରଣ କରିବାର ଆଶଙ୍କା ଦେଖାଦେଲାଣି। ଚାଷୀକୂଳ ମୁଣ୍ଡରେ ହାତ ଦେଲେଣି। ଏହାକୁ ନେଇ ସରକାରୀ ସ୍ତରରେ ତନାଘନା ଆରମ୍ଭ ହୋଇଛି। ସମ୍ଭାବ୍ୟ ମରୁଡ଼ିର ମୁକାବିଲା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ଜିଲ୍ଲା ଓ ରାଜ୍ୟ ପ୍ରଶାସନକୁ ସରକାର ସଜାଗ କରିଛନ୍ତି।

YouTube

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ। ବ୍ଲକ୍‌ ୱାରି ସ୍ଥିତିର ଅନୁଧ୍ୟାନ କରି ଚାଷ କାର୍ଯ୍ୟ ନିମନ୍ତେ ସମସ୍ତ ଜଳସେଚନ ‌ସ୍ରୋତ ଚାଲୁ ରଖିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ସବୁ କେନାଲ୍‌ର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ଯୋଗାଣ ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଆବଶ୍ୟକ ସ୍ଥାନରେ ଶାଖା କେନାଲଗୁଡ଼ିକର ମରାମତି କରି ଚାଷ ପାଇଁ ଜଳଯୋଗାଣ ନିଶ୍ଚିତ କରାଇବାକୁ ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ପଦକ୍ଷେପ ନେବେ। ବିଶେଷତଃ କମ୍ ବୃଷ୍ଟିପାତ ହୋଇଥିବା ବ୍ଲକ୍‌ର କେନାଲଗୁଡ଼ିକରେ ରୋଟେସନ୍ ଭିତ୍ତିରେ ନିୟମିତ ଜଳଯୋଗାଣ କରାଯିବ। କମ୍ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ବିକଳ୍ପ ଫସଲ ନିମନ୍ତେ ସମ୍ଭାବ୍ୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା। କମ୍ ଜଳ ଓ ଆର୍ଦ୍ରତା ଦରକାର କରୁଥିବା ଶସ୍ୟ ଚାଷ ନିମନ୍ତେ ଚାଷୀମାନଙ୍କୁ ପରାମର୍ଶ ଓ ଏଥିପାଇଁ ଆବଶ୍ୟକ ବିହନ ଓ ମଞ୍ଜି ଆଦି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ସୂଚନା ଦିଆଯାଇଥିଲା ଯେ ୧୫ଟି ଜିଲ୍ଲାର ପ୍ରାୟ ୩୦ଟି ବ୍ଲକ୍‌ରେ ଖରିଫ ଧାନ ଚାଷ ପାଇଁ ଜମିର ଆର୍ଦ୍ରତା କମିଛି। ଏହା ମଧ୍ୟରେ ଅଛି ଅନୁଗୁଳର ୪, ବଲାଙ୍ଗୀରର ୨, ଭଦ୍ରକର ୧, ବୌଦ୍ଧର ୨, ଢେଙ୍କାନାଳର ୪, ଗଞ୍ଜାମର ୧, ଗଜପତିର ୧, ଯାଜପୁରର ୨, କେନ୍ଦୁଝରର ୩, ରାୟଗଡ଼ାର ୫, ସମ୍ବଲପୁର, ନୟାଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର ଓ ସୋନପୁରର ଗୋଟିଏ ଲେଖାଏ ବ୍ଲକ୍।

ଗ୍ରାମାଞ୍ଚଳରେ କର୍ମ ନିୟୋଜନ ବୃଦ୍ଧି ନିମନ୍ତେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅଧିକ ପ୍ରକଳ୍ପ ଆରମ୍ଭ କରିବା ପାଇଁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ କହିଥି‌ଲେ। ଜୁଲାଇ ଶେଷ ସୁଦ୍ଧା ପ୍ରାୟ ୧୦ ଲକ୍ଷ କର୍ମ ଦିବସ ସୃଷ୍ଟି କରାଯାଇଛି। ଅଧିକ ୨୦ ଲକ୍ଷ କର୍ମ ଦିବସ ସୃଷ୍ଟି ପାଇଁ ଆଜିର ବୈଠକରେ ସ୍ଥିର ହୋଇଛି। ପ୍ରତ୍ୟେକ ଚାଷ ଜମିର ପ୍ରାୟ ୧୦୦ ମିଟର ମଧ୍ୟରେ ଜଳସ୍ରୋତ ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ ଫାର୍ମ ପଣ୍ଡ୍‌ ପ୍ରକଳ୍ପ ଆରମ୍ଭ କରିବାକୁ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ‌ଦେଇଥିଲେ। କମ୍ ବୃଷ୍ଟିପାତ ଜନିତ ସ୍ଥିତିର ଠିକ୍ ପରିଚାଳନା ପାଇଁ ସଂଯୋଜିତ ଭାବେ କାର୍ଯ୍ୟ କରିବାକୁ ଜଳସମ୍ପଦ, କୃଷି, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଶକ୍ତି ଓ ଓୟୁଏଟିକୁ ନିର୍ଦ୍ଦେଶ ଦିଆଯାଇଥିଲା। କୃଷି ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠ କମ୍ ବୃଷ୍ଟିପାତ ଓ ଚାଷ ଉପରେ ଏହାର ପ୍ରଭାବ ସମ୍ପର୍କରେ ସୂଚନା ଦେଇଥିଲେ।

ବର୍ଷା ଅଭାବ ସମୟରେ ଚାଷୀଙ୍କୁ ଉଠାଜଳସେଚନର ସର୍ବାଧିକ ଆବଶ୍ୟକତା ରହିଛି। କିନ୍ତୁ ବହୁ ସ୍ଥାନରେ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକ ଅଚଳ ହୋଇପଡ଼ିଥିବା ଅଭିଯୋଗ ଆସୁଛି। ଝାରସୁଗୁଡ଼ା ଜିଲ୍ଲାର ଅଣଜଳସେଚିତ ବ୍ଲକ୍‌ ଲଖନପୁରରେ ୩୪୯ଟି ଉଠାଜଳସେଚନ ପ୍ରକଳ୍ପ ଥିଲେ ବି ସେଥିରୁ ଗୋଟିଏ କାମ କରୁନି। ଯାଜପୁର ଜିଲ୍ଲା କୋରେଇରେ ଗତ ବର୍ଷ ୯୫% ଚାଷ ହୋଇଥିଲା ବେଳେ ଏଥର ମାତ୍ର ୨୩% ହୋଇଛି। ଏଠାରେ ଥିବା ୨୨୦ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ୧୫୧ ଅଚଳ। କେନ୍ଦୁଝର ଜିଲ୍ଲାର ହାଟଡିହିରେ ୩୬ଟିରୁ ୨୨ଟି ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନି। ଏହି ଜିଲ୍ଲାର ଆନନ୍ଦପୁର‌ରେ ୬୨ରୁ ୬୦ ପ୍ରକଳ୍ପ ଅଚଳ। ବୌଦ୍ଧ ଜିଲ୍ଲାର ହରଭଙ୍ଗାରେ ୫୪%(ଗତ ବର୍ଷ ଏହି ସମୟରେ ୮୯%) ଚାଷ ହୋଇଛି। କିନ୍ତୁ ଏଠାରେ ୨୮ଟି ଉଠା ଜଳସେଚନ ପ୍ରକଳ୍ପ ଅଚଳ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ୨୬ ପ୍ରକଳ୍ପ କାମରେ ଆସୁନି। ଅଧିକାଂଶ ବ୍ଲକରେ ଏହିଭଳି ସ୍ଥିତି। ମୁଖ୍ୟତଃ ବିଜୁଳି ସମସ୍ୟା ଯୋଗୁଁ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକ କାର୍ଯ୍ୟ କରୁ ନ ଥିବା ଜଣାପଡ଼ିଛି। ଆଜିର ବୈଠକରେ ଏ ସମ୍ପର୍କରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସମସ୍ତ ଉଠାଜଳସେଚନ ପ୍ରକଳ୍ପ, ଗଭୀର ନଳକୂପ, ସ୍ୟାଲୋ ଟ୍ୟୁବ୍‌ୱେଲ୍‌ ଆଦିକୁ ବିଦ୍ୟୁତ ସଂଯୋଗ ଅବ୍ୟାହତ ରଖିବାକୁ ସମସ୍ତ ବିଦ୍ୟୁତ ବିତରକ କମ୍ପାନିଗୁଡ଼ିକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ। ବିଦ୍ୟୁତ ବିତରକ କମ୍ପାନି ଓ ପାଣି ପଞ୍ଚାୟତଗୁଡ଼ିକରେ ମିଳିତ ବୈଠକ ଡାକି କିସ୍ତିୱାରି ବିଦ୍ୟୁତ ଦେୟ ପଇଠ ବାବଦରେ ବୁଝାମଣା କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ। ନୂଆ କରି ପ୍ରସ୍ତୁତ ହୋଇଥିବା ସମସ୍ତ ଉଠାଜଳସେଚନ ଓ ବୋର୍‌ୱେଲ୍‌ ପଏଣ୍ଟକୁ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦେଇ କାର୍ଯ୍ୟକ୍ଷମ କରାଇବା ନିମନ୍ତେ ଶ୍ରୀ ମହାପାତ୍ର ବିଦ୍ୟୁତ ବିତରକ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।

indiamart.com

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଅଗଷ୍ଟ ୧ରୁ ୨୩ ତାରିଖ ମଧ୍ୟରେ ରାଜ୍ୟରେ ପାଖାପାଖି ୧୨୮.୧ମିମି ବୃଷ୍ଟିପାତ ହୋଇଛି। ସ୍ବାଭାବିକ ଭାବେ ଏହି ସମୟ ପରିଧି ମଧ୍ୟରେ ରାଜ୍ୟରେ ୨୮୫ମିମି ବର୍ଷା ହୋଇଥାଏ। ଅର୍ଥାତ କେବଳ ଅଗଷ୍ଟ ମାସରେ ୫୫% ନିଅଣ୍ଟିଆ ବର୍ଷା ରେକର୍ଡ ହେଲାଣି। ରାଜ୍ୟରେ ମୌସୁମୀ ସମୟରେ ମୋଟ୍‌ ୩୧% ନିଅଣ୍ଟିଆ ବର୍ଷା ରେକର୍ଡ ହେଲାଣି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୭ ଜିଲ୍ଲାରେ ଅଭାବୀ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ୩ ଜିଲ୍ଲା ଯଥା, ନୂଆପଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଆସନ୍ତା ୨୮ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ମୌସୁମୀକୁ ସକ୍ରିୟ କରିବାର ସମ୍ଭାବନା ଥିବାରୁ ସେପ୍ଟେମ୍ବରରେ ଭଲ ବର୍ଷା ଆଶା କରାଯାଉଛି।

ସମ୍ବନ୍ଧିତ ଖବର