‘ସଙ୍ଗୀତ, ସଂସ୍କୃତି ଓ ସ୍ବାଧୀନତା ସଂଗ୍ରାମୀ ମାର୍ଗ’: ଘୋଷଣାରେ ରହିଗଲା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରକୁ ଓଡ଼ିଶାର ସଂସ୍କୃତିର ପେଣ୍ଠସ୍ଥଳରେ ପରିଣତ କରାଯିବ। କଳା ଓ ସଂସ୍କୃତିର ସହର ଭାବେ ଭୁବନେଶ୍ବରକୁ ବିକଶିତ କରାଯିବ। ଓଡ଼ିଶାର ପ୍ରାଚୁର୍ଯ୍ୟମୟ କଳା ଓ ସଂସ୍କୃତିକୁ ନେଇ ବିଭିନ୍ନ ମାର୍ଗ ପ୍ରସ୍ତୁତ ହେବ। ବିଶେଷକରି ସଂସ୍କୃତି ମାର୍ଗ, ସାହିତ୍ୟ ମାର୍ଗ ଓ ସ୍ବାଧୀନତା ସଂଗ୍ରାମୀ ମାର୍ଗ ପ୍ରଥମ ପ୍ରର୍ଯ୍ୟାୟରେ ପ୍ରସ୍ତୁତ ହେବ। ବର୍ଷତମାମ୍‌ ଏହି ମାର୍ଗ ଚଳଚଞ୍ଚଳ ରହିବ। ରାଜଧାନୀବାସୀ ହୁଅନ୍ତୁ ବି ରାଜଧାନୀ ବାହାରୁ ଆସୁଥିବା ପଥଚାରୀମାନେ ଏହି ସବୁ ମାର୍ଗରେ ଘଡ଼ିଏ ଅଟକିଯାଇ ଓଡ଼ିଶାର ଗୌରବମୟ ସଂସ୍କୃତିକୁ ମନଭରି ଉପଭୋଗ କରିବେ। ଗତ ଡିସେମ୍ବରରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ ସମାରୋହରେ ଏଭଳି କେତେ କ’ଣ ଘୋଷଣା କରିଥିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। କିନ୍ତୁ ୯ ମାସ ବିତି ଯାଇଥିଲେ ବି ଏହି ଘୋଷଣା, ଘୋଷଣାରେ ହିଁ ସୀମିତ ରହିଯାଇଛି।ନା ଏହି ପ୍ରସ୍ତାବିତ ମାର୍ଗ ପାଇଁ ବିଭାଗ ପକ୍ଷରୁ କୌଣସି ପକ୍ଷକ୍ଷେପ ନିଆଗଲା ନା କିଛି ଶୁଭ ସଙ୍କେତ ମିଳିଲା।

ଗତ ଡିସେମ୍ବରରେ ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ ରାଜଧାନୀରେ ୩ଟି ମାର୍ଗ ନିର୍ମାଣ ପାଇଁ ଘୋଷଣା କରିଥିଲେ। ବିଭାଗୀୟ ଶାସନ ସଚିବଙ୍କ ସହ ଖୋଦ ସଂସ୍କୃତି ମନ୍ତ୍ରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ। ନିର୍ଦ୍ଦେଶକଙ୍କ ଘୋଷଣା ଅନୁଯାୟୀ ରବୀନ୍ଦ୍ର ମଣ୍ଡପଠାରୁ ୧୨୦ ବାଟାଲିଅନ୍‌ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ରାସ୍ତାକୁ ‘ସଙ୍ଗୀତ ମାର୍ଗ’ ଭାବେ ବିକଶିତ କରାଯିବ। ଏଠାରେ ସଙ୍ଗୀତଜ୍ଞ ବାଳକୃଷ୍ଣ ଦାଶ ଓ ସିକନ୍ଦର ଆଲାମ୍‌ଙ୍କ ପ୍ରତିମୂର୍ତି ରହିଥିବା ବେଳେ ଅନ୍ୟ ବିଶିଷ୍ଟ ସଙ୍ଗୀତଜ୍ଞମାନଙ୍କ ପ୍ରତିମୂର୍ତି ସ୍ଥାପିତ ହେବ। ଏହି ମାର୍ଗରେ ଅହରହ ସଙ୍ଗୀତ ଗୁଞ୍ଜରିତ ହେବ। ଦିନ ହେଉ କି ରାତି; ରାଜଧାନୀବାସୀ ଏହି ମାର୍ଗ ଦେଇ ଗଲା ବେଳେ ସୁନ୍ଦର ସଙ୍ଗୀତର ଗୁଞ୍ଜରଣରେ ରୋମାଞ୍ଚିତ ହେବେ। ଏ ନେଇ ସଂସ୍କୃତି ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି ବୋଲି କହିଥିଲେ ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ ଦାସ। ଏଥିସହ ରାଜଧାନୀରେ ଆଉ ଦୁଇଟି ମାର୍ଗ ପ୍ରସ୍ତୁତ ହେବ। ‘ସ୍ବାଧୀନତା ସଂଗ୍ରାମୀ ମାର୍ଗ’ ଓ ‘ସଂସ୍କୃତି ମାର୍ଗ’।

ସମ୍ପୂର୍ଣ୍ଣ ଜନପଥକୁ ‘ସଂସ୍କୃତି ମାର୍ଗ’ ଭାବେ ପ୍ରସ୍ତୁତ କରାଯିବ। ରାସ୍ତାର ଦୁଇ ପାଖରେ ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ବିଭିନ୍ନ ଓଡ଼ିଆ ପର୍ବପର୍ବାଣୀ, ମନ୍ଦିର, କୀର୍ତ୍ତିରାଜି ଓ ଐତିହ୍ୟ ଡିସ୍‌ପ୍ଲେ ହେବ। ଏଥିସହ ରାମମନ୍ଦିରରୁ ହାଉସିଂବୋର୍ଡ ଛକ ପର୍ଯ୍ୟନ୍ତ ରାସ୍ତାକୁ ‘ସ୍ବାଧୀନତା ସଂଗ୍ରାମୀ ମାର୍ଗ’ କରିବାର ଯୋଜନା ଥିଲା। ଏହି ମାର୍ଗରେ ନେତାଜୀ ସୁଭାଷ ବୋଷଙ୍କଠାରୁ ଆରମ୍ଭ କରି ଚାଖି ଖୁଣ୍ଟିଆ, ବାଜି ରାଉତ, ଜୟୀ ରାଜଗୁରୁ, ସହିଦ ରଘୁ-ଦିବାକର ଆଦି ଓଡ଼ିଶାର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତି ସ୍ଥାପିତ ହେବ। ଏହି ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବୀରତ୍ବ ଓ ଦେଶଭକ୍ତିର ଗାଥା ଆମ ଉତ୍ତରପିଢ଼ିଙ୍କୁ ପ୍ରେରିତ କରିବ। ଏଥିସହ ଆମ ବରପୁତ୍ରମାନଙ୍କ ପାଇଁ ବି ‌ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।
ପ୍ରଥମେ ‘ସଙ୍ଗୀତ ମାର୍ଗ’ କାର୍ଯ୍ୟ ସପ୍ତାହ ହେବା ପରେ ଧୀରେଧୀରେ ‘ସ୍ବାଧୀନତା ସଂଗ୍ରାମୀ ମାର୍ଗ’ ଓ ‘ସଂସ୍କୃତି ମାର୍ଗ’ ବିକଶିତ କରାଯିବ ବୋଲି ବିଭାଗ ପକ୍ଷରୁ ଘୋଷଣା କରାଗଲା। ଏହି ପରେ ଏକ ‘ସାହିତ୍ୟ ମାର୍ଗ’ର ମଧ୍ୟ ପରିକଳ୍ପନା କରାଯାଉଥିଲା। ‘ସାହିତ୍ୟ ମାର୍ଗ’ରେ ପୁସ୍ତକ ଦୋକାନ ସହ ‘ରିଡିଂ ହବ୍‌’ ରହିବ। ଅଧିକ ଜାଣିବା ପାଇଁ କିଓସ୍କ ମଧ୍ୟ ସ୍ଥାପିତ ହେବ। ଓଡ଼ିଆ ସାହିତ୍ୟର ପ୍ରଚାରପ୍ରସାର ପାଇଁ ବିଭାଗ ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଇଥିଲା। ଏଠାରେ ସମସ୍ତ ସାହିତ୍ୟିକଙ୍କ ପୁସ୍ତକ ଉପଲବ୍ଧ ହେବା ସହ ପାଠକମାନେ ଏଠାରେ ଯାଇ ପୁସ୍ତକ ପଢ଼ିପାରି‌ବେ।

ଭୁବନେଶ୍ବରରେ ଏହି ଭଳି ୪ଟି ମାର୍ଗ ବିକଶିତ ହେଲେ ନିଃସନ୍ଦେହରେ ଦେଶର ରାଜଧାନୀମାନଙ୍କ ମଧ୍ୟରେ ଭୁବନେଶ୍ବର ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିବ। ଭୁବନେଶ୍ବରକୁ ଜାତୀୟସ୍ତରରେ କଳା ଓ ସଂସ୍କୃତିର ସହର ଭାବେ ବିବେଚନା କରାଯିବ। ସାଧାରଣ ଲୋକଙ୍କ ଚିନ୍ତନକୁ ବଦଳାଇଦେବ ଏହି ରୂପରେଖ। ଅନେକ ସହର ଏହାକୁ ଅନୁକରଣ କରିବେ। କିନ୍ତୁ ମିଳିଥିବା ସୂଚନା ମୁତାବକ ପ୍ରସ୍ତାବିତ ମାର୍ଗଗୁଡ଼ିକ ଉପରେ ସଂସ୍କୃତି ବିଭାଗ ପକ୍ଷରୁ କୌଣସି ଆଗ୍ରହ ପ୍ରକାଶ ପାଉନାହିଁ। କେବଳ ରାଜ୍ୟ ତଥା ରାଜଧାନୀବାସୀଙ୍କୁ ସ୍ବପ୍ନ ଦେଖାଇ ବିଭୋର କରୁଛି ସଂସ୍କୃତି ବିଭାଗ।

ସମ୍ବନ୍ଧିତ ଖବର